Mahabharat Story-165: ବ୍ୟାସ ଦେବଙ୍କ ଆଶ୍ୱାସନା ଓ ମୃତ୍ୟୁର ପରିଚୟ
Mahabharat Story | ଦ୍ରୋଣଙ୍କ ଚକ୍ରବ୍ୟୁହ ଭିତରେ ଅଭିମନ୍ୟୁଙ୍କୁ ମିଳିମିଶି କୌରବ ମହାରଥିମାନେ ଅନ୍ୟାୟ ଯୁଦ୍ଧରେ ହତ୍ୟା କଲେ । ଅଭିମନ୍ୟୁଙ୍କ ମରଣ ପରେ ପାଣ୍ଡବ ସେନାମାନେ ଭୟରେ ଯୁଦ୍ଧଭୁମି ଛାଡ଼ି ପଳାୟନ କରିବାକୁ ଲାଗିଲେ। ଦୁଃଖ ଓ ଶୋକରେ ମ୍ରିୟମାଣ ଯୁଧିଷ୍ଠିର ସେମାନଙ୍କୁ କହିଲେ ଅଭିମନ୍ୟୁଙ୍କର ସ୍ୱର୍ଗପ୍ରାପ୍ତି ହେଇଛି । ତୁମେ କେହି ଭୟ କରନାହିଁ । ଖୁବଶୀଘ୍ର ଆମେ ଅଭିମନ୍ୟୁଙ୍କ ମରଣର ପ୍ରତିଶୋଧ ନେବା ଓ ଯୁଦ୍ଧ ନିଶ୍ଚୟ ଜୟ କରିବା ।
ସେଦିନର ସଞ୍ଜ ନଇଁ ଆସିଲା । ଅନ୍ଧାର ଘୋଟି ଆସିବାରୁ ସାରା ଦିନ ଯୁଦ୍ଧରେ ମରି ପଡ଼ିଥିବା ମୃତ ଶରୀରମାନଙ୍କୁ ବଣୁଆ ଜନ୍ତୁମାନେ ଆନନ୍ଦରେ ଖାଇବାକୁ ଲାଗିଲେ । କ୍ଲାନ୍ତ ଓ ଆହତ ସୈନ୍ୟମାନେ ନିଜ ନିଜ ଶିବିରକୁ ଫେରିଗଲେ । ପାଣ୍ଡବ ଶିବିରରେ ଦୁଃଖ ଓ ଶୋକାକୁଳ ପରିବେଶ । ଯୁଧିଷ୍ଠିରଙ୍କ ଚାରିପାଖରେ ପାଣ୍ଡବ ବୀରମାନେ ନୀରବରେ ବସି ରହିଥା'ନ୍ତି । ବ୍ୟୁହ ଭିତରକୁ ଅଭିମନ୍ୟୁଙ୍କୁ ଏକାକୀ ଯୁଦ୍ଧ ପାଇଁ ପଠେଇଥିବାରୁ ଯୁଧିଷ୍ଠିରଙ୍କର ଅନୁଶୋଚନାର ଶେଷ ନଥାଏ । ଅଭିମନ୍ୟୁଙ୍କ ମୃତ୍ୟୁରେ ନିଜକୁ ଦାୟୀ କରି ଯୁଧିଷ୍ଠିର ଅତ୍ୟନ୍ତ ଦୁଃଖରେ କାନ୍ଦିବାକୁ ଆରମ୍ଭ କଲେ ।
