ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

Jul 10, 2026 - 09:34
ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆଉ ଏକ ବଡ଼ ଭୁଲ୍‌ କରିଛି। ଗୋଟେପଟେ ଇସ୍କନ ଜଗନ୍ନାଥଙ୍କୁ ପ୍ରଭୁ ବୋଲି ମାନୁଥିଲେ ମଧ୍ୟ ତାଙ୍କ ରୀତିନୀତି ଓ ପରମ୍ପରାକୁ ବେଖାତିର କରୁଛି। ଦେଶ ଓ ବିଦେଶରେ ଅଦିନରେ ସ୍ନାନଯାତ୍ରା ଏବଂ ରଥଯାତ୍ରା ଆୟୋଜନ କରି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିବା ସହିତ ଜଗନ୍ନାଥ ସଂସ୍କୃତିର ଘୋର ଅପମାନ କରୁଛି। ଅଦିନରେ ରଥଯାତ୍ରା, ସ୍ନାନଯାତ୍ରା ନ କରିବାକୁ ଗଜପତି ଦିବ୍ୟସିଂହଦେବ ଜୁଲାଇ ୪ରେ ଇସ୍କନର ଗଭର୍ନିଂ ବଡି (ଜିବିସି) ଅଧ୍ୟକ୍ଷ ମଧୁସେବିତ ଦାସ ପ୍ରଭୁଙ୍କୁ ଚିଠି ଲେଖିଥିଲେ। ତେବେ ଇସ୍କନ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି, ଯାହାକି ଗଜପତିଙ୍କ ସମେତ ସମସ୍ତ ଜଗନ୍ନାଥପ୍ରେମୀଙ୍କ ପ୍ରତି ଅପମାନ। ଏଭଳି ଆଚରଣ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇସ୍କନ ପ୍ରତ୍ୟାଖ୍ୟାନର ଦୃଢ଼ ଜବାବ ଦେଉ ବୋଲି ଦାବି ହୋଇଛି।

ଇସ୍କନ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗଜପତି ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ମାତ୍ର ଇସ୍କନ ଅଧ୍ୟକ୍ଷ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ କୌଣସିମତେ ବରଦାସ୍ତ କରାଯିବ ନାହିଁ। ପୌରାଣିକ ଶାସ୍ତ୍ର ଅନୁସାରେ, ୧୨ଶ ଶତାବ୍ଦୀରୁ ରାଜା ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବଙ୍କ ସମୟରୁ ରଥଯାତ୍ରା ପରମ୍ପରା ପ୍ରଚଳିତ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିଦିନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ମାତ୍ର ବାରମ୍ବାର ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରି କୋଟି କୋଟି ଜଗନ୍ନାଥପ୍ରେମୀ, ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ଖେଳୁଛି। ତେଣୁ ସରକାର ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଇନର ସହାୟତା ନିଆଯିବା ଆବଶ୍ୟକ।
– ଅରବିନ୍ଦ ତ୍ରିପାଠୀ, ମୁଖପାତ୍ର, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ରାଜ୍ୟ ସରକାର ଇସ୍କନକୁ ଦେଇଥିବା ଜମି ବାତିଲ କରନ୍ତୁ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଗଜପତି ଦିବ୍ୟସିଂହ ଦେବ ଲେଖିଥିବା ପତ୍ରକୁ ଇସ୍କନ ପ୍ରତ୍ୟଖାନ କରିବା ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ। ଏହା ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତିଙ୍କ ପ୍ରତି କେବଳ ଅପମାନ ନୁହେଁ, ଓଡ଼ିଆ ଜାତି ପ୍ରତି ହେୟ ମନୋଭାବର ପ୍ରତିଫଳନ। ତେଣୁ ରାଜ୍ୟ ସରକାର ତୁରନ୍ତ ଇସ୍କନ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରନ୍ତୁ ଓ ଇସ୍କନକୁ ଦେଇଥିବା ଜମିକୁ ବାତିଲ କରନ୍ତୁ।
