Nabarangpur Shutdown: ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ଡାକରା, ବିଭିନ୍ନ ଛକରେ ରାସ୍ତା ଅବରୋଧ

Jul 01, 2026 - 10:48
Nabarangpur Shutdown: ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ଡାକରା, ବିଭିନ୍ନ ଛକରେ ରାସ୍ତା ଅବରୋଧ

୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ତ୍ରୁଟି ପ୍ରତିବାଦରେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନବରଙ୍ଗପୁର ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ। ବର୍ଷା ଯୋଗୁଁ ଘଣ୍ଟାଏ ବିଳମ୍ବରେ ବନ୍ଦ ପାଳନ ଆରମ୍ଭ ହୋଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। 

ନବରଙ୍ଗପୁର ସହରର ମାଝୀଗୁଡା ଛକ ଓ ଚାଉଁରିଆଗୁଡା ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ବନ୍ଦ ସମୟରେ କ୍ଷୀର ଦୋକାନ, ମେଡିକାଲ ଷ୍ଟୋର, ଆମ୍ବୁଲାନ୍ସ ସେବା, ପେଟ୍ରୋଲ ପମ୍ପ ଭଳି ଜରୁରୀକାଳୀନ ସେବାକୁ ବନ୍ଦରୁ ମୁକ୍ତ ରଖାଯାଇଛି। 

ତେବେ, ଚାମ୍ବର ଅଫ କମର୍ସ ଏହି ବନ୍ଦକୁ ସମର୍ଥନ କରୁନଥିବା କହିଥିବାରୁ, ସକାଳ ୧୦ ଘଣ୍ଟିକା ପରେ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱାଭାବିକ ଭାବେ ଖୋଲିବ ନା ବନ୍ଦ ରହିବ, ତା'ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ଏନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।