ଯୁଧିଷ୍ଠିର କହୁଥା'ନ୍ତି, 'ହାୟ, ମୁଁ କେମିତି ଏ ଦାରୁଣ ଖବର ଅର୍ଜୁନ ଓ ସୁଭଦ୍ରାଙ୍କୁ ଦେବି? ଆଉ ସୁଭଦ୍ରା ତା'ର ପୁଅର ମୁହଁ କେବେ ବି ଦେଖିବାକୁ ପାଇବନି । କୃଷ୍ଣଙ୍କୁ ବି କ'ଣ କୁହାଯିବ? କେମିତି ତାଙ୍କୁ ଏ ଛାତି ଫଟା ଖବର ଦିଆଯିବ? ମଣିଷ ଲୋଭରେ ମୋହରେ ପଡ଼ି ଏମିତି ଭୁଲ୍ କରେ । ଲୋଭାତୁର ନିର୍ବୋଧ ମଣିଷ ଉଚ୍ଚା ସ୍ଥାନରେ ଥିବା ମହୁଫେଣାକୁ ଭାଙ୍ଗିବାକୁ ଗଲାବେଳେ ଯେମିତି ପଡ଼ିଯିବା କଥା ସମ୍ପୂର୍ଣ୍ଣ ଭୁଲିଯାଏ ମୁଁ ସେମିତି ସବୁକିଛି ଭୁଲିଗଲି । ଲୋଭରେ ପଡ଼ି ଷୋହଳ ବର୍ଷର ପିଲାକୁ ଶତୃମାନଙ୍କ ବ୍ୟୁହ ଭିତରକୁ ମରିବାକୁ ଠେଲିଦେଲି ।’
ଯୁଧିଷ୍ଠିର ଅତ୍ୟନ୍ତ ବ୍ୟକୁଳ ହୋଇ ଅଭିମନ୍ୟୁଙ୍କ ଗୁଣ ସବୁ ମନେ ପକାଇ ବାହୁନି ବାହୁନି କାନ୍ଦୁଥା'ନ୍ତି । ତା' ସାଙ୍ଗରେ ସେ ଅନ୍ୟମାନଙ୍କୁ ପଚାରୁଥା'ନ୍ତି ସତରେ କ'ଣ ଅଭିମନ୍ୟୁ ଆଉ ଆମମାନଙ୍କ ପାଖକୁ ଫେରିବ ନାହିଁ?
ଯୁଧିଷ୍ଠିରଙ୍କ ଶୋକ ଓ ଅଭିମନ୍ୟୁଙ୍କ ମୃତ୍ୟୁ ଖବର ପାଇ ବ୍ୟାସଦେବ ଆସି ପାଣ୍ଡବ ଶିବିରରେ ପହଞ୍ଚିଲେ। ପରମ ଆଦରରେ ସମ୍ମାନର ସହ ବ୍ୟାସଦେବଙ୍କୁ ପାଛୋଟି ନିଆଗଲା । ତାପରେ ଯୁଧିଷ୍ଠିର ବ୍ୟାସଦେବଙ୍କ ଆଗରେ ନିଜର ଦୁଃଖ ଓ ଶୋକ ବ୍ୟକ୍ତ କରି କହିଲେ, ‘କୌରବମାନେ ଅତି ଅନ୍ୟାୟ ଭାବରେ ଜଣେ ବାଳକକୁ ମିଳିମିଶି ହତ୍ୟା କଲେ । ଅଭିମନ୍ୟୁ ଆଉ ନାହାନ୍ତି ଭାବିଲା ବେଳକୁ ମୋତେ ଚାରିଦିଗ ଶୂନ୍ୟ ଲାଗୁଛି । ସେ ବାଳକ ସିନା ଥିଲା କିନ୍ତୁ ତା'ର ବଡ଼ ମଣିଷର ବୁଦ୍ଧି ଥିଲା । ସେ ଏକା ଦ୍ରୋଣଙ୍କ ବ୍ୟୁହ ଭେଦର ରହସ୍ୟ ଜାଣିଥିଲା । ଭାବିଥିଲୁ ତା' ପଛେ ପଛେ ଆମେ ବି ବ୍ୟୁହ ଭିତରେ ପ୍ରବେଶ କରିଯିବୁ । କିନ୍ତୁ ଆମେ କେହି ବି ତା'ର ପଛରେ ବ୍ୟୁହରେ ପ୍ରବେଶ କରି ତାକୁ ସହାୟତା ଦେଇ ପାରିଲୁନି । ମୁଁ ଅଭାଗା ତାକୁ ବ୍ୟୁହର ମରଣ ଯନ୍ତା ଭିତରକୁ ପଠେଇ ତାକୁ ସାହାଯ୍ୟ କରିପାରିଲିନି । ଏ କଥା ମୁଁ ଯେତେ ଭାବୁଛି ମୋତେ ସେତେ ଶୂନ୍ୟ ଲାଗୁଛି । ମନରେ ଶାନ୍ତି ଆସୁନି ।’
ଯୁଧିଷ୍ଠିରଙ୍କ କଥା ଶୁଣି ବ୍ୟାସଦେବ କହିଲେ, ‘ହେ ରାଜନ! ତୁମକୁ ଏପରି ବିଚଳିତ ହେବା ଶୋଭା ପାଏନି। ତୁମେ ଜଣେ ବିଜ୍ଞ ପଣ୍ଡିତ ଲୋକ । ଏପରି ବିପଦ ସମୟରେ ଧୈର୍ଯ୍ୟ ହରାଇବା ଆଦୌ ଉଚିତ ନୁହେଁ । ସେ ବାଳକ ଶୌର୍ଯ୍ୟର ସହ ଯୁଦ୍ଧକରି ଶତୃମାନଙ୍କୁ ବିନାଶ କରି ଜଣେ ବୀରଯୋଦ୍ଧା ଭାବରେ ସ୍ୱର୍ଗାରୋହଣ କରିଛି । ହେ ଯୁଧିଷ୍ଠିର! ମୃତ୍ୟୁକୁ କେହି କେବେ ଅତିକ୍ରମ କରିପାରିବନି । ମୃତ୍ୟୁ କବଳରୁ କାହାର ବି ମୁକ୍ତି ନାହିଁ । ତୁମକୁ ଗୋଟେ କାହାଣୀ କହୁଛି ଶୁଣ ।’
ତାପରେ ବ୍ୟାସଦେବ ଗପିଲେ, ଅନେକ ବର୍ଷ ତଳେ ସତ୍ୟଯୁଗରେ ଅକମ୍ପନ ନାମରେ ଜଣେ ରାଜା ଥିଲେ। ରାଜାଙ୍କର ହରି ନାମରେ ପୁଅଟିଏ ଥିଲା । ରାଜପୁତ୍ର ଥରେ ଶତୃମାନଙ୍କ ସହ ଯୁଦ୍ଧ କଲାବେଳେ ମୃତ୍ୟୁବରଣ କଲେ । ଏକମାତ୍ର ପୁଅର ମୃତ୍ୟୁରେ ରାଜା ପୁତ୍ରଶୋକରେ ମ୍ରିୟମାଣ ହେଇ ରହିଲେ । ଦିନ ରାତି କେବଳ ପୁଅ କଥା ଭାବିବାକୁ ଲାଗିଲେ । ଥରେ ଦେବର୍ଷି ନାରଦ ରାଜାଙ୍କ ପାଖରେ ଆସି ପହଞ୍ଚିଲେ । ରାଜା ପାଖରେ ନାରଦଙ୍କୁ ପାଇ ତାଙ୍କର ବିଧିବଦ୍ଧ ଆଦର ଅଭ୍ୟର୍ଥନା କରିସାରି ନିଜର ଦୁଃଖ ଓ ଶୋକ କଥା କହିଲେ । ପଚାରିଲେ ‘ହେ ଦେବର୍ଷି! ମୋତେ କୁହନ୍ତୁ ଏ ମୃତ୍ୟୁ କିଏ? କେମିତି ଏତେ ବଳଶାଳୀ ହେଇପାରିଲା ଏ ମୃତ୍ୟୁ?’
