ଏନ୍‌ଜିଓ କାର୍ଯ୍ୟରେ ବାଧା

Jun 28, 2026 - 08:42
ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଏହା କରିବା ଉଚିତ ନୁହେଁ। ତେବେ ଏବେ ଭାରତକୁ ପ୍ରକୃତ ଗଣତନ୍ତ୍ର ଭାବେ ଗଣା ନ ଯାଇ ‘ଆଂଶିକ ସ୍ବାଧୀନ’ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। କାହିଁକି ଏଭଳି କରାଯାଇଛି ତା’ପଛରେ କାରଣ ରହିଛି। ଚଳିତବର୍ଷ ମାର୍ଚ୍ଚରେ ବେସରକାରୀ ସଂଗଠନ (ଏନ୍‌ଜିଓ)ଗୁଡ଼ିକ ଉପରେ ସରକାର ପୁଣି ଥରେ ଆକ୍ରମଣ କରିବା ପାଇଁ ଏକ ବିଲ୍‌ ଆଣିଥିଲେ। ବିରୋଧୀ ଦଳ ବିରୋଧ କରିବା ପରେ ଏହି ବିଲ୍‌ ପାସ୍‌ ହୋଇପାରିଲା ନାହିଁ। ପ୍ରଧାନମନ୍ତ୍ରୀ ତାଙ୍କର ୨୪୦ ସାଂସଦଙ୍କ ସହ ନିଜ ବିଲ୍‌ ଧରି ଫେରିଗଲେ। ପରେ ସେ ଏହାର ମୂଳତତ୍ତ୍ୱକୁ ପରିବର୍ତ୍ତନ କରି ପୁନଃଉପସ୍ଥାପନ କଲେ, ଯାହା ପାଇଁ ସଂସଦୀୟ ମଞ୍ଜୁରୀର ଆବଶ୍ୟକତା ନ ଥିଲା। ଏହା ଠିକ୍‌ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ର ପ୍ରଚଳନ ଭଳି; ଯାହା ‘ନିୟମ’ ମାଧ୍ୟମରେ ଭୋଟ୍‌ ଅଧିକାର ଛଡ଼ାଇ ନେବା କାର୍ଯ୍ୟ କଲା। ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଆଇନ ମାଧ୍ୟମରେ ଯାହା କରିପାରି ନ ଥିଲା ଏସ୍‌ଆଇଆର୍‌ ତାହା କରିପାରିଲା।
ଏହି ସରକାର ଏନ୍‌ଜିଓଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି। ବିଶେଷକରି ବିଦେଶୀ ଅର୍ଥ ସାହାଯ୍ୟ ପାଉଥିବା ସଂଗଠନଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଏଥିରେ‘ଜାତୀୟ ସୁରକ୍ଷା’, ‘ବିଦେଶୀ ହସ୍ତକ୍ଷେପ’ ଭଳି ପୁରୁଣା ଯୁକ୍ତି ପୁନରାବୃତ୍ତି କରାଯାଉଛିି। ନୂତନ ନିୟମାବଳୀରେ ଏନ୍‌ଜିଓମାନଙ୍କ କାର୍ଯ୍ୟକଳାପରେ ବାଧାଦେବା ପାଇଁ କିଛି ବ୍ୟବସ୍ଥା ରହିଛି। ସେଗୁଡ଼ିକ ମଧ୍ୟରୁ କେତେକ ହେଲା- କେବଳ ସରକାର ତାଲିକାଭୁକ୍ତ କାର୍ଯ୍ୟକଳାପକୁ ଏନ୍‌ଜିଓମାନେ କରିପାରିବେ। କେଉଁ ଅଞ୍ଚଳରେ ଗୋଟିଏ ଏନ୍‌ଜିଓ କାମ କରିବ ସେଥିରେ ସରକାର ମଧ୍ୟ ହସ୍ତକ୍ଷେପ କରିପାରିବେ। ଏକ ଏନ୍‌ଜିଓର ‘ମୁଖ୍ୟ କାର୍ଯ୍ୟନିର୍ବାହୀ’ କହିଲେ କେବଳ ତାହାର ମୁଖ୍ୟ କର୍ମକର୍ତ୍ତାଙ୍କୁ ନୁହେଁ, ବରଂ ସମସ୍ତ ଟ୍ରଷ୍ଟି ଏବଂ ପଦାଧିକାରୀଙ୍କୁ ବୁଝାଯିବ। ଏହି ପଦଗୁଡ଼ିକ ପାଇଁ ବିଦେଶୀ ନାଗରିକମାନେ ଯୋଗ୍ୟ ବିବେଚିତ ହେବେ ନାହିଁ। ସେମାନଙ୍କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଘୋଷଣା କରିବାକୁ ପଡ଼ିବ ଏବଂ ସରକାର ରାଜନୈତିକ ମନେ କରୁଥିବା ବିଷୟଗୁଡ଼ିକୁ ପ୍ରକାଶ କରିପାରିବେ ନାହିଁ। ଏହିଭଳି ଅନେକ ନିୟମ ରହିଛି। ଏହି ନିୟମଗୁଡ଼ିକ ବାକି ବେସରକାରୀ କ୍ଷେତ୍ର ପାଇଁ କାହିଁକି ଲାଗୁ କରାଯାଉ ନାହିଁ, ତାହା କହିବା କଷ୍ଟକର। କର୍ପୋରେଟ୍‌ଗୁଡ଼ିକ ଯେତେ ଚାହିଁବେ ସେତେ ବିଦେଶୀ ପୁଞ୍ଜିନିବେଶ ଆଣିପାରିବେ। ସେମାନେ ବିଦେଶୀ ସିଇଓ (ସିଇଓ) ବି ନିଯୁକ୍ତ କରିପାରିବେ।
ଏଥିରେ ଅନେକ ଦୋମୁହାଁ ନୀତି ଅଛି। ଜାନୁଆରୀ ୨୦୧୩ରେ ଦିଲ୍ଲୀ ହାଇକୋର୍ଟରେ ଦାଏର ଏକ ଜନସ୍ବାର୍ଥ ମାମଲାରେ ଦାବି କରାଯାଇଥିଲା ଯେ, ଭାଜପା ଏବଂ କଂଗ୍ରେସ ଦୁହେଁ ବିଦେଶୀ କମ୍ପାନୀ ‘ବେଦାନ୍ତ/ଷ୍ଟେରଲାଇଟ୍‌’ଠାରୁ ଚାନ୍ଦା ଗ୍ରହଣ କରିଛନ୍ତି, ଯାହାକି ଫରେନ କଣ୍ଟ୍ରିବ୍ୟୁଶନ(ରେଗୁଲେଶନ) ଆକ୍ଟ ବା ଏଫ୍‌ସିଆର୍‌ଏ ଆଇନର ଉଲ୍ଲଂଘନ। ୨୮ ମାର୍ଚ୍ଚ ୨୦୧୪ରେ, କୋର୍ଟ ଭାଜପା ଏବଂ କଂଗ୍ରେସକୁ ଏଫ୍‌ସିଆର୍‌ଏ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ମେ’ ମାସରେ ମୋଦି ସରକାର ଓ ନିର୍ବାଚନ କମିଶନଙ୍କୁ ଏହି ଦୁଇ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ହେଲେ ଅକ୍ଟୋବର ୨୦୧୫ ସୁଦ୍ଧା ମୋଦି ସରକାର ଏହାପାଇଁ ଆଇନରେ ପରିବର୍ତ୍ତନ କରି ବ୍ୟବସ୍ଥା ରଖିଲେ ଯେ, ଭାରତରେ ପଞ୍ଜୀକୃତ ଯେକୌଣସି କମ୍ପାନୀକୁ ଏକ ଭାରତୀୟ କମ୍ପାନୀ ବୋଲି ଗଣାଯିବ। ଅର୍ଥାତ୍‌ ‘ବିଦେଶୀ’କୁ ‘ଭାରତୀୟ’ ଭାବେ ପୁନଃ ରୂପାନ୍ତରିତ କରାଗଲା। ଏହା ଥିଲା ଭାରତୀୟଙ୍କ ପ୍ରତି ପ୍ରତାରଣା। କିନ୍ତୁ ଦେଶର ଦୁଇଟି ପ୍ରମୁଖ ରାଜନୈତିକ ଦଳ ଦୁର୍ନୀତିରେ ସମାନ ଭାବେ ଜଡ଼ିତ ଥିବାରୁ, କୌଣସି ବଡ଼ ବିରୋଧ ବିନା ଏହା ପାରିତ ହୋଇଯାଇଥିଲା।
