Naseeruddin Shah Refuses Lifetime Honour: ଆସିଲା ଅନେକ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ, ସବୁ ଫେରେଇଦେଲେ; କାହିଁକି ଜାଣନ୍ତୁ…
ବଲିଉଡର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହ ନିଜର ଅଭିନୟ ଓ ସ୍ପଷ୍ଟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ସମ୍ପ୍ରତି ତାଙ୍କ ଅଭିନୀତ ଫିଲ୍ମ 'ମେଁ ୱାପସ୍ ଆଉଙ୍ଗା' ସଫଳତା ହାସଲ କରିଥିବା ବେଳେ, ସେ ନିଜ କ୍ୟାରିୟର ଓ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି।
ମୁମ୍ବାଇରେ ଫିଲ୍ମର ୫୦ ଦିନ ପୂରଣ ଅବସରରେ ଆୟୋଜିତ ସଫଳତା ଉତ୍ସବରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନସିରୁଦ୍ଦିନ ଶାହ କହିଛନ୍ତି ଯେ, ସମ୍ପ୍ରତି ତାଙ୍କୁ ଅନେକ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରିବାକୁ ପ୍ରସ୍ତାବ ମିଳିଥିଲା। ହେଲେ ସେ ସବୁ ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ଏହାର କାରଣ ବୁଝାଇ ସେ କହିଛନ୍ତି, "ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡର ଅର୍ଥ ହେଉଛି ଆପଣଙ୍କ କାମ ଶେଷ ହୋଇଯାଇଛି। କିନ୍ତୁ ମୋତେ ଏବେ ବି କାମ କରିବାର ଇଚ୍ଛା ଅଛି। ମୁଁ ଏହି ଆୱାର୍ଡ ନେଇ ଘରେ ବସିବାକୁ ଚାହୁଁନି। ମୋର ଅଭିନୟ ଯାତ୍ରା ଏବେ ବି ଜାରି ରହିଛି।"
ନସିରୁଦ୍ଦିନ ଶାହ ନିକଟରେ ୱେବ୍ ସିରିଜ୍ 'ମେଡ୍ ଇନ୍ ଇଣ୍ଡିଆ'ରେ ଜେଆରଡି ଟାଟାଙ୍କ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ। ସେହିପରି ଇମ୍ତିଆଜ୍ ଅଲିଙ୍କ ନିର୍ଦ୍ଦେଶିତ 'ମେଁ ୱାପସ୍ ଆଉଙ୍ଗା' ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ଓ ସମୀକ୍ଷକ ଉଭୟ ପସନ୍ଦ କରିଛନ୍ତି।
୧୯୭୦ ଦଶକରେ ‘ପ୍ୟାରାଲେଲ୍’ ସିନେମା ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିବା ନସିରୁଦ୍ଦିନ ଶାହ ପରେ 'ହମ୍ ପାଞ୍ଚ', 'କର୍ମା', 'ଜଲୱା' ଓ 'ମାଲାମାଲ' ଭଳି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଥିଲେ। ସେ 'ସ୍ପର୍ଶ', 'ପାର' ଓ 'ଇକବାଲ' ଫିଲ୍ମ ପାଇଁ ଜାତୀୟ ପୁରସ୍କାର ମଧ୍ୟ ଜିତିଛନ୍ତି।
ବର୍ତ୍ତମାନ ମଧ୍ୟ ଅଭିନୟ ପ୍ରତି ସମାନ ଉତ୍ସାହ ଥିବା କହି ନସିରୁଦ୍ଦିନ ଶାହ ସ୍ପଷ୍ଟ କରିଛନ୍ତି ଯେ, ସେ ଏବେ ଅବସର ନେବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ନୂଆ ପ୍ରକଳ୍ପରେ କାମ ଜାରି ରଖିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।