ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୋଦି: କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା
ଜାକର୍ତ୍ତା,୮ା୭: ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁଙ୍କ କାର୍ଯ୍ୟ ଭାରତ ଓ ଇଣ୍ଡୋନେସିଆକୁ ନିକଟତର କରାଇବାରେ ସହାୟକ ହୋଇଥିଲା ବୋଲି ସେ କହିଛନ୍ତି।
ଜାକର୍ତ୍ତାସ୍ଥିତ ଇଣ୍ଡୋନେସିଆ ପାର୍ଲାମେଣ୍ଟରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୪୦ ଦଶକରେ ଉଭୟ ଭାରତ ଓ ଇଣ୍ଡୋନେସିଆ ସ୍ବାଧୀନ ହୋଇଥିଲେ। ଜାତିସଂଘରେ ଇଣ୍ଡୋନେସିଆର ସାର୍ବଭୌମତ୍ୱକୁ ଭାରତ ଦୃଢ଼ ସମର୍ଥନ କରିଆସିଛି। ବିଜୁବାବୁଙ୍କ ଅବଦାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେହି ସମୟରେ ସମ୍ମାନିତ ବିଜୁ ପଟ୍ଟନାୟକ ତତ୍କାଳୀନ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ସୁତନ ସାହରିର ଏବଂ ରାଷ୍ଟ୍ରପତି ହେବାକୁ ଥିବା ସୁକର୍ଣ୍ଣୋଙ୍କୁ ବିମାନରେ ଭାରତ ନେଇଆସିଥିଲେ। ଏହି ଘଟଣା ଦୁଇ ଦେଶକୁ ନିକଟତର କରିଥିଲା। ଇଣ୍ଡୋନେସିଆ ସ୍ବାଧୀନତା ଆନ୍ଦୋଳନରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି, ପାଇଲଟ୍ ବିଜୁବାବୁ ସେତେବେଳେ କଳିଙ୍ଗ ଏୟାରଲାଇନ୍ସ ପ୍ରତିଷ୍ଠା କରିଥିଲେ। ସେ ତାଙ୍କର ଡାକୋଟା ଡିସି-୩ ବିମାନ ଉଡ଼ାଇ ଡଚ୍ ନିୟନ୍ତ୍ରଣରେ ଥିବା ଅଞ୍ଚଳରୁ ସୁରକ୍ଷିତ ଭାବେ ସୁକର୍ଣ୍ଣୋ ଓ ସାହରିରଙ୍କୁ ଭାରତ ଆଣିଥିଲେ। ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ସହ ବିଜୁ ପଟ୍ଟନାୟକଙ୍କ ବନ୍ଧୁତା ଯୋଗୁ ତାଙ୍କୁ ସେଠାର ‘ଭୂମିପୁତ୍ର’ ଉପାଧିରେ ସମ୍ମାନିତ କରାଯାଇଥିଲା।
ଇଣ୍ଡୋନେସିଆ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବିସ୍ତାରବାଦୀ ଆଚରଣକୁ ନେଇ ଦକ୍ଷିଣ-ପୂର୍ବ ଏସିଆର ଚିନ୍ତା ବଢ଼ୁଛି। ତେବେ ଭାରତ ବିସ୍ତାରବାଦ ନୁହେଁ ବିକାଶର ପଥ ଅନୁସରଣ କରେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ବେଳେ ପାର୍ଲାମେଣ୍ଟରେ ଇଣ୍ଡୋସେନିଆ ରାଷ୍ଟ୍ରପତି ପ୍ରବୋଓ୍ବୋ ସୁବିଆଣ୍ଟୋ ଏବଂ ଶୀର୍ଷ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ମୋଦି ଆହ୍ବାନ ଦେଇଛନ୍ତି। ଯେତେବେଳେ ଭାରତର ୧୪୦ କୋଟି ଜନତା ଏବଂ ଇଣ୍ଡୋନେସିଆର ୨୯ କୋଟି ନାଗରିକ ମିଳିତ ଭାବରେ ସମୃଦ୍ଧି ପଥରେ ଆଗେଇବେ, ସେତେବେଳେ ବିଶ୍ୱ ଏକ ନୂଆ ଇତିହାସ ସୃଷ୍ଟି ହେବାର ଦେଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।