– ରବି ବେହେରା, ଆବାହକ, ଓଡ଼ିଆ ଅସ୍ମିତା ପରିଷଦ
ଭୁବନେଶ୍ୱରରେ ଇସ୍କନ ରଥଯାତ୍ରାକୁ ବୟକଟ କରାଯାଉ
ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ନେଇ ଇସ୍କନ ଦେଶ ବିଦେଶରେ ଅଦିନିଆ ରଥଯାତ୍ରା କରିବା ସହିତ ରାସ୍ତାକଡ଼ରେ ବସାଉଛି। ଏହାକୁ ପ୍ରତ୍ୟେକ ଓଡ଼ିଆ ବିରୋଧ କରିବା ଉଚିତ। ଏହାର ଜବାବ ଦେବା ପାଇଁ ଭୁବନେଶ୍ୱରରେ ହେବାକୁ ଥିବା ଇସ୍କନ ରଥଯାତ୍ରାକୁ ବୟକଟ କରାଯିବା ଦରକାର। ଇସ୍କନ କର୍ତ୍ତୃପକ୍ଷ ପୁରୀ ଗଜପତି, ଓଡ଼ିଶା ସରକାର ଏବଂ ଓଡ଼ିଆମାନଙ୍କ ଭାବାବେଗ ସହିତ ଖେଳୁଛନ୍ତି। ଅଦିନିଆ ରଥଯାତ୍ରା ନ କରିବାକୁ ଯେତେଥର କହିଲେ ବି ଜାଣିଶୁଣି ନିଜର ବ୍ୟବସାୟ ପାଇଁ ଦେଶ ବିଦେଶରେ ଏଭଳି ଆୟୋଜନ କରୁଛନ୍ତି। ଏହାଦ୍ୱାରା ଜଗନ୍ନାଥ ସଂସ୍କୃତି କ୍ଷତିଗ୍ରସ୍ତ ହେବା ସହ କୋଟି କୋଟି ଓଡ଼ିଆଙ୍କୁ ଅପମାନ ହେଉଛି। ତେଣୁ ଓଡ଼ିଶାର କୁଳଦେବତାଙ୍କ ରୀତିନୀତିକୁ ଅବମାନନା କରୁଥିବା ଇସ୍କନର ଓଡ଼ିଶାରେ ରହିବାର ଅଧିକାର ନାହିଁ।
– ହେମନ୍ତ ରଥ, ସୁପ୍ରିମୋ, କଳିଙ୍ଗ ସେନା
ଘୋର ନିନ୍ଦା କରୁଛି
ଇସ୍କନର ଏପରି କାର୍ଯ୍ୟକୁ ଘୋର ନନ୍ଦା କରୁଛି। ଏପରି ନିଷ୍ପତ୍ତି ଅଗଣିତ ଜଗନ୍ନାଥ ଭକ୍ତଙ୍କ ମନକୁ ଆଘାତ ଦେଇଛି। ଇସ୍କନ ସାରା ବିଶ୍ୱରେ ଅଦିନରେ ରଥଯାତ୍ରା ଆୟୋଜନ କରୁଛି। ଗଜପତିଙ୍କ ଚିଠିର ପ୍ରତି ଉତ୍ତରରେ ଯେଉଁଭଳି ଇସ୍କନ ଉତ୍ତର ଦେଇଛି ତାହାକୁ ଗ୍ରହଣ କରାଯିବ ନାହିଁ। ଯେଉଁମାନେ ଇସ୍କନ ସଂସ୍ଥା ସହ ଜଡ଼ିତ ସେମାନେ ମହାପ୍ରଭୁଙ୍କ ଭକ୍ତ। ସେମାନେ ଇସ୍କନ ସଂସ୍ଥାଠାରୁ ଓହରି ଆସନ୍ତୁ।
– ସୁଦର୍ଶନ ପଟ୍ଟନାୟକ, ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ
ଇସ୍କନକୁ ତୁରନ୍ତ ବ୍ୟାନ କରାଯାଉ
ଓଡ଼ିଶାର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି। ଏହି ସଂସ୍କୃତିର ଚଳନ୍ତି ପ୍ରତିମା ହେଉଛନ୍ତି ଗଜପତି ମହାରାଜା। ସଂସ୍କୃତିର ରକ୍ଷକ ହିସାବରେ ଗଜପତି ମହାରାଜା ଜଗନ୍ନାଥ ସଂସ୍କୃତିର ନୀତିକାନ୍ତି ଉପରେ ସମସ୍ତ ବିଧିକୁ ମାନି ଚାଲିବା ପାଇଁ ଦେଇଥିବା ପରାମର୍ଶ ସର୍ବମାନ୍ୟ ହେବା ଉଚିତ। ଜଗନ୍ନାଥ ସଂସ୍କୃତିକୁ ଖିଲାପ କରି ସାରା ବିଶ୍ୱରେ ଇସ୍କନ ବାରମ୍ବାର ଅ-ଦିନରେ ରଥଯାତ୍ରା କରି ଜଗନ୍ନାଥ ସଂସ୍କୃତିକୁ ବାରମ୍ବାର ଜଳାଞ୍ଜଳି ଦେଇଆସିଛି। ଗଜପତିଙ୍କ ଅନୁରୋଧକୁ ମଧ୍ୟ ଇସ୍କନ ପ୍ରତ୍ୟାଖ୍ୟାନ କରିବା ନିଶ୍ଚିତ ଭାବରେ ଜଗନ୍ନାଥ ସଂସ୍କୃତି ଉପରେ କୁଠାରାଘାତ। ତେଣୁ ଓଡ଼ିଶା, ଭାରତ ଏବଂ ବିଶ୍ୱରେ ଥିବା ଇସ୍କନ ସଂସ୍ଥାକୁ ବ୍ୟାନ୍‌ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ।
