Mob Assault in Banpur Ends in Tragedy: ବାଣପୁରରେ ବାଲିଅନ୍ତା ରିପିଟ୍; ଚୋର ସନ୍ଦେହରେ ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିପିଟି ଦରମରା କଲେ

Jun 30, 2026 - 20:01
Mob Assault in Banpur Ends in Tragedy:  ବାଣପୁରରେ ବାଲିଅନ୍ତା ରିପିଟ୍; ଚୋର ସନ୍ଦେହରେ ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିପିଟି ଦରମରା କଲେ

ବାଲିଅନ୍ତା ପରେ ବାଣପୁର। ଆଉ ଗୋଟିଏ ବର୍ବରତା। ଚୋର ସନ୍ଦେହରେ ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିପିଟି ଦରମରା କରିଦେଲେ ଲୋକେ। ପୋଲିସ ବି ସାଜିଲା ବଇରୀ। ଡାକ୍ତରଖାନା ନନେଇ ଥାନା ଭିତରେ ଘଣ୍ଟା ଘଣ୍ଟା ଅଟକ ରଖିଲା। ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ଶେଷରେ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବି, ସେତେବେଳକୁ ଦେହରେ ଆଉ ଜୀବନ ନଥିଲା। ବାଣପୁରର ବୀଭତ୍ସ ଘଟଣାକୁ ନେଇ ସାରା ରାଜ୍ୟରେ ଖେଳିଯାଇଛି ଚାଞ୍ଚଲ୍ୟ। ପୋଲିସ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ।

ଲାଇନ୍ ଖୁଣ୍ଟରେ ବାନ୍ଧିଲେ, ମନଇଚ୍ଛା ପିଟିଲେ। କିଏ ମୁଥ ମାରୁଥିଲା ଆଉ କିଏ ଗୋଇଠା। ମାରିମାରି ଦରମରା କରିଦେଲେ। ଶେଷରେ ଚାଲିଗଲା ଜୀବନ। ପୁଣି ସେହି ଭିଡ଼ ବର୍ବରତା, ପୁଣି ସେଇ ମାନବିକତାର ହତ୍ୟା। ବାଣପୁରରେ ରିପିଟ୍ ହେଲା ବାଲିଅନ୍ତା କଳଙ୍କିତ କାରନାମା। ଆକ୍ରମଣର ଦୃଶ୍ୟ ଏତେ ଭୟାନକ ଯେ, ସ୍ପଷ୍ଟ ଭାବେ ଦେଖାଇବା ସମ୍ଭବ ନୁହେଁ। 

ଗତ ୨୮ ତାରିଖର ଘଟଣାକୁ ନେଇ ପୁଣିଥରେ ଲଜ୍ଜିତ ହୋଇଛି ମଣିଷପଣିଆ। ମୃତକ ବାଘୁଆପଦର ସାହିର ତୋଫାନ ନାୟକ। ଅଭିଯୋଗ ଅନୁସାରେ, ଚୋର ସନ୍ଦେହରେ ତୋଫାନଙ୍କୁ କାବୁ କରିଥିଲେ ଖଣତ ଗାଁର ଲୋକେ। କାନଧରି ଉଠୁବସ୍ କରାଇଥିଲେ, ମନବୁଝିଲାନି ଯେ, ଶେଷରେ ଗାଈଗୋରୁଙ୍କୁ ପିଟିଲା ଭଳି ମାରିଚାଲିଲେ। ବଞ୍ଚାଇବାକୁ ନେହୁରା ହେଉଥିଲେ ତୋଫାନ, ହେଲେ ନିଷ୍ଠୁର ହୋଇପଡ଼ିଥିଲେ ଭିଡ଼ ଭିତରର ମଣିଷ। ମାରି ମାରି ମନ ଭରିବା ପରେ ପୋଲିସର ଜିମା ଦେଇଥିଲେ। 

ଆହୁରି ସଂଗୀନ ଅଭିଯୋଗ ହେଲା, ଗୁରୁତର ତୋଫାନଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ୩ ଘଣ୍ଟା କାଳ ଅଟକ ରଖି ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଥିଲା ପୋଲିସ୍। ପରେ ପରିବାର ଲୋକ ତାଙ୍କୁ କ୍ୟାପିଟାଲ୍ ହସପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ତୋଫାନଙ୍କର ମୃତ୍ୟୁ ହୋଇସାରିଥିଲା। 

ପ୍ରଶ୍ନ ଉଠୁଛି, ଗୁରୁତର ତୋଫାନଙ୍କୁ କାହିଁକି ତୁରନ୍ତ ହସପିଟାଲ ନେଇନଥିଲା ପୋଲିସ୍ ? ଉଦ୍ଧାର ପରେ ପ୍ରଥମେ ଚିକିତ୍ସା ନା ଅଟକ ? ଲୋକ ମାରିମାରି ଦରମରା କରିଥିଲେ, ପୋଲିସର ବି ମଣିଷପଣିଆ ମରିଯାଇଥିଲା କି? ପୋଲିସର ଅବହେଳା ପାଇଁ ଚାଲିଗଲାନି ତ ତୋଫାନଙ୍କ ଜୀବନ? ସେପଟେ ଥାନା ଭିତରେ ବି ତୋଫାନଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଉଠିଛି। ଯାହାକୁ ଖଣ୍ଡନ କରିଛନ୍ତି ବାଣପୁର ଥାନା ଅଧିକାରୀ। କହିଛନ୍ତି, ହସ୍ପିଟାଲ ନେବାକୁ କହିଥିଲେ ବି ତୋଫାନ ମନା କରିଥିଲେ। ତେଣୁ ପରିବାର ଲୋକଙ୍କୁ ଡାକି ଜିମା ଦିଆଯାଇଥିଲା। ଏତଲା ଅନୁସାରେ ଭିଡ଼ ହିଂସା ମାମଲା ରୁଜୁ ହେବା ସହିତ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଚାଲିଛି।

କିଛିଦିନ ତଳେ ରାୟଗଡ଼ା କଲ୍ୟାଣସିଂହପୁରରେ ପିଲା ଚୋର ସନ୍ଦେହରେ ରାଜ୍ୟ ବାହାରର ଯୁବକ ଯୁବତୀଙ୍କୁ ଗଣ ନିର୍ଯାତନା ଦେଇଥିଲେ ଲୋକେ। ଏଠି ବି ସେଇ ଚୋର ସନ୍ଦେହରେ ପିଶାଚ ପାଲଟିଗଲା ମଣିଷ। ସେପଟେ ବାଲିଅନ୍ତା ସୌମ୍ୟ ହତ୍ୟା ବେଳେ ମୁକ ସାଜିଥିବା ପୋଲିସ କିଛି ଶିଖିଲାନି। ହୁଏତ ତୋଫାନଙ୍କୁ ଥାନାକୁ ନନେଇ ଡାକ୍ତରଖାନା ନେଇଥିଲେ ଆଜି ସିଏ ବଞ୍ଚି ଯାଇଥାନ୍ତେ। ପ୍ରଶ୍ନ ଉଠୁଛି, ମଣିଷ କାହିଁକି ବାରମ୍ବାର ହରାଇ ବସୁଛି ହିତାହିତ ଜ୍ଞାନ ? ଆଇନ ଥାଇ ବି କଣପାଇଁ ପୋଲିସ୍ ଦେଇପାରୁନି ସୁରକ୍ଷା ?