କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି: ତାଲା ଭାଙ୍ଗି… ସରପଞ୍ଚଙ୍କ ଏତଲା

Jul 11, 2026 - 21:58
କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି: ତାଲା ଭାଙ୍ଗି… ସରପଞ୍ଚଙ୍କ ଏତଲା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ଅଫିସ ରୁମ୍‌ରେ ଥିବା ଗୋଦରେଜ ଆଲମିରାରୁ ସମସ୍ତ ନଥିପତ୍ର ଫୋପଡ଼ା-ଫୋପଡ଼ି କରିବା ସହ ଏକ ଡିଜିଟାଲ କ୍ୟାମେରା ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଏନେଇ ସରପଞ୍ଚ ଗୌରୀ ଗୌଡ଼ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେବା ପରେ, ଥାନା ଆଇଆଇସି କିଶୋର କୁମାର ସାମଲ ମାମଲା ନଂ ୨୯୩/୨୬ ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ପଞ୍ଚାୟତ କର୍ମଚାରୀମାନେ ଅଫିସରୁ ଫେରିବା ପରେ ପିଅନ ରାଜେନ୍ଦ୍ର ଡାକୁଆ ମୁଖ୍ୟ ଫାଟକ ଓ ଅଫିସ ପ୍ରକୋଷ୍ଠରେ ତାଲା ପକାଇ ଘରକୁ ଯାଇଥିଲେ। ତେବେ ବିଳମ୍ବିତ ରାତି ପ୍ରାୟ ୨ଟାରେ କିଛି ଦୁର୍ବୃତ୍ତ ମୁଖ୍ୟ ଫାଟକର ତାଲା ଭାଙ୍ଗି କାର୍ଯ୍ୟାଳୟ ଭିତରକୁ ପଶିଥିଲେ। ସ୍ଥାନୀୟ କିଛି ଲୋକ ଏହା ଦେଖି ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ ଏବଂ ନାଏବ ସରପଞ୍ଚ ଲକ୍ଷ୍ମଣ ରେଡ୍ଡୀଙ୍କୁ ଫୋନ୍ ଯୋଗେ ଖବର ଦେଇଥିଲେ। ସେମାନେ ତୁରନ୍ତ ପୋଲିସକୁ ଜଣାଇବା ପରେ ଦିଗପହଣ୍ଡି ପୋଲିସ ଟିମ୍ ରାତି ପ୍ରାୟ ସାଢ଼େ ୨ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲା।

ତେବେ ପୋଲିସ ପହଞ୍ଚିବା ପୂର୍ବରୁ ହିଁ ଦୁର୍ବୃତ୍ତମାନେ ପଞ୍ଚାୟତ କାର୍ଯ୍ୟାଳୟର ପାଚେରୀ ଡେଇଁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ପୋଲିସ କାର୍ଯ୍ୟାଳୟ ଭିତରକୁ ଯାଇ ପ୍ରାଥମିକ ତଦନ୍ତ ଶେଷ କରି ଫେରିଛି। ଶୁକ୍ରବାର ସକାଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପ୍ରଦୀପ କୁମାର ପଣ୍ଡା କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ ନଥିପତ୍ର ଯାଞ୍ଚ କରିବା ସହ ଘଟଣା ସମ୍ପର୍କରେ ବିଡ଼ିଓ ଅନାମିକା ପାଣ୍ଡେଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।