୨୦୨୦ରେ ସରକାର ଏଥିରେ ଆହୁରି ଅଧିକ ନିୟମ ଯୋଡ଼ିଦେଲେ। ପ୍ରଥମତଃ, ବିଦେଶୀ ଅର୍ଥ ଗ୍ରହଣ କରିବା ପାଇଁ ଲାଇସେନ୍ସ ପାଇଥିବା ପ୍ରାୟ ୨୩,୦୦୦ ଏନ୍‌ଜିଓ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କେବଳ ନୂଆଦିଲ୍ଲୀ ସଂସଦ ମାର୍ଗ ଶାଖାରେ ପାଣ୍ଠି ଗ୍ରହଣ କରିପାରିବେ। ଦିଲ୍ଲୀରେ କେବଳ ୧,୪୮୮ଟି ଏନ୍‌ଜିଓ ପଞ୍ଜୀକୃତ ହୋଇଥିଲେ, ତେଣୁ ବାକି ସମସ୍ତଙ୍କୁ ଏକ ଆକାଉଣ୍ଟ ଖୋଲିବା ପାଇଁ ଏହି ସହରକୁ ଆସିବାକୁ ପଡ଼ିଲା। ଏହି ଶାଖା ଟଙ୍କା ପଠାଇବାର ସବିଶେଷ ତଥ୍ୟ, ଏହାର ଉତ୍ସ ଏବଂ ଏହା କେଉଁ ମାଧ୍ୟମରେ ମିଳିଲା ସେ ସବୁର ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରଦାନ କରିବାକୁ କୁହାଗଲା। ଦ୍ୱିତୀୟ ପରିବର୍ତ୍ତନ ଥିଲା-ଏନ୍‌ଜିଓ ମିଳିଥିବା ଅର୍ଥର ମାତ୍ର ୨୦ ପ୍ରତିଶତ ‘ପ୍ରଶାସନିକ ଖର୍ଚ୍ଚ’ ବାବଦରେ ବ୍ୟୟ କରିପାରିବ, ଏହାଠାରୁ ଅଧିକ ହୋଇପାରିବ ନାହିଁ। ଦରମା, ଭ୍ରମଣ ଖର୍ଚ୍ଚ, ନିଯୁକ୍ତି ଖର୍ଚ୍ଚ, ବିଦ୍ୟୁତ୍‌ ଓ ପାଣି ଦେୟ, ଟେଲିଫୋନ୍‌ ଦେୟ, ଡାକ ଓ କୋରିଅର୍‌ ଖର୍ଚ୍ଚ, କାର୍ଯ୍ୟାଳୟ ମରାମତି, ଷ୍ଟେସନେରୀ ଏବଂ ଛପା ଖର୍ଚ୍ଚ, ପରିବହନ, ପାଣ୍ଠିର ହିସାବ ରଖିବା ଓ ପରିଚାଳନା କରିବା ଖର୍ଚ୍ଚ, ଯାନବାହନ ଚଳାଚଳ ଓ ରକ୍ଷଣାବେକ୍ଷଣ, ରିପୋର୍ଟ ପ୍ରସ୍ତୁତ କରିବା ଓ ଦାଖଲ କରିବାର ଖର୍ଚ୍ଚ, ଆଇନଗତ ଓ ବୃତ୍ତିଗତ ଦେୟ ଏବଂ ଭଡ଼ା – ଏହି ସବୁକୁ ପ୍ରଶାସନିକ ଖର୍ଚ୍ଚ ଭାବରେ ଶ୍ରେଣୀଭୁକ୍ତ କରାଗଲା। ଭାରତର ଅନ୍ୟ କୌଣସି କ୍ଷେତ୍ର ପାଇଁ ଏଭଳି କଟକଣା ନାହିଁ। ଏହା ସେହି ସଂଗଠନଗୁଡ଼ିକୁ ବିଶେଷ ଭାବରେ ପ୍ରଭାବିତ କରିବ; ଯେଉଁମାନଙ୍କ କାର୍ଯ୍ୟକ୍ଷେତ୍ର ଗବେଷଣା, ଆଇନଗତ ସହାୟତା ଓ ଅନ୍ୟାନ୍ୟ ବୃତ୍ତିଗତ କାର୍ଯ୍ୟ ସହ ଜଡ଼ିତ। ତୃତୀୟତଃ, ଆଇନରେ ଏପରି ବ୍ୟବସ୍ଥା କରାଗଲା ଯେ, କୌଣସି ଏନ୍‌ଜିଓ ବିଦେଶୀ ଅନୁଦାନକୁ ଅନ୍ୟ କୌଣସି ଏଫ୍‌ସିଆର୍‌ଏ ଅନୁମୋଦିତ ଏନ୍‌ଜିିଓକୁ ହସ୍ତାନ୍ତର କରିପାରିବ ନାହିଁ। ଏହା ସମଗ୍ର ସ୍ବେଚ୍ଛାସେବୀ କ୍ଷେତ୍ର ପାଇଁ ବଡ଼ ଝଟ୍‌କା ଥିଲା, କାରଣ ସେମାନେ ପରସ୍ପର ସହଯୋଗ ଓ ନେଟୱର୍କ ମାଧ୍ୟମରେ କାମ କରନ୍ତି। ଫଳରେ ବଡ଼ ଏନ୍‌ଜିଓଗୁଡ଼ିକ ତୃଣମୂଳ ସ୍ତରରେ ଅର୍ଥ ସଂଗ୍ରହ କରିବାର କ୍ଷମତା ନ ଥିବା ଛୋଟ ଏନ୍‌ଜିଓଗୁଡ଼ିକ ସହିତ ମିଶି କାମ କରିପାରିବେ ନାହିଁ। ଏବେ ୨୦୨୬ରେ ଆହୁରି ଅଧିକ ନିୟମ ଯୋଡ଼ାଯାଇଛି।

Dharitri – Odisha’s No.1 Odia Daily