‘ଇ୨୦’ ପେଟ୍ରୋଲ ବ୍ୟବହାର କଲେ ବୀମା ବାତିଲ ହେବନାହିଁ: କେନ୍ଦ୍ର
ନୂଆଦିଲ୍ଲୀ, ୨୫ା୬ : ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ବା ‘ଇ୨୦’ ଇନ୍ଧନ ବ୍ୟବହାର କଲେ ଗାଡ଼ିର ବୀମା ଅବଧି ବା ବୈଧତା ବାତିଲ ହୋଇଯିବ ବୋଲି ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚା ଉପରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି। ଦେଶର ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସୁରକ୍ଷିତ, ଗ୍ରାହକ-ଅନୁକୂଳ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ବେଶ୍ ଲାଭଦାୟକ ବୋଲି ସରକାର କହିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଇ୨୦ ଇନ୍ଧନ ବ୍ୟବହାର ଯୋଗୁ ଗାଡ଼ି ବୀମା ଅବୈଧ ହେବା ନେଇ କରାଯାଉଥିବା ଦାବି ସମ୍ପୂର୍ଣ୍ଣ ଭୁଲ୍। ସମ୍ପୃକ୍ତ ସମସ୍ତ ପକ୍ଷ ଏବଂ ବୀମା କମ୍ପାନୀଗୁଡ଼ିକ ସହ ଆଲୋଚନା ପରେ ଏହି ଭ୍ରମାତ୍ମକ ତଥ୍ୟର ପର୍ଦ୍ଦାଫାଶ କରାଯାଇଛି। ମନ୍ତ୍ରଣାଳୟ ଅନୁଯାୟୀ, ପେଟ୍ରୋଲ୍ରେ ଇଥାନଲ ମିଶ୍ରଣ ଏକ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ପଦ୍ଧତି। ଆମେରିକା, ବ୍ରାଜିଲ ଏବଂ ଜାପାନ ଭଳି ଅନେକ ବିକଶିତ ଦେଶରେ ଏହା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ତେଣୁ ଭାରତୀୟ ଗ୍ରାହକ ଏହାକୁ ନେଇ ଆଦୌ ଆଶଙ୍କା ପ୍ରକାଶ କରିବା ଉଚିତ ନୁହେଁ।
ସରକାରୀ ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମ ଦେଶର ଆର୍ଥିକ ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅଶୋଧିତ ତୈଳ ଆମଦାନୀ ହ୍ରାସ କରି ଭାରତ ବର୍ତ୍ତମାନ ସୁଦ୍ଧା ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସଫଳ ହୋଇଛି। ଇଥାନଲ୍ ପ୍ରସ୍ତୁତି ପାଇଁ ଆବଶ୍ୟକ କୃଷିଜାତ କଞ୍ଚାମାଲର ଚାହିଦା ବଢୁଥିବାରୁ ଏହା ସିଧାସଳଖ ଚାଷୀଙ୍କ ଆୟ ବୃଦ୍ଧି କରିବାରେ ଏବଂ ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବାରେ ସହାୟକ ହେଉଛି। ଭାରତର ଶକ୍ତି ସୁରକ୍ଷାକୁ ବୃଦ୍ଧି କରିବା, କାର୍ବନ ନିର୍ଗମନ କମାଇବା ଏବଂ ସ୍ବଚ୍ଛ ପରିବେଶ ଆଡ଼କୁ ଅଗ୍ରସର ହେବାରେ ଇଥାନଲ୍ ମିଶ୍ରଣର ସବୁଠାରୁ ବଡ଼ ଯୋଗଦାନ ରହିଛି। ବୈଜ୍ଞାନିକ ପ୍ରମାଣ ଏବଂ ଗ୍ରାହକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସରକାର ଏହି ଯୋଜନାକୁ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଆଗକୁ ବଢ଼ାଇବାକୁ ପ୍ରତିବଦ୍ଧ ବୋଲି ବିବୃତିରେ ପ୍ରକାଶ ପାଇଛି।