Mid-Air Smoke Alert: ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନର ରାଜକୋଟରେ ଜରୁରୀ ଅବତରଣ, ସମସ୍ତ ୧୯୪ ଯାତ୍ରୀ ସୁରକ୍ଷିତ

Jul 27, 2026 - 17:53
Mid-Air Smoke Alert: ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନର ରାଜକୋଟରେ ଜରୁରୀ ଅବତରଣ, ସମସ୍ତ ୧୯୪ ଯାତ୍ରୀ ସୁରକ୍ଷିତ

ଦୁବାଇରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନ ମଙ୍ଗଳବାର ଗୁଜରାଟର ରାଜକୋଟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନର କାର୍ଗୋ ହୋଲ୍ଡ (ସାମଗ୍ରୀ ରଖାଯାଉଥିବା ଅଂଶ)ରୁ ଧୂଆଁ ବାହାରୁଥିବା ସନ୍ଦେହ ହେବା ପରେ ପାଇଲଟ୍ ତୁରନ୍ତ ରାଜକୋଟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ।

ସୂଚନା ମିଳିବା ପରେ ରାଜକୋଟ ବିମାନବନ୍ଦରରେ ‘ଫୁଲ୍ ଏମର୍ଜେନ୍ସି’ ଘୋଷଣା କରାଯାଇଥିଲା। ସମସ୍ତ ଜରୁରୀ ସେବା ଓ ଉଦ୍ଧାରକାରୀ ଟିମ୍‌କୁ ପ୍ରସ୍ତୁତ ରଖାଯାଇଥିଲା।

ଇଣ୍ଡିଗୋର ବିମାନ 6E 1452ରେ ମୋଟ ୧୯୪ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ବିମାନଟି ସୁରକ୍ଷିତ ଭାବେ ରାଜକୋଟ ବିମାନବନ୍ଦରରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା। ଘଟଣାରେ କୌଣସି ଯାତ୍ରୀ କିମ୍ବା ବିମାନ କର୍ମଚାରୀ ଆହତ ହୋଇନଥିବା ସୂଚନା ମିଳିଛି।

ରାଜକୋଟ ବିମାନବନ୍ଦରର ନିର୍ଦ୍ଦେଶକ ଦିଗନ୍ତ ବୋରା କହିଛନ୍ତି, “ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋର ଏକ ବିମାନର କାର୍ଗୋ ହୋଲ୍ଡରେ ଧୂଆଁ ଦେଖାଯିବା ପରେ ଏହାର ଜରୁରୀ ଅବତରଣ କରାଯାଇଥିଲା। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।”

ବିମାନର କାର୍ଗୋ ହୋଲ୍ଡରେ ଧୂଆଁ ସୃଷ୍ଟି ହେବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ଶେଷ ହେବା ପରେ ଧୂଆଁର ଉତ୍ସ ଓ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବିମାନବନ୍ଦର ସୂତ୍ରରୁ ସୂଚନା ମିଳିଛି।

ଇଣ୍ଡିଗୋ ଦେଶର ୮୦ରୁ ଅଧିକ ଘରୋଇ ଏବଂ ୩୦ରୁ ଅଧିକ ଆନ୍ତର୍ଜାତିକ ଗନ୍ତବ୍ୟକୁ ବିମାନ ସେବା ପ୍ରଦାନ କରୁଛି। କମ୍ପାନୀ ଏୟାରବସ୍ A320 ଓ A321 ସିରିଜ୍ ସହ ATR 72-600 ଟର୍ବୋପ୍ରପ୍ ବିମାନ ପରିଚାଳନା କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।