ଐତିହାସିକ ବିସ୍ମୃତିର ନବପର୍ବ

Jul 06, 2026 - 09:09
ଐତିହାସିକ ବିସ୍ମୃତିର ନବପର୍ବ
ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ ଏଇ କାଂସ୍ୟ ମୂର୍ତ୍ତିଟି, ଯାହାକୁ ‘ନୃତ୍ୟରତା ବାଳିକା’ ଭାବରେ ନାମିତ କରାଯାଇଛି, ତା’ରି ଅବଦାନ ରହିଛି ପ୍ରଚୁର। ସେଇ ମୂର୍ତ୍ତିଟିର ତ୍ରିଭଙ୍ଗୀ ଠାଣି ଆମକୁ ଜଣାଇ ଦେଇଥାଏ ସିନ୍ଧୁ ସଭ୍ୟତାର ସେଇ ମହାର୍ଘ ବେଳା ବୋଧହୁଏ ଥିଲା ଶାସ୍ତ୍ରୀୟ ଭାରତୀୟ ନୃତ୍ୟକଳା ଓ ଶିଳ୍ପ ଚାତୁରିର ଆଦ୍ୟ ଅଙ୍କୁରଣ ପର୍ବ। ଅନେକ ହଜାର ବର୍ଷ ଧରି ଏହି ନୃତ୍ୟରତା ବାଳିକା ବା ତରୁଣୀ ହେଉଛି ଆମ ମହାନ୍‌ ସଭ୍ୟତାର ଉତ୍‌ଥାନ-ପତନର ମୂକ ସାକ୍ଷୀ। ତା’ର ଭଙ୍ଗିମାରେ ଅଛି ନିର୍ଭୀକତା, ଆମତ୍ବିଶ୍ୱାସ ଓ ଏକ ଅଦ୍‌ଭୁତ ସ୍ବାଧୀନେଚ୍ଛାର ସୁସ୍ପଷ୍ଟ ଆଭାସ। ଏବଂ ତା’ର ନଗ୍ନତା ଆମକୁ କାମନା-ପିପାସିତ କରିବା ପରିବର୍ତ୍ତେ ଆମକୁ କହିଥାଏ ନଗ୍ନତାର ପବିତ୍ର ମାଧୁର୍ଯ୍ୟ ଓ ନାନ୍ଦନିକ ସାୈରଭ ସମ୍ପର୍କରେ। ସେହି ଲଳନାଟି ଶତାବ୍ଦୀ ଶତାବ୍ଦୀର କୁହେଳିକା ଛିନ୍ନ କରି, ସମୟର ବିଧ୍ୱଂସକ ଶକ୍ତିକୁ ଆହ୍ବାନ ଦେଇ ଆମକୁ ସ୍ମରଣ କରାଇଚାଲିଛି ଆମ ଇତିହାସର ଅନେକାନେକ କଡ-ଲେଉଟା ପର୍ବମାନଙ୍କ କଥା। କହିଛି ହର୍‌ପପା ଓ ମହେଞ୍ଜୋଦାରୋର ଉଦୟ ଓ ଅସ୍ତର କାହାଣୀ, ଯେତେ ସାମାନ୍ୟ ହେଉ ପଛେ। ଦେଖିଛି ସେ ଆର୍ଯ୍ୟାବର୍ତ୍ତର ଉଷାମୁହୂର୍ତ୍ତ, ବେଦମନ୍ତ୍ରରେ ସ୍ପନ୍ଦିତ ସିନ୍ଧୁ, ସରସ୍ବତୀଙ୍କ ପୂତ ଜଳସ୍ରୋତ। ଦେଖିଛି ନିରଞ୍ଜନା ତଟକୂଳର ବୋଧିଦ୍ରୁମ ତଳେ ସିଦ୍ଧାର୍ଥଙ୍କ ବୋଧିପ୍ରାପ୍ତି ଓ ବୁଦ୍ଧତ୍ୱର ମାହେନ୍ଦ୍ର ଲଗ୍ନ। ଦେଖିଛି ଗୁପ୍ତ ସାମ୍ରାଜ୍ୟର ସ୍ବର୍ଣ୍ଣିମ ଅଧ୍ୟାୟମାନ ଏବଂ ହୁଏତ ଗଭୀର ବେଦନାକ୍ତ ହୃଦୟରେ ଦେଖିଛି ସନାତନୀ ଭାରତବର୍ଷରେ ଆବ୍ରାହାମିକ୍‌ ଧର୍ମାନୁଗତ ଆକ୍ରମଣକାରୀଙ୍କ ବିଭୀଷିକାମୟ ଅନୁପ୍ରବେଶ।
