Less rainfall: ଅଗଷ୍ଟରେ କମ୍ ବର୍ଷା: ଜୁଲାଇରେ ୨୪ ଲଘୁଚାପ ଦିନ, ୧୦ ବର୍ଷରେ ସର୍ବାଧିକ
ଭୁବନେଶ୍ବର: ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ କମ୍ ବର