New bridge collapsed: ଭାଙ୍ଗିଲା ନୂଆ ପୋଲ: ଦଉଡ଼ି ବାନ୍ଧି ନେଲେ ମୃତଦେହ, ଭାସିଯାଉଥିବା ୩ ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ
ବଅଁରପାଳ: ଲଗାଣ ବର୍ଷାରେ ଭାଙ୍ଗିଗଲା ନୂଆ ପୋଲ। ଶବ ସତ୍କାର ପାଇଁ ଉଛୁଳା ପାଣିରେ ଦଉଡ଼ି ବାନ୍ଧି ନାଳ ପାରି ହେଲେ ଗାଁ ଲୋକେ। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ନୂଆହତା ଗାଁ ବାଲିସାହି ଗୋଚ୍ଛାୟତ ବସ୍ତିରୁ ଏହି ଘଟଣା ସାମ୍ନାକୁ ଆସିଛି। ଲଗାଣ ବର୍ଷାରେ ନୂତନ ପୋଲର ଏକ ଅଂଶ ଭାଙ୍ଗି ଯାଇଥିଲା। ଫଳରେ ଗ୍ରାମବାସୀ ଶବସତ୍କାର ପାଇଁ ଜୀବନ ବିପଦରେ ପକାଇ ପ୍ରଖର ସ୍ରୋତ ଅତିକ୍ରମ କରିଥିବା ଜଣାପଡ଼ିଛି।
Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ
ସୂଚନା ଅନୁଯାୟୀ, ବାଲିସାହି ଗୋଚ୍ଛାୟତ ବସ୍ତିର ବାସିନ୍ଦା କାଳିଆ ଗୋଚ୍ଛାୟତ କିଛିଦିନ ଧରି ଅସୁସ୍ଥ ଥିଲେ। ଗୁରୁବାର ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକ ଓ ଗ୍ରାମବାସୀ ମରଶରୀରକୁ ନୂଆହତା ଜାଲଗୁଟିଆ ଶ୍ମଶାନକୁ ନେଉଥିବା ବେଳେ ରାସ୍ତାରେ ଥିବା ଜାଲଗୁଟିଆ ଜୋର ଉପରେ ଥିବା ପୋଲ ଭାଙ୍ଗି ଯାଇଥିଲା। ଶବସତ୍କାର ପାଇଁ ଯାଉଥିବା ଲୋକେ ଅଟକି ଯାଇଥିଲେ। ଅନ୍ୟ କୌଣସି ବିକଳ୍ପ ନଥିବାରୁ ଦୁଇ ପାର୍ଶ୍ୱର ଗଛରେ ଦଉଡ଼ି ବାନ୍ଧି ଗ୍ରାମବାସୀ ପାଣିଠୁ ପ୍ରାୟ ୪ ଫୁଟ୍ ଉଚ୍ଚରେ ମରଶରୀରକୁ କାନ୍ଧରେ ବୋହି ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ଏ ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଦୃଶ୍ୟ ସବୁ ମହଲକୁ ସ୍ତବ୍ଧ କରିଛି।
Odisha: ନିଟ୍ ୟୁଜିରେ ଆଲେନ୍ ଓଡ଼ିଶାର ସଫଳତା
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ପୋଲଟି ମାତ୍ର କିଛି ମାସ ତଳେ ନିର୍ମାଣ କରାଯାଇଥିଲା। କିନ୍ତୁ, ଗତ ଦୁଇଦିନର ଲଗାଣ ବର୍ଷାରେ ପୋଲ ଅବସ୍ଥା ଗୋଟିଏ ପାର୍ଶ୍ବରୁ ଭାଙ୍ଗିଯାଇଛି। ଫଳରେ ବାଲିସାହି ସମେତ ଆଖପାଖ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଶବ ନେବା ସମୟରେ ପ୍ରବଳ ସ୍ରୋତରେ ୩ ଜଣ ଭାସି ଯାଇଥିଲେ। ସୌଭାଗ୍ୟବଶତଃ ସେମାନେ ନିକଟସ୍ଥ ଗଛର ଡାଳକୁ ଧରି ରହିଥିଲେ। ଗ୍ରାମବାସୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ବର୍ଷ ବର୍ଷ ଧରି ଅଞ୍ଚଳର ଯାତାୟାତ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଜଣାଇ ଆସୁଥିଲେ ମଧ୍ୟ ସ୍ଥାୟୀ ସମାଧାନ କରାଯାଇନାହିଁ। ଅଳ୍ପଦିନ ପୂର୍ବରୁ ନିର୍ମିତ ପୋଲ ପ୍ରଥମ ବଡ଼ ବର୍ଷାରେ ହିଁ କ୍ଷତିଗ୍ରସ୍ତ ହୋଇଯିବା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ଘଟଣା ପରେ ତୁରନ୍ତ କ୍ଷତିଗ୍ରସ୍ତ ପୋଲର ପୁନଃନିର୍ମାଣ, ଅସ୍ଥାୟୀ ଯାତାୟାତ ବ୍ୟବସ୍ଥା, ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନ ନିକଟରେ
ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।