Monsoon Hair Care: ବର୍ଷା ଋତୁରେ କିପରି ନେବେ କେଶର ଯତ୍ନ? ଜାଣନ୍ତୁ ୫ଟି ଟିପ୍ସ

Jun 26, 2026 - 17:40
Monsoon Hair Care: ବର୍ଷା ଋତୁରେ କିପରି ନେବେ କେଶର ଯତ୍ନ? ଜାଣନ୍ତୁ ୫ଟି ଟିପ୍ସ

ବର୍ଷା ଦିନରେ କେଶ ସମସ୍ୟା ଏକ ସାଧାରଣ ସମସ୍ୟା। ଯାହା ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷଙ୍କ ମଧ୍ୟରେ ଦେଖାଯାଏ। ତେଣୁ କେଶକୁ ସୁରକ୍ଷିତ ରଖିବା ପାଇଁ ସଠିକ ଅଭ୍ୟାସ ଅନୁସରଣ କରିବା ଅତ୍ୟନ୍ତ ଜରୁରୀ। ଯାହା ଫଳରେ କେଶ ସୁସ୍ଥ ରୁହେ। 

ବର୍ଷା ଋତୁରେ ଅଧିକ ଆର୍ଦ୍ରତା, ଧୂଳି ଓ ଝାଳ କାରଣରୁ କେଶର ବହୁତ କ୍ଷତି ହୋଇଯାଏ। ଏହି ଋତୁରେ କେଶ ଶୁଷ୍କ, ଚିପ୍‌ଚିପା ଏବଂ ଦୁର୍ବଳ ହୋଇଯାଏ। ଏଥିପାଇଁ ଚୁଟି ପ୍ରଚୁର ମାତ୍ରାରେ ଉପୁଡିବା ସହ ଋପି ଏବଂ ସଂକ୍ରମଣ ମଧ୍ୟ ବଢ଼ିଥାଏ। ଏହା ଫଳରେ କେଶ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇଥାଏ।

ତେଣୁ ବର୍ଷା ଋତୁରେ କେଶକୁ ଅତିରିକ୍ତ ଯତ୍ନ ଦରକାର ହୁଏ। ଯଦି ଆପଣ ଠିକ୍ ଭାବରେ କେଶର ଯତ୍ନ ନେବେ, ତେବେ କେଶ ସୁସ୍ଥ ରହିପାରିବ। କେଶକୁ ପୋଷଣ ମିଳିବ ଏବଂ ଚୁଟି ଝଡା ମଧ୍ୟ ନିୟନ୍ତ୍ରଣ ହେବ। ଆସନ୍ତୁ ଜାଣିବା ବର୍ଷା ଋତୁରେ କେଶର ଯତ୍ନ କିପରି କରିବେ।

୧-କେଶ ମୂଳକୁ ସଫା ରଖନ୍ତୁ

ବର୍ଷା ଋତୁରେ କେଶ ମୂଳକୁ ଠିକ୍ ଭାବରେ ସଫା କରିବା ଅତ୍ୟନ୍ତ ଜରୁରୀ। କାରଣ ଏହି ସମୟରେ ଆର୍ଦ୍ରତା ଅଧିକ ଥିବାରୁ କେଶ ମୂଳରେ ଧୂଳି ଓ ମଇଳା ସହଜରେ ଜମିଯାଏ। ଯାହାଦ୍ୱାରା ସଂକ୍ରମଣ ଏବଂ ଋପି ହେବାର ସମ୍ଭାବନା ରହେ। ତେଣୁ ସପ୍ତାହକୁ ଥରେ କିମ୍ବା ଦୁଇଥର ମୁଣ୍ଡ ସଫା କରିବା ଉଚିତ। ଗରମ ପାଣିରେ ସଫା ନ କରି ଥଣ୍ଡା ପାଣି ବ୍ୟବହାର କରିବା ଫଳରେ କେଶ ଉପୁଡିବା କମ୍ ହୋଇଥାଏ।

୨-କେଶକୁ ଶୁଖାଇ ରଖନ୍ତୁ

ବର୍ଷା ଋତୁରେ ଓଦା କେଶ ସହିତ ବାହାରକୁ ଯାଆନ୍ତୁ ନାହିଁ। ଓଦା କେଶରେ ଧୂଳି ଓ ମାଟି ସହଜରେ ଲଗିଯାଏ, ଯାହାରୁ କେଶ ଶୀଘ୍ର ମଇଳା ହୋଇଯାଏ। ତେଣୁ ବର୍ଷା ଋତୁରେ କେଶ ଧୋଇବା ପରେ ଭଲ ଭାବେ ଶୁଖାଇବା ଉଚିତ। କେଶ ଶୁଖାଇବା ପାଇଁ କପଡା ବ୍ୟବହାର କରନ୍ତୁ। ହେୟାର ଡ୍ରାୟର୍ ବ୍ୟବହାରକୁ ଏଡାନ୍ତୁ। କାରଣ ଏହା ଚୁଟିକୁ ବେଶୀ ନଷ୍ଟ କରିଦିଏ।

୩-ତେଲର ବ୍ୟବହାର କମ୍ କରନ୍ତୁ

ବର୍ଷା ଋତୁରେ ଅଧିକ ଆର୍ଦ୍ରତା ଥିବାରୁ କେଶରେ ଆଗରୁ ମଧ୍ୟ ଆର୍ଦ୍ରତା ରହେ। ଏହି ଋତୁରେ ତେଲ ନ ଲଗାଇଲେ ମଧ୍ୟ କେଶ ଚିପ୍‌ଚିପା ହୋଇଯାଏ। ସେଥିପାଇଁ ବର୍ଷା ଋତୁରେ କେଶରେ ଅଧିକ ତେଲ ଲଗାଇବା ଉଚିତ୍‌ ନୁହେଁ। ଆପଣ ସପ୍ତାହକୁ ଗୋଟିଏ ଥର ତେଲ ଲଗାଇପାରନ୍ତି। କେଶରେ ତେଲ ଲଗାଇବା କେଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ। କିନ୍ତୁ ଆର୍ଦ୍ର ପାଣିପାଗରେ ଅତ୍ୟଧିକ ତେଲ ବ୍ୟବହାର କଲେ କେଶ ମୂଳ ତେଲିଆ ହୋଇଯାଏ। 

୪-ସୁସ୍ଥ ଆହାର ଗ୍ରହଣ କରନ୍ତୁ

ବର୍ଷା ଋତୁରେ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ସୁସ୍ଥ ଆହାର ଗ୍ରହଣ କରିବା ଆବଶ୍ୟକ। ସୁସ୍ଥ ଆହାର କେଶର ସ୍ୱାସ୍ଥ୍ୟକୁ ମଧ୍ୟ ଉନ୍ନତ କରେ। କେଶକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍, ଭିଟାମିନ୍ ଓ ମିନେରାଲ୍ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହା ଦ୍ୱାରା କେଶ ମଜବୁତ ହୋଇଥାଏ ଏବଂ ଚୁଟି ଝଡା ମଧ୍ୟ ନିୟନ୍ତ୍ରଣ ହୋଇଥାଏ। ସବୁଜ ପନିପରିବା, ଗରମ ଖାଦ୍ୟ ଓ ତଟକା ମାଛ ମାଂସ ଖାଆନ୍ତୁ।

୫-ଡିପ୍ କଣ୍ଡିସନିଂ କରନ୍ତୁ

ବର୍ଷା ଋତୁରେ କେଶରେ ଆର୍ଦ୍ରତା ରହିଥାଏ। ସେହିସହିତ କେଶ ଓ କେଶ ମୂଳରେ ଧୂଳି-ମଇଳା ଜମିଯାଏ। ତେଣୁ ଏହି ଋତୁରେ କେଶର ଡିପ୍ କଣ୍ଡିସନିଂ କରିବା ଉଚିତ। ଏଥିପାଇଁ ଆପଣ ହାଇଡ୍ରେଟିଂ ହେୟାର ମାସ୍କ ବ୍ୟବହାର କରିପାରନ୍ତି। ଏହାରୁ ଶୁଷ୍କ, ଜୀବନହୀନ ଏବଂ ଫ୍ରିଜି କେଶରୁ ମୁକ୍ତି ମିଳେ ଏବଂ କେଶ ନରମ ହୋଇଥାଏ।