ରାଜା ଅକମ୍ପନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନାରଦ କହିଲେ, ହେ ରାଜନ! ମହାତେଜା ବ୍ରହ୍ମା ପ୍ରଥମେ ସୃଷ୍ଟି ରଚନା କଲେ । ସୃଷ୍ଟି ଆରମ୍ଭରୁ ମୃତ୍ୟୁ ବୋଲି କିଛି ନଥିଲା । ତେଣୁ ଧିରେ ଧିରେ ଜଗତ ଜୀବରେ ପରିପୂର୍ଣ୍ଣ ହେଇଗଲା । ବ୍ରହ୍ମା ମନେ ମନେ ପ୍ରଜା ସଂହାର କଥା ଚିନ୍ତା କଲେ । କିନ୍ତୁ ସଂହାରର କୌଣସି ଉପାୟ ମନକୁ ଆସିଲାନି । ଶେଷରେ ବ୍ରହ୍ମାଙ୍କ ମନରେ କ୍ରୋଧ ଆସିବାରୁ ସେଥିରୁ ଅଗ୍ନି ଉତ୍ପନ୍ନ ହେଲା । ସେ ଅଗ୍ନି ସମସ୍ତ ଦିଗକୁ ପରିବ୍ୟାପ୍ତ ହେଇ ଧିରେ ଧିରେ ସମସ୍ତ ସଂସାରକୁ ଗ୍ରାସ କରିବାକୁ ଲାଗିଲା । ପ୍ରାଣୀମାନଙ୍କ ଭିତରେ ହା ହା କାର ପଡିଗଲା । ସଂସାର ଧ୍ୱଂସ ହେବାର ଦେଖି ମହାଦେବ ବ୍ରହ୍ମାଙ୍କ ଶରଣକୁ ଆସି ସଂସାର ରକ୍ଷା ପାଇଁ ପ୍ରାଥନା କରିବାକୁ ଲାଗିଲେ । ବ୍ରହ୍ମାଙ୍କ କୋପ ଶାନ୍ତ ହେଲାପରେ ସେ ତାଙ୍କ ରୋଷାଗ୍ନୀକୁ ସଂହାର କଲେ । ମହାଦେବ କହିଲେ, ହେ ପ୍ରଭୁ ! ଆପଣ ନାନା ପ୍ରକାରର ପ୍ରାଣୀଙ୍କୁ ସୃଷ୍ଟି କରିଛନ୍ତି । ଏବେ ସେମାନଙ୍କୁ କ୍ରୋଧାନଳରେ ସଂହାର କରିବାର ଦେଖି ମୋ ଦେହ ସହିଲାନି । ଆପଣ ପ୍ରସନ୍ନ ହୁଅନ୍ତୁ । କ୍ରୋଧ ସମ୍ବରଣ କରନ୍ତୁ ।
ବ୍ରହ୍ମା କହିଲେ, ହଁ ମୁଁ ସମସ୍ତ ପ୍ରଣୀଙ୍କୁ ସୃଷ୍ଟି କରିଛି । ସେମାନଙ୍କୁ ସଂହାର କରିବାର ମୋର କୌଣସି ଇଚ୍ଛା ନାହିଁ । କିନ୍ତୁ ବସୁମତୀ ଦେବୀ ପ୍ରାଣୀମାନଙ୍କ ଭାରରେ ବ୍ୟତିବ୍ୟସ୍ତ । ସେ ମୋତେ ତାଙ୍କ କଷ୍ଟ ବିଷୟରେ ଅବଗତ କରାଇବାରୁ ମୁଁ ବହୁତ ଚିନ୍ତା କରି ବି କିଛି ଉପାୟ ପାଉନାହିଁ । ସେଇଥିପାଇଁ ମନରେ କ୍ରୋଧ ହେଲା । କ୍ରୋଧରୁ ଅଗ୍ନି ଉତ୍ପନ୍ନ ହେଲା।
ତାପରେ ମହାଦେବଙ୍କ ଅନୁରୋଧରେ ବ୍ରହ୍ମା ତାଙ୍କ କ୍ରୋଧାଗ୍ନୀକୁ ସଂହାର କଲାରୁ ସେଥିରୁ ପ୍ରଜା ସଂହାରର ଉପାୟ ଭାବରେ ଜଣେ କୃଷ୍ଣ ବର୍ଣ୍ଣର ନାରୀ ଜନ୍ମ ନେଲେ । ଯାହାଙ୍କର ମୁହଁ ଓ ଜିଭ ରକ୍ତ ପରି ଲାଲ ହେଇଥାଏ ଓ ସେ ବିଭିନ୍ନ ପ୍ରକାରର ସୁନାର ଅଳଙ୍କାର ପିନ୍ଧିଥା'ନ୍ତି । ବ୍ରହ୍ମା ତାଙ୍କୁ କହିଲେ ତୁମେ ମୋର ସଂହାରବୁଦ୍ଧିରେ ମୋ କ୍ରୋଧରୁ ଉତ୍ପନ୍ନ ହେଇଛ ତେଣୁ ମୋର ଆଦେଶରେ ଜଗତର ସ୍ଥାବର ଜଙ୍ଗମ ସମସ୍ତଙ୍କୁ ସଂହାର କର ।
ନାରୀ ଜଣକ ବ୍ରହ୍ମାଙ୍କ ଆଗରେ ହାତ ଯୋଡି କହିଲେ, ‘ହେ ପ୍ରଭୁ! ମୋତେ କାହିଁକି ଏପରି ଅଧର୍ମ କାମ କରିବାକୁ ନିର୍ବ୍ଦେଶ ଦେଉଛନ୍ତି? ଜାଣି ଜାଣି ମୁଁ କେମିତି ଏପରି ଅହିତ ଓ କ୍ରୁର କାମ ଅବା କରିବି? ମୋ ହାତରେ ଯାହାର ମରଣ ହେବ ତା'ର ପ୍ରିୟଜନ ନିଶ୍ଚୟ ମୋର ଅହିତ ଚିନ୍ତା କରିବେ । ହେ ପ୍ରଭୁ ସେମାନଙ୍କ ଆଖିର ଲୁହ କଥା ଭାବି ମୋତେ ବ୍ୟସ୍ତ ବିବ୍ରତ ଲାଗୁଛି । ତେଣୁ ମୁଁ ପ୍ରଜା ବିନାଶ କରିପାରିବିନି। ଏପରି ଅଧର୍ମ କାମ ଛାଡି ବରଂ ମୋତେ ତପସ୍ୟା କରିବାକୁ ଅନୁମତି ଦିଅନ୍ତୁ ।’
ଏପରି କଥା ଶୁଣି ବ୍ରହ୍ମା କହିଲେ, ‘ପ୍ରଜା ସଂହାର କଳ୍ପନାରେ ମୁଁ ତୁମକୁ ସୃଷ୍ଟି କରିଛି । ତେଣୁ ମୋ କଥା ମାନ ଓ ପ୍ରଜା ସଂହାର କର ।’ ସେ କନ୍ୟା କିନ୍ତୁ ତଥାପି ବ୍ରହ୍ମାଙ୍କ କଥାରେ ସମ୍ମତ ନହେଇ ଧେନୁକ ଋଷିଙ୍କ ଆଶ୍ରମକୁ ଚାଲିଗଲେ । ସେଇଠି ଘୋର ତପସ୍ୟା କଲେ । ତାଙ୍କ ତପସ୍ୟାରେ ବ୍ରହ୍ମା ଦିନେ ସନ୍ତୁଷ୍ଟ ହେଇ ତାଙ୍କ ଆଗରେ ପ୍ରକଟ ହେଇ ପଚାରିଲେ, ‘ହେ କନ୍ୟା ! ତୁମେ କ'ଣ ପାଇଁ ଏ ତପ ଆଚରଣ କରୁଛ? ବ୍ରହ୍ମାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କନ୍ୟା କହିଲେ, ହେ ପ୍ରଭୁ ! ପ୍ରଜା ହତ୍ୟା ପରି ଅଧର୍ମକାମ କରିବିନି ବୋଲି ମୁଁ ତପସ୍ୟା କରୁଥିଲି ।’
