Loot: ମୁହୂର୍ତ୍ତକରେ ବୃଦ୍ଧାଙ୍କ ବେକରୁ ଦେଢ଼ ଲକ୍ଷର ସୁନାଚେନ ଝାମ୍ପିନେଲେ ଦୁର୍ବୃତ୍ତ
"ବୈଶିଙ୍ଗା (ଦୀପକ କୁମାର ସିଂହ): ଦିନକୁ ଦିନ ରାସ୍ତାଘାଟରେ ଛିନତାଇ ଘଟଣା ବଢ଼ୁଥିବା ବେଳେ ବୁଧବାର ସକାଳେ ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଥିବା ଏକ ସାହସିକ ସୁନାଚେନ ଲୁଟ୍ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି କରିଛି।
ଠିକଣା ପଚାରିବା ବାହାନାରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ଜଣେ ବୃଦ୍ଧାଙ୍କ ବେକରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ସୁନାଚେନ ଝାମ୍ପି ଫେରାର ହୋଇଯାଇଛନ୍ତି।Advertisment ସୂଚନା ଅନୁଯାୟୀ, ମାନଗୋବିନ୍ଦପୁର ଗ୍ରାମର ସ୍ୱର୍ଗତ ଧୃତରାଷ୍ଟ୍ର ପରିଡାଙ୍କ ୬୯ ବର୍ଷୀୟା ପତ୍ନୀ ସରସ୍ୱତୀ ପରିଡା ବର୍ତ୍ତମାନ ପରିବାର ସହ ବୈଶିଙ୍ଗା ଉପକଣ୍ଠ ପଦ୍ମପୁରରେ ବସବାସ କରୁଛନ୍ତି।
ବୁଧବାର ସକାଳ ପ୍ରାୟ ୭ଟା ସମୟରେ ସେ ନିଜ ନାତିକୁ ସ୍କୁଲ ଅଟୋରେ ଛାଡ଼ିବା ପାଇଁ ବୈଶିଙ୍ଗା–ମାଣତ୍ରୀ ରାସ୍ତାର ପଦ୍ମନାଭପୁର ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଅପେକ୍ଷା କରୁଥିଲେ।
ଠିକ୍ ସେହି ସମୟରେ ଏକ ବାଇକରେ ଦୁଇ ଜଣ ଯୁବକ ସେଠାରେ ପହଞ୍ଚି ଜଣେ ବ୍ୟକ୍ତିଙ୍କ ଘରର ଠିକଣା ପଚାରିଥିଲେ।
ବୃଦ୍ଧା ଠିକଣା କହିବାକୁ ଉଦ୍ୟମ କରୁଥିବା ବେଳେ ଆଖି ପିଛୁଳାକେ ଜଣେ ଦୁର୍ବୃତ୍ତ ତାଙ୍କ ବେକରୁ ସୁନାଚେନ ଝାମ୍ପି ନେଇ ବାଇକରେ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ।
ହଠାତ୍ ଘଟିଥିବା ଏହି ଘଟଣାରେ ବୃଦ୍ଧା ହତବାକ ହୋଇପଡ଼ିଥିଲେ ଏବଂ ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଖସି ପଳାଇବାରେ ସଫଳ ହୋଇଥିଲେ।
ଘଟଣାର ଖବର ପାଇ ବୈଶିଙ୍ଗା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଉଥିବା ବେଳେ ବୃଦ୍ଧାଙ୍କ ଲିଖିତ ଅଭିଯୋଗ ଆଧାରରେ ବୈଶିଙ୍ଗା ଥାନାରେ ୩୮୮ ନମ୍ବର ମାମଲା ରୁଜୁ କରାଯାଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି।
ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ଦୁର୍ବୃତ୍ତମାନେ ବର୍ତ୍ତମାନ ନୂଆ ନୂଆ କୌଶଳ ଅବଲମ୍ବନ କରି ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି।
ବିଶେଷକରି ବୃଦ୍ଧବୃଦ୍ଧା ଓ ଏକାକୀ ଯାତ୍ରୀମାନେ ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବେଳେ ସତର୍କ ରହିବା ସହ ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି।
ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଇ ଥିଲା ଯୁବକ, ଗିରଫ କଲା ପୁଲିସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।