Low Pressure Update: ଆସନ୍ତା୨୪ ଘଣ୍ଟାରେ ଲଘୁଚାପ ସମ୍ଭାବନା, ଆଜିଠୁ ୫ ଦିନ ପ୍ରବଳ ବର୍ଷା, ୧୭ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ୱର,୧୪/୦୭: ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷା ବଢ଼ିପାରେ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।
କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା ଓ ନୟାଗଡ଼ରେ ଅଧିକ ବର୍ଷା ହୋଇପାରେ । ୧୫ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭାରି ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ ତାରିଖରେ ବି ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ ।
ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଆକଳନ ଅନୁସାରେ, ଉତ୍ତର ବଙ୍ଗୋପସାଗରରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ଜୁଲାଇ ୧୪ରୁ ୧୭ ତାରିଖ ଭିତରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।
ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ଅବବାହିକା ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବରଗଡ଼, କଟକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ । ସୋମବାର ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ସିଇସି ଆକଳନ କରିଛି । ସୋମବାର ବାଲେଶ୍ୱର, ବାରିପଦା ଓ କେନ୍ଦ୍ରାପଡ଼ାରେ ସାମାନ୍ୟ ବର୍ଷା ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।