ଏଇ ଭାରତରେ
ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ, ଯାହା ଥିଲା ଏକ ଦୁଃଖଦ ଘଟଣା। ହେଲେ ୨୦୨୩ ସୁଦ୍ଧା ୨୪ଟି ବାଘ ଥିବା ଘୋଷଣା କରାଯାଇଥିଲା। ବାଘ ବଂଶ ବୃଦ୍ଧି କେବଳ ସରକାରଙ୍କ ବାହାଦୁରି ନୁହେଁ, ବରଂ ସେହି ଜଙ୍ଗଲରେ ରହୁଥିବା ପାର୍ଧି ଆଦିବସୀଙ୍କ ଭାବନାରେ ପରିବର୍ତ୍ତନ ଯୋଗୁ ଘଟିଛି। ଏହି ଆଦିବାସୀ ସମ୍ପ୍ରଦାୟ ଶିକାର କରି ବାଘ ଓ ଅନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲେ। ସେମାନେ ବାଘ, ଭାଲୁ, ହରିଣ, ହେଟା, ସମ୍ବର, ଚୌଶିଙ୍ଗା ଆଦିଙ୍କ ରଡ଼ି ବା ସ୍ବରକୁ ସମ୍ପୂର୍ଣ୍ଣ ନକଲ କରିପାରନ୍ତି। ଏଣୁ ଠିକ୍ ଜନ୍ତୁଙ୍କ ଭଳି ସ୍ବର କରି ସେମାନଙ୍କୁ ଆକୃଷ୍ଟ କରିବା ପରେ ସହଜରେ ଶିକାର କରିଥାନ୍ତି। ପାର୍ଧି ଆଦିବାସୀଙ୍କ ଉଗ୍ର ଶିକାର ମନୋଭାବ ଯୋଗୁ ବ୍ରିଟିଶ ସରକାର ସେମାନଙ୍କୁ ‘କ୍ରିମିନାଲ ଟ୍ରାଇବ୍’ ବା ଅପରାଧୀ ଆଦିବାସୀ ଭାବେ ଘୋଷଣା କରିଥିଲେ। ତେବେ ଏବେ ସେମାନେ ଜନ୍ତୁଙ୍କ ସ୍ବର ନକଲ କରୁଥିଲେ ମଧ୍ୟ ଶିକାର ଛାଡ଼ି ଦେଇଛନ୍ତି। ଦି ଲାଷ୍ଟ ଓ୍ବାଇଲ୍ଡର୍ନେସ ଫାଉଣ୍ଡେଶନ ଉଦ୍ୟମରେ ଜୀବଜନ୍ତୁଙ୍କ ପ୍ରତି ଥିବା ଆଦିବାସୀଙ୍କ ହିଂସା ମନୋଭାବରେ ପରିବର୍ତ୍ତନ ହୋଇଛି। ପାର୍ଧି ସମ୍ପ୍ରଦାୟର ଯୁବକଙ୍କୁ ଟୁରିଷ୍ଟ ଗାଇଡ ଭାବେ ପ୍ରଶିକ୍ଷଣ ଦିଆଯାଉଛି। ଫଳରେ ସେମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି।