ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ
କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟ କୁଳାଧ୍ୟକ୍ଷା(ଭିଜିଟର) ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚଳିତମାସ ୨ରେ ଚିଠି ସଂଖ୍ୟା ୨-୮/୨୦୨୫ ସିୟୁ ୨ରେ ଏକ ନୋଟିସ ପ୍ରକାଶ ପାଇଛି। ଡ. ଅଜିତ ବର୍ତ୍ତମାନ ଲକ୍ଷ୍ନୌସ୍ଥିତ ସିଏସ୍ଆଇଆର୍-ଜାତୀୟ ଉଦ୍ଭିଦ ବିଜ୍ଞାନ ଅନୁସନ୍ଧାନ ସଂସ୍ଥାନ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉପ-ସଚିବ ଶ୍ରେୟା ଭରଦ୍ୱାଜଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଡ. ଅଜିତ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୫ ବର୍ଷ କିମ୍ବା ତାଙ୍କୁ ୭୦ ବର୍ଷ ବୟସ ହେବା ଯାଏ ଏହି ପଦବୀରେ କାର୍ଯ୍ୟ କରିବେ ବୋଲି ଉଲ୍ଲେଖ ରହିଛି। ଏଥିସହ ବିଶ୍ୱବିଦ୍ୟାଳୟର ଆଇନ, ନିୟମାବଳୀ ଓ ଅଧ୍ୟାଦେଶ ଅନୁଯାୟୀ ତାଙ୍କର ସେବା ସର୍ତ୍ତାବଳୀ ନିର୍ଦ୍ଧାରଣ ହେବ।
Dharitri – Odisha’s No.1 Odia Daily
The post ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ appeared first on Dharitri Odia News.