ଏଇ ଭାରତରେ
ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା ଅଧିକାରୀ ଭାବେ ଦେଶସେବାକରି ୨୦୦୮ରେ ଅବସର ନେଇ ବେଙ୍ଗାଲୁରୁର ମୁଥାନାଲ୍ଲୁରକୁ ଫେରିବା ପରେ ସେ ସହରର ପୁରୁଣା ହ୍ରଦଗୁଡ଼ିକର ପୁନରୁଦ୍ଧାର କରୁଛନ୍ତି। ସନ୍ତୋଷ କୁମାର ବର୍ଷାଦିନେ ରାସ୍ତାଗୁଡ଼ିକରେ ବର୍ଷାଜନିତ ବନ୍ୟା ଦେଖିବା ପରେ ସେ ଜାଣିପାରିଥିଲେ, ସହରର ପୁରୁଣା ଜଳ ନିଷ୍କାସନ ପଥ ପୋତିହୋଇଯିବା ଯୋଗୁ ଏଭଳି ସମସ୍ୟା ଉପୁଜୁଛି। ପରେ ୧୯୨୩ର ବ୍ରିଟିଶ ମ୍ୟାପ୍କୁ ମଧ୍ୟ ଅନୁଧ୍ୟାନକରି ସେ ପୋତିହୋଇଯାଇଥିବା କିମ୍ବା ଜବରଦଖଲରେ ଥିବା ଜଳ ନିଷ୍କାସନ ପଥଗୁଡ଼ିକର ପ୍ରମାଣ ଯୋଗାଡ଼ କରିଥିଲେ। ପରେ ମାଇନର ଇରିଗେଶନ ଓ ବେଙ୍ଗାଲୁରୁ ଅର୍ବାନ ଡିଷ୍ଟ୍ରିକ୍ଟର ଡେପୁଟି କମିଶନରଙ୍କ ସ୍ବୀକୃତି ନେଇ ସେଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିଥିଲେ। ବ୍ରିଟିଶ ସମୟର ମ୍ୟାପ୍କୁ ନେଇ ସେ ବିଭିନ୍ନ ସ୍ଥାନରେ ପ୍ରଶାସନ ସହଯୋଗରେ ପୁରୁଣା ଜଳ ନିଷ୍କାସନ ପଥକୁ ଚିହ୍ନଟ କରିିଥିଲେ। ପ୍ରଥମେ ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟାଟାଲାକେର ହ୍ରଦକୁ ଯୋଡ଼ୁଥିବା ଜଳପ୍ରବାହର ପଥ ସଫାକରିଥିଲେ। ଏଥିରେ ସଫଳତା ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ସହଯୋଗରେ ଏବେ ସୁଦ୍ଧା ୧୪ଟି ହ୍ରଦର ପୁନରୁଦ୍ଧାର ଶେଷ କରାଯାଇସାରିଲାଣି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।