Lightning strike deaths in India: ଆକାଶରୁ ଖସିଲା ବଜ୍ର! ନିମିଷକେ ଚାଲିଗଲା ୧୬ ଜୀବନ

Aug 05, 2026 - 11:05
Lightning strike deaths in India: ଆକାଶରୁ ଖସିଲା ବଜ୍ର! ନିମିଷକେ ଚାଲିଗଲା ୧୬ ଜୀବନ

ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ବର୍ଷା ସହ ବଜ୍ରପାତ ଓ ବିଦ୍ୟୁତ୍ ଆଘାତ ଘଟଣାରେ ଝାଡଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ମୋଟ ୧୬ ଜଣଙ୍କ ଜୀବନ ଯାଇଛି। ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଅନେକ ଲୋକ ଆହତ ହୋଇଥିବାର ଘଟଣା ମଧ୍ୟ ସାମନାକୁ ଆସିଛି।

ମଙ୍ଗଳବାର ଝାଡଖଣ୍ଡର ଗିରିଡିହ, ଦୁମକା ଏବଂ ଲାତେହାର ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ୟରେ ବଜ୍ରପାତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଏଥିରେ ଗିରିଡିହରେ ୮ ଜଣ, ଦୁମକାରେ ୩ ଜଣ ଏବଂ ଲାତେହାରରେ ୨ ଜଣଙ୍କ ଜୀବନ ଯାଇଛି। ଏହା ସହ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ଗିରିଡିହ ଜିଲ୍ଲାର ଖୋରିମାହୁଆ ଉପଖଣ୍ଡ ଅଞ୍ଚଳରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବାବେଳେ ଦୁମକାର ରାମଗଡ଼ ବ୍ଲକ୍‌ରେ ପୃଥକ ପୃଥକ ବଜ୍ରପାତ ଘଟଣାରେ ୩ ଜଣଙ୍କ ମୃତ୍ୟୁ ଏବଂ ଜଣେ ଶିଶୁ ସମେତ ୪ ଜଣ ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ, ଉତ୍ତର ପ୍ରଦେଶରେ ବିଦ୍ୟୁତ୍ ଆଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦେଓରିଆରେ ଘରେ ମୋବାଇଲ୍ ଚାର୍ଜ କରୁଥିବା ବେଳେ ୮ ବର୍ଷର ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବାବେଳେ, ଏଟା ଜିଲ୍ଲାରେ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୧୦ ବର୍ଷର ଜଣେ ବାଳକଙ୍କ ଜୀବନ ଯାଇଛି। ସେହିପରି ଲକ୍ଷ୍ନୌର ଗୋସାଇଁଗଞ୍ଜ ଅଞ୍ଚଳର ଏକ ମନ୍ଦିରର ୬୫ ବର୍ଷୀୟ ପୂଜକ ବିଦ୍ୟୁତ୍ ସ୍ପର୍ଶାଘାତରେ ପ୍ରାଣ ହରାଇଛନ୍ତି। ଏଠାର ଅନ୍ୟ ଏକ ଘଟଣାରେ ସାର୍ବଜନିକ ୱାଟର କୁଲରକୁ ଛୁଇଁ ଜଣେ ୬ ବର୍ଷୀୟା ଶିଶୁକନ୍ୟା ଆହତ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ତତ୍ପରତାରେ ତାଙ୍କୁ ଉଦ୍ଧାର କରାଯାଇଛି।

ଏପଟେ, ଲଗାଣ ବର୍ଷା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ସମତଳ ଅଞ୍ଚଳରେ ବନ୍ୟାଭଳି ସ୍ଥିତି ଦେଖାଦେଇଛି ଏବଂ ଯାତାୟାତ ବ୍ୟାହାତ ହେଉଛି। ଏନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।