Like father, Like son: ୧ କେଜି ପାଇଁ ହାତଛଡ଼ା ସ୍ୱର୍ଣ୍ଣ, ଅଜୟଙ୍କ କାହାଣୀ ଜାଣିଲେ ଗର୍ବ ଲାଗିବ...

Jul 28, 2026 - 18:05
Like father, Like son: ୧ କେଜି ପାଇଁ ହାତଛଡ଼ା ସ୍ୱର୍ଣ୍ଣ, ଅଜୟଙ୍କ କାହାଣୀ ଜାଣିଲେ ଗର୍ବ ଲାଗିବ...

ବାପାଙ୍କ ଟାଣୁଆ ହାତରୁ ପ୍ରେରଣା ପାଇ ଆଜି ପୁଅ ବିଶ୍ୱ ଦରବାରରେ କମାଇଛି ନାଁ। ଠିକ୍ ୧୬ ବର୍ଷ ତଳେ ଦିଲ୍ଲୀ ମାଟିରେ ବାପା ଯେଉଁ ସ୍ୱପ୍ନ ଦେଖିଥିଲେ, ଆଜି ସେହି ସ୍ୱପ୍ନକୁ ସତ କରି ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶର ଯୁବ ତାରକା ଭଲ୍ଲୁରୀ ଅଜୟ ବାବୁ। ଗ୍ଲାସଗୋ କମନୱେଲ୍ଥ ଗେମ୍ସର ପଞ୍ଚମ ଦିନରେ, ଅଜୟ ଖୁବ୍ ରୋମାଞ୍ଚକର ମୁକାବିଲାରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି।

ପୁରୁଷ ୭୯ କେଜି ଭାରୋତ୍ତୋଳନ ବର୍ଗରେ ୨୧ ବର୍ଷୀୟ ଅଜୟ ବାବୁ ମୋଟ ୩୩୦ କେଜି ଭାର ଉଠାଇ ରୌପ୍ୟ ପଦକ ଜିତିଛନ୍ତି। ସେ ସ୍ନାଚରେ ୧୪୯ କେଜି ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୮୧ କେଜି ଉଠାଇଥିଲେ। ସ୍ୱର୍ଣ୍ଣ ପଦକଠାରୁ ସେ ମାତ୍ର ୧ କେଜି ପଛରେ ରହିଥିଲେ। ମାଲେସିଆର ଏରି ହିଦାୟତ ମହମ୍ମଦ ୩୩୧ କେଜି ଉଠାଇ ସ୍ୱର୍ଣ୍ଣ ଜିତିଥିବାବେଳେ ଇଂଲଣ୍ଡର କ୍ରିସ୍ ମୁରେ ୩୨୫ କେଜି ସହ କାଂସ୍ୟ ପଦକ ପାଇଛନ୍ତି।

ବାପାଙ୍କ ସଫଳତାକୁ ଟପିଲେ ପୁଅ

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଛୋଟ ଗାଁ କୋଣ୍ଡାଭେଲାଗଡ଼ାର ବାସିନ୍ଦା ଅଜୟ ବାବୁ ଭାରୋତ୍ତୋଳନ ପରମ୍ପରାର ପରିବାରରୁ ଆସିଛନ୍ତି। ତାଙ୍କ ବାପା ଭାଲ୍ଲୁରି ଶ୍ରୀନିବାସ ରାଓ ୨୦୧୦ ଦିଲ୍ଲୀ କମନୱେଲ୍ଥ ଗେମ୍ସରେ ୫୬ କେଜି ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ବର୍ତ୍ତମାନ ସେ ଫୁଲ ଚାଷ କରୁଥିବାବେଳେ ପୁଅଙ୍କ ପ୍ରଥମ ପ୍ରଶିକ୍ଷକ ମଧ୍ୟ ରହିଛନ୍ତି। ୧୬ ବର୍ଷ ପରେ ପୁଅ ଅଜୟ ବାବୁ କମନୱେଲ୍ଥ ମଞ୍ଚରେ ବାପାଙ୍କ ସଫଳତାକୁ ଗୋଟିଏ ପାଦ ଆଗକୁ ନେଇ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।

ଶେଷ ପର୍ଯ୍ୟନ୍ତ ରୋମାଞ୍ଚକର ଲଢ଼େଇ

ପ୍ରତିଯୋଗିତାର ସ୍ନାଚ୍ ପର୍ଯ୍ୟାୟରେ ଅଜୟ ବାବୁ ୧୪୯ କେଜି ଉଠାଇ ନୂଆ କମନୱେଲ୍ଥ ଗେମ୍ସ ରେକର୍ଡ କରିଥିଲେ ଏବଂ ଶୀର୍ଷ ସ୍ଥାନରେ ରହିଥିଲେ। କ୍ଲିନ୍ ଆଣ୍ଡ ଜର୍କରେ ଭାରତ ଓ ମାଲେସିଆ ମଧ୍ୟରେ ସ୍ୱର୍ଣ୍ଣ ପାଇଁ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା। ଅଜୟ ଶେଷ ପ୍ରୟାସରେ ୧୮୧ କେଜି ଉଠାଇ ମୋଟ ୩୩୦ କେଜିରେ ପହଞ୍ଚିଥିଲେ। କିନ୍ତୁ ଶେଷ ଲିଫ୍ଟରେ ମାଲେସିଆର ଏରି ହିଦାୟତ ୧୮୪ କେଜି ଉଠାଇ ମୋଟ ୩୩୧ କେଜି ସହ ସ୍ୱର୍ଣ୍ଣ ପଦକ ହାତେଇ ନେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।