– ପବିତ୍ର ମହାରଥା, ଆବାହକ, ଭାଷା ଆନ୍ଦୋଳନ
ଅତ୍ୟନ୍ତ ନିନ୍ଦନୀୟ
ଅଦିନିଆ ରଥଯାତ୍ରା ବନ୍ଦ ନେଇ ଇସ୍କନକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖି ଅନୁରୋଧ କରିଥିଲେ। ହେଲେ ଇସ୍କନ ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି, ଯାହା ଅତ୍ୟନ୍ତ ନିନ୍ଦନୀୟ। ମହାପ୍ରଭୁଙ୍କୁ ଅନୁସରଣ କରୁଥିବା ଇସ୍କନ ମହାପ୍ରଭୁଙ୍କ ପରମ୍ପରା ନ ମାନିବା ଦୁଃଖଦାୟକ। ଇସ୍କନକୁ ସାରା ଭାରତବର୍ଷରେ ନିଷିଦ୍ଧ କରାଯାଉ। ଇସ୍କନ ଯଦି ଜଗନ୍ନାଥଙ୍କୁ ଏତେ ଭଲ ପାଉଛି ତେବେ ମହାପ୍ରଭୁଙ୍କ ନୀତିକ୍ରାନ୍ତି ଅନୁଯାୟୀ କାହଁିକି ରଥଯାତ୍ରା କରୁନାହାନ୍ତି। ଯଦି ଅଦିନରେ ରଥଯାତ୍ରା କରୁଛନ୍ତି ତେବେ ରଥରେ ଜଗନ୍ନାଥଙ୍କୁ ନ ବସାଇ ତାଙ୍କର ମୁଖ୍ୟଙ୍କୁ ବସାଇ ଦିଅନ୍ତୁ। ଆଉ କେହି ପ୍ରତିବାଦ କରିବେ ନାହିଁ।
– ବିଜୟ ମହାପାତ୍ର, ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା
ମହାପ୍ରଭୁଙ୍କୁ ଅପମାନ କରିବା କାହାର ଅଧିକାର ନାହିଁ
ମହାପ୍ରଭୁଙ୍କ ଘୋଷଯାତ୍ରା ନିର୍ଦ୍ଧାରିତ ତିଥିରେ କରାଯାଏ। ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଅଦିନରେ କରିବା ଏକ ନିନ୍ଦନୀୟ କାର୍ଯ୍ୟ। ଏନେଇ ଗଜପତି ମହାରାଜ ଇସ୍କନ ସଂସ୍ଥାକୁ ବାରମ୍ବାର ଚିଠି ଲେଖି ଅଦିନରେ ରଥଯାତ୍ରା ନ କରିବା ପାଇଁ କହୁଥିଲେ ମଧ୍ୟ ଇସ୍କନ ତାହାକୁ ଅମାନ୍ୟକରି ପ୍ରତ୍ୟାଖ୍ୟାନ କରି ଅଦିନରେ ରଥଯାତ୍ରା କରୁଛି। ମହାପ୍ରଭୁଙ୍କ ଅପମାନ କରିବା କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କ ଅଧିକାର ନାହିଁ। ଗଜପତି ମହାରାଜ ହେଉଛନ୍ତି ପ୍ରଥମ ସେବକ ଯଦି ଇସ୍କନ ଗଜପତି ମହାରାଜଙ୍କ ଚିଠିକୁ ଅବମାନନା କରୁଛି ତେବେ ଇସ୍କନ ବିରୋଧରେ ଗଜପତି ମହାରାଜ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ବାସନ୍ଦ କରନ୍ତୁ।
– କୀର୍ତ୍ତି ପ୍ରକାଶ ଦାସ ମହାପାତ୍ର, ଦଇତାପତି ସେବକ
ଇସ୍କନକୁ ଓଡ଼ିଶାରୁ ବିଦା କରାଯାଉ
ଗଜପତି ମହାରାଜାଙ୍କ ଚିଠିକୁ ପ୍ରତ୍ୟାଖ୍ୟାନ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଓଡ଼ିଶାରୁ ଇସ୍କନକୁ ବିଦାକରିଦେଲେ ତାହା ସାରା ବିଶ୍ୱରେ ପ୍ରଭାବ ପଡ଼ିବ। ଏହାର ପ୍ରଭାବରେ ଇସ୍କନର ମନମାନି ବନ୍ଦହେବ। ବର୍ତ୍ତମାନ ଯଦି ଇସ୍କନକୁ ସାମାଜିକ ଭାବରେ ବିରୋଧ ନ କରିବା ତେବେ ସେମାନଙ୍କ ପାଖରେ ପ୍ରଚୁର ଟଙ୍କା ରହିଛି, ସେମାନେ ମନମାନି କରିବେ। ତେଣୁ ଇସ୍କନକୁ ବାସନ୍ଦ କରିବା ଆବଶ୍ୟକ।
– ହରିଶଙ୍କର ମିଶ୍ର, ଜ୍ୟୋତିର୍ବିଦ୍‌ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।