ବ୍ରହ୍ମା କହିଲେ, ‘ତୁମେ ପ୍ରଜା ସଂହାର କଲେ ତୁମର ଅଧର୍ମ ହେବ ନାହିଁ । ତୁମେ ସମସ୍ତ ପାପରୁ ମୁକ୍ତ ରହିବ ।’ ତାପରେ ସେ ମୃତ୍ୟୁରୂପା ନାରୀ ବ୍ରହ୍ମାଙ୍କୁ କହିଲେ, ‘ହେ ପ୍ରଭୁ! ଏହାହିଁ ଯଦି ଆପଣଙ୍କ ଇଚ୍ଛା ତେବେ ମୋ କଥା ଶୁଣନ୍ତୁ । ମୁଁ ସୁସ୍ଥ ଜୀବକୁ କେବେ ବି ହତ୍ୟା କରିବିନି । ଲୋଭ, କ୍ରୋଧ, ଅସୂୟା, ମୋହ, ଅଲଜ୍ଜା ଓ ପରୁଷ ଆଚରଣ ଦୋଷରେ ମୁଁ ସେମାନଙ୍କୁ ସଂହାର କରିବି ।‘
ବ୍ରହ୍ମା କହିଲେ, 'ଠିକ ଅଛି, ତାହାହିଁ ହେବ । ପ୍ରଣୀମାନଙ୍କୁ ପରଲୋକକୁ ନେଇଗଲେ ବି ସମସ୍ତ ଦେବତାଙ୍କ ବରରେ ତୁମେ ନିଷ୍ପାପ ରହିବ । ତୁମର ଯେଉଁ ଅଶ୍ରୁବିନ୍ଦୁ ମୋ ହାତରେ ପଡିଲା ତାହା ବ୍ୟାଧି ରୂପରେ ପ୍ରାଣୀଙ୍କର ବିନାଶ କରିବ । ପ୍ରାଣୀମାନେ ମିଥ୍ୟାଚାରୀ ଅଟନ୍ତି । ଅଧର୍ମ ସେମାନଙ୍କ ବିନାଶର କାରଣ ହେବ ।’ ସେଇଦିନରୁ ସେ ନାରୀ ମୃତ୍ୟୁ ରୂପରେ ସମସ୍ତ ପ୍ରାଣୀଙ୍କର ବିନାଶ କରୁଅଛି ।
ଏ କାହାଣୀ କହିସାରି ବ୍ୟାସଦେବ ଯୁଧିଷ୍ଠିରଙ୍କୁ କହିଲେ, ‘ହେ ରାଜା! ତୁମେ ପୁତ୍ର ଶୋକ ଆଉ କରନି । ତୁମ ପୁଅ ବୀରଲୋକ ପ୍ରାପ୍ତ ହେଇ ସ୍ୱର୍ଗରେ ସୁଖ ଭୋଗ କରୁଛି । ପ୍ରାଣୀର ସମୟ ଆସିଲେ ମୃତ୍ୟୁ ତାଙ୍କୁ ହରଣ କରେ । ପ୍ରାଣୀମାନେ ନିଜେ ନିଜର ବିନାଶର କାରଣ ହେଇଥା'ନ୍ତି । ଯମ କାରଣ ନୁହଁନ୍ତି । ସେଥିପାଇଁ ପଣ୍ଡିତ ବ୍ୟକ୍ତିମାନେ ମରଣକୁ ବିଧାତାଙ୍କ ସୃଷ୍ଟି ବୋଲି ଜାଣି ସେଥିରେ ଶୋକ ପ୍ରକାଶ କରନ୍ତି ନାହିଁ ।’
ଅଭିମନ୍ୟୁଙ୍କ ମୃତ୍ୟୁରେ ଯୁଧିଷ୍ଠିର ଓ ଅନ୍ୟ ପାଣ୍ଡବମାନଙ୍କୁ ସାନ୍ତ୍ୱନା ଦେଇ ବ୍ୟାସଦେବ ତାଙ୍କ ଆଶ୍ରମକୁ ଫେରିଗଲେ ।