କିନ୍ତୁ ଏତେ ଯୁଗ ପରେ, ଆଧୁନିକତାର କୃତ୍ରିମ ମୂଲ୍ୟବୋଧର ତରାଜୁରେ ଆମେ ଏବେ ତା’ର ମୂଲ୍ୟାୟନ କରିବାର ଅପବିତ୍ର ସ୍ପର୍ଦ୍ଧା ଦେଖାଉଛେ। ତାକୁ କହୁଛେ – ”ତୁମେ ଯେଉଁ ଭଙ୍ଗୀ ଠାଣିରେ ଅଛ; ତୁମେ ଯେଉଁ ନଗ୍ନତାର ଆଭୂଷଣ ପିନ୍ଧିଛ, ଆଉ ସେମିତି ରହିପାରିବ ନାହିଁ। ତୁମକୁ ଆବୃତ ହେବାକୁ ହେବ, ଢାଙ୍କି ଦେବାକୁ ହେବ ତୁମର ସେ କ୍ଷୀଣ ତନୁବଲ୍ଲରୀ।“
କେତେ ବିମର୍ଷକର ବିଡ଼ମ୍ବନା ଇଏ! ଯେଉଁ ସଭ୍ୟତା ‘ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌’ର ସ୍ତୁତିଗାନ କରୁଥିଲା, ଯେଉଁ ସଭ୍ୟତା ଦେହ ଦେଉଳରେ ଇଷ୍ଟଦେବତାର ସ୍ଥାପନା କରୁଥିଲା, ଦେହର କବିତା ରଚନା କରିବାରେ ସ୍ବର୍ଗୀୟ ଆନନ୍ଦ ପାଉଥିଲା ଓ ଅନାବୃତ ଦେହରେ ଦିବ୍ୟତାର ଦୀପ୍ତି ଦେଖୁଥିଲା, ସେହି ସଭ୍ୟତାର ବଂଶଧରମାନେ ଆଜି ଏଇ ସିନ୍ଧୁଲଳନାର ଅନାବୃତ କୃଶ ଦେହକୁ ଦେଖି ଭ୍ରୁକୁଞ୍ଚନ କରୁଛନ୍ତି। ଉପନିଷଦ କହେ- ‘ସର୍ବଂ ଖଲ୍ଲିଦଂ ବ୍ରହ୍ମ’। ସବୁକିଛି ବ୍ରହ୍ମ ଯଦି, ତେବେ କାହିଁକି ନୁହେଁ ‘ନୃତ୍ୟରତା ମୂର୍ତ୍ତି’ଟିର ଅନାବୃତ ଦେହ? ଆମ ପ୍ରାଚୀନ ଋଷିମାନେ ଦେହ ଓ ଆତ୍ମାକୁ ଉପାସନା କରୁଥିଲେ – ଭିନ୍ନ ଭିନ୍ନ ଉପଚାରରେ। ସେମାନେ ଦେହକୁ ରଥ, ଆତ୍ମାକୁ ସାରଥି, ଜୀବକୁ ରଥି ବୋଲି କହୁଥିଲେ- ଚେତନାର ଆଳୟ ବୋଲି କହୁଥିଲେ। ସେଥିପାଇଁ ଭାରତୀୟ କଳା କବିତାରେ, କାବ୍ୟ ମହାକାବ୍ୟମାନଙ୍କରେ ‘ନଗ୍ନତା’ ପାପ ନୁହେଁ, ଥିଲା ସତ୍ୟର ସ୍ବରୂପକୁ ଚିହ୍ନିବାର ପ୍ରଥମ ସୋପାନ। କୋଣାର୍କର ଭଗ୍ନ ରଥଚକ୍ର, ମୁଖଶାଳା, ତା’ର ଗାତ୍ରରେ ଶୋଭାପାଉଥିବା ଶତଶତ ନଗ୍ନ ନାରୀ ମୂର୍ତ୍ତି, ନର୍ତ୍ତକୀ ଓ ଶାଳଭଞ୍ଜିକାମାନେ ଏବେ ବି ସୂର୍ଯ୍ୟ ଦେବତାଙ୍କ ଆଲୋକରେ ଝଲସିତ। ସେଇଠି ନଗ୍ନତା ଲଜ୍ଜାର ଆଭୂଷଣ ପିନ୍ଧିନାହିଁ। ନଗ୍ନତା ସେଇଠି ସୃଷ୍ଟି ରହସ୍ୟର ଉନ୍ମୋଚକ ଓ ଜୀବନର ମହୋତ୍ସବ। ଆମର ଅତୀତର ସ୍ଥପତି, ଭାସ୍କର, କବି ଓ ଚିତ୍ରକରମାନେ ଜାଣିଥିଲେ ଯେ ଦେହକୁ ଅସ୍ବୀକାର କରି ଦିବ୍ୟତାର ସନ୍ଧାନ କରିହେବନାହିଁ। ଦେହ ହେଉଛି ଦ୍ୱାର, ପଥ ଓ ପ୍ରତିନିୟତ ଆତ୍ମାର ସଂଗୀତରେ ଝଙ୍କୃତ ହେଉଥିବା ବୀଣା ସଦୃଶ।
କି ଏକ ଅଦ୍‌ଭୁତ ବିରୋଧାଭାସାକ୍ରାନ୍ତ ଆମ ସମୟ ଏବେ! ଗୋଟିଏ ପଟେ ସିନେମା, ଟେଲିଭିଜନ, ମୋବାଇଲ୍‌ ଓ ଇଣ୍ଟରନେଟ୍‌ରେ ଦେହର ଅବମୂଲ୍ୟାୟନ ଆମ ପାଇଁ ମନୋରଞ୍ଜକ ଓ ଉପଭୋଗ୍ୟ, ଅନ୍ୟ ପଟେ ଗୋଟିଏ କ୍ଷୁଦ୍ର କାଂସ୍ୟମୂର୍ତ୍ତିର ଖୋଲା ଦେହ ଦେଖି ଆମେ ଆତଙ୍କିତ। ଆମେ ଏ କାଂସ୍ୟମୂର୍ତ୍ତିର ନିରୀହ ନିର୍ଦ୍ଦୋଷ ଅବୟବକୁ ଢାଙ୍କି ଦେଇ ସାବ୍ୟସ୍ତ କରିବାକୁ ଚାହୁଁଛେ ଯେ ଆମେ ଶ୍ଳୀଳ, ସଭ୍ୟ, ସୁଶିକ୍ଷିତ, ନୀତନିଷ୍ଠ ଓ ସଂସ୍କୃତିର ଜାଗ୍ରତ ପ୍ରହରୀ। ଏ ଶ୍ଳୀଳତା ନୁହେଁ, ନୈତିକତା ନୁହେଁ, ଏହା ହେଉଛି ଆମର ଐତିହାସିକ ବିସ୍ମୃତିର ନବପର୍ବ। ଆମେ ଆଜି ଆମ ପିଲାମାନଙ୍କ ଇତିହାସ ପୁସ୍ତକରେ ସିନ୍ଧୁ ସଭ୍ୟତାର ଅନବଦ୍ୟ କାଂସ୍ୟମୂର୍ତ୍ତିଟିକୁ ଢାଙ୍କିବାର ପ୍ରୟାସ କରି ଅକ୍ଷମଣୀୟ ଅପରାଧ କରିଛେ। ସେଥିପାଇଁ ଆମକୁ  କ୍ଷମାଯାଚନା କରିବାକୁ ହେବ ଆମ ଅତୀତ ପାଖରେ, ବିଶେଷ କରି ଏଇ ଚର୍ଚ୍ଚିତ କ୍ଷୀଣଦେହା ଅଥଚ ଲାବଣ୍ୟମୟୀ ନୃତ୍ୟରତା ଲଳନା ପାଖରେ।
ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ
କୋତିଆଁ, ଜଗତସିଂହପୁର
ମୋ: ୯୮୫୩୩୫୫୧୦୭
Dharitri – Odisha’s No.1 Odia Daily