Mystery Deepens As Police Officer Death: କାହିଁକି ଜୀବନ ହାରିଲେ ଚାଉଳିଆଗଞ୍ଜ IIC ? ତଦନ୍ତ ଦାବି କଲେ ପରିବାର

ଦିନେ ସାତ ସିଂହର ବଳ ଧରି ଜନତାଙ୍କ ସୁରକ୍ଷା ପାଇଁ ସାମ୍ନା କରୁଥିଲେ ବିପଦକୁ...ଜନସଂପର୍କକୁ ଆଧାର କରି କେମିତି ପୋଲିସିଂ ବ୍ୟବସ୍ଥା ମଜଭୁତ ହେବ, ବାର୍ତ୍ତା ଦେଉଥିଲେ ଖୋଲା ମଞ୍ଚରେ।ସମାଜର କେମିତି ସୁରକ୍ଷା ହୋଇପାରିବ, ଲୋକଙ୍କ ସାମ୍ନାକୁ ଆସି ଆହ୍ବାନ ଦେଉଥିଲେ। ହେଲେ ଆଜି ନୀରବ, ନିଶ୍ଚଳ, ନିସ୍ତବ୍ଧ। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ନିଜକୁ ନିଜେ ଅସ୍ତ୍ର କରିଥିବା ଥାନା ଅଧିକାରିଣୀ ବ୍ୟୁଟି ମହାନ୍ତି ଆଜିଠୁ ଅତୀତ। ଅପରାଧୀଙ୍କୁ ନା ଆଉ ସାବାଡ୍ କରିବେ, ନା ଆଉ ଜନତାଙ୍କ ସୁରକ୍ଷା କବଚ ସାଜିବେ। କାରଣ ଅତି ରହସ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି କଟକ ଚାଉଳିଆଗଞ୍ଜ ଥାନାର IIC ବ୍ୟୁଟି ମହାନ୍ତି। ଥାନାରେ ଥିବା ରେଷ୍ଟରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାପରଠୁ ଟ୍ବିନସିଟିରେ ହଲଚଲ୍, କମିଶନରେଟ୍ ପୋଲିସରେ କମ୍ପନ। ଲୁହ ଆଉ କୋହରେ ଭାଙ୍ଗିପଡ଼ିଛନ୍ତି ସହକର୍ମୀ। ଟପ୍ ଅଫିସରଙ୍କ ସହ ନେତା, ଜନତାଙ୍କ ଗହଳି ଜମିଥିଲା ଏସସିବି ମେଡ଼ିକାଲରେ। ହେଲେ କାହିଁକି ଘଟିଗଲା ଏତେବଡ଼ ଅଘଟଣ କେହି କିଛି ଜାଣିପାରୁନାହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଲାଲବାଗ ଥାନା କ୍ୟାମ୍ପସ କ୍ବାଟର୍ସରେ ନିଜ ୯ ବର୍ଷିୟ ପୁଅ ସହ ରହୁଥିଲେ ବ୍ୟୁଟି। ସ୍ବାମୀ ମୁମ୍ବାଇରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ଯେହେତୁ ପୁଅ ଏକୁଟିଆ, ତେଣୁ କେବେ ବି ଚାଉଳିଆଗଞ୍ଜ ଥାନା ରେଷ୍ଟରୁମରେ ରହୁନଥିଲେ ବ୍ୟୁଟି। କିନ୍ତୁ ଗତକାଲି ସବୁଦିନ ଭଳି ଡ୍ୟୁଟିକୁ ଆସିଥିଲେ। ଆଉ ରାତିରେ ରହିଥିଲେ ରେଷ୍ଟରୁମରେ। ଆଜି ସମୟ ସକାଳ ପ୍ରାୟ ୮ଟା। ଚାଉଳିଆଗଞ୍ଜ ଥାନାର ଜଣେ କର୍ମଚାରୀ ବ୍ୟୁଟିଙ୍କୁ କଲ୍ କରିଥିଲେ, କିନ୍ତୁ ଫୋନ ଉଠାଇନଥିଲେ ବ୍ୟୁଟି। ବାରମ୍ବାର କଲ୍ ସତ୍ତ୍ବେ ଫୋନ ନଉଠାଇବାରୁ ଅନ୍ୟ ଅଧିକାରୀଙ୍କୁ ଜଣାଇବା ପରେ ଜଣେ କନେଷ୍ଟବଳ IICଙ୍କ ରେଷ୍ଟ ରୁମକୁ ଯାଇ ଡାକିଥିଲେ। କିନ୍ତୁ ଡୋର୍ ନଖୋଲିବାରୁ ସନ୍ଦେହ ହେବା ପରେ ଏସିପି ଏବଂ ଆଡିସନାଲ ଡିସିପିଙ୍କୁ ଖବର ଦେଇଥିଲେ। ଶେଷରେ କବାଟ ଭାଙ୍ଗି ଦେଖିଲାବେଳକୁ ଝୁଲନ୍ତା ଅବସ୍ଥାରେ ଥିଲେ ବ୍ୟୁଟି ମହାନ୍ତି। ତାଙ୍କୁ ଉଦ୍ଧାର କରି SCB ନିଆଯାଇଥିଲେ ବି ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର।
୨୦୧୦ରେ ପୋଲିସ ବିଭାଗରେ ଚାକିରି ଆରମ୍ଭ କରିଥିବା ବ୍ୟୁଟି ମହାନ୍ତି, ପ୍ରଥମେ ଗଞ୍ଜାମ ଓ ପରେ କଟକ କମିଶନରେଟ ପୋଲିସକୁ ଆସିଥିଲେ। ଏହାପରେ ମର୍କତନଗର ଥାନା, କଟକ ମହିଳା ଥାନା, ପାହାଳ ଥାନା ସହ କଟକ ଚାଉଳିଆଗଞ୍ଜରେ IIC ଭାବେ ଦାୟିତ୍ବଗ୍ରହଣ କରିଥିଲେ। ତେବେ ଏଭଳି ମୃତ୍ୟୁର କାରଣ କ’ଣ ? ଯଦି ସେ ଜୀବନ ହାରିଛନ୍ତି, କାହିଁକି ? କର୍ମକ୍ଷେତ୍ରରେ କୌଣସି ବିବାଦରୁ ନା ପାରିବାରିକ ସମସ୍ୟା ? କେଉଁ ଚାପରେ ପଡ଼ି ଚରମ ନିଷ୍ପତ୍ତି ନେଲେ ଏହି ସାହସୀ ଲେଡି IIC ? ପୋଲିସ କମିଶନରଙ୍କ କହିବା କଥା, କୌଣସି ବ୍ୟକ୍ତିଗତ କାରଣରୁ ଏହି ଘଟଣା ଘଟିଥାଇପାରେ। ଏହାର ତଦନ୍ତ କରାଯାଉଛି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ କହିଛନ୍ତି, ପୋଲିସ ତଦନ୍ତ କରୁଛି। ତାଙ୍କ ମୃତ୍ୟୁ ପଛରେ ଯିଏ ବି ଦାୟୀ, ଛଡ଼ାଯିବ ନାହିଁ।
ଖାକି ବର୍ଦ୍ଦିରେ ଥାଇ କେତେ ଯେ ପାରିବାରିକ କନ୍ଦଳର ସମାଧାନ କରିଥିବେ ଲେଡି IIC, ତାର କଳନା ନାହିଁ। କିନ୍ତୁ, ତାଙ୍କ ଜୀବନରେ ଏମିତି କେଉଁ ସମସ୍ୟା ଆସିଲା ଯେ, ସମାଧାନ କରିପାରିଲେନି, ସେନେଇ ବଢ଼ିଛି ନାନା ଚର୍ଚ୍ଚା।