ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍
ଜୟପାଟଣା, ୯ ଜୁଲାଇ (ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ ଥିବା ‘ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ’କୁ ନେଇ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି। ପ୍ରକଳ୍ପର ଶିଳାନ୍ୟାସ ହେବାର ମାତ୍ର ୧୯ ଦିନ ପରେ ସେଠାରେ ଲାଗିଥିବା ବୋର୍ଡରୁ ସୂଚନା ଫଳକ ଗାୟବ ହୋଇଯାଇଛି। ଏହି ଫଳକକୁ କିଏ ଏବଂ କାହିଁକି ହଟାଇଲା, ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଚର୍ଚ୍ଚା ଜୋର୍ ଧରିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ୍ ୨୦ ତାରିଖରେ ମୟୂରଭଞ୍ଜରୁ ଭର୍ଚୁଆଲ୍ ମୋଡ୍ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହି ମେଗା ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ପ୍ରାୟ ୪,୦୬୦ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ମାଧ୍ୟମରେ ଇନ୍ଦ୍ରାବତୀ ଜଳଭଣ୍ଡାରର ପାଣିକୁ ପଥର ସୁଡ଼ଙ୍ଗ ଦେଇ ଆଣି ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯିବାର ଲକ୍ଷ୍ୟ ରହିଛି। ପରେ ସେହି ପାଣିକୁ ପୁଣି ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସାହାଯ୍ୟରେ ଜଳଭଣ୍ଡାରକୁ ଫେରାଇ ନିଆଯିବାର ବ୍ୟବସ୍ଥା ହୋଇଛି।
ତେବେ ଏଭଳି ଏକ ବୃହତ୍ ଜନହିତକର ପ୍ରକଳ୍ପର ଶିଳାନ୍ୟାସ ସମୟରେ ଓଏଚପିସି (OHPC) କର୍ତ୍ତୃପକ୍ଷ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ, ଜନସାଧାରଣ କିମ୍ବା ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିଲେ, ଯାହାକୁ ନେଇ ପୂର୍ବରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଶିଳାନ୍ୟାସ ସ୍ଥଳରୁ ବୋର୍ଡ ଗାୟବ ହେବା ଘଟଣା ସ୍ଥାନୀୟ ଲୋକଙ୍କ ଆଶ୍ଚର୍ଯ୍ୟକୁ ଦ୍ଵିଗୁଣିତ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।