Murder over a cup of tea: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ; ୧୦ ଟଙ୍କାର ଚା' ପାଇଁ ଦୋକାନୀ ହାତରେ ଗଲା ଗ୍ରାହକଙ୍କ ଜୀବନ
୧୦ ଟଙ୍କିଆ ଚା ପାଇଁ ମର୍ଡର। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସାମାନ୍ୟ ୧୦ ଟଙ୍କା ଗୋଟେ ଜୀବନଠାରୁ ବି ଅଧିକ। ଜଣେ ପାନ ଦୋକାନୀ ଚା ପିଇବାକୁ ଆସିଥିବା ଗ୍ରାହକ ଉପରେ ମରଣାନ୍ତକ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
ମୃତକ ଜଣକ ହେଲେ ମନୋଜ ବିଶ୍ୱନାଥ ଯାଦବ। ସେ ଡେକୋରେସନ୍ ସାମଗ୍ରୀ ପରିବହନ କରୁଥିବା ଏକ ଗାଡ଼ିର ଡ୍ରାଇଭର ଥିଲେ। ମନୋଜ ଓ ଅଭିଯୁକ୍ତ କୈଳାଶ ଗଣଭୀରଙ୍କ ମଧ୍ୟରେ ୧୦ ଟଙ୍କାର ଚା' ବିଲ୍ ପୈଠକୁ ନେଇ ବଚସା ହୋଇଥିଲା। ମାତ୍ର କିଛି ମିନିଟ୍ ମଧ୍ୟରେ ଏହି ବିବାଦ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଦେଖୁ ଦେଖୁ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଏକ ଛୁରୀ ବାହାର କରି ମନୋଜଙ୍କ ବେକରେ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ହୋଇ ମନୋଜଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଏହି ଘବର ସମ୍ପର୍କରେ ସୂଚନା ପାଇବା ପରେ କପିଳ ନଗର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆଖପାଖର ଲୋକଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ହିଁ ଗିରଫ କରାଯାଇଛି।
ଘଟଣା ପଛରେ କେବଳ ୧୦ ଟଙ୍କାର ବିବାଦ ଥିଲା ନା ଏହା ପଛରେ କୌଣସି ପୁରୁଣା ଶତ୍ରୁତା ରହିଥିଲା, ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି। ସାମାନ୍ୟ ବିବାଦ କିପରି ହିଂସାତ୍ମକ ରୂପ ନେଉଛି, ତାହା ଏବେ ଚିନ୍ତା ବଢ଼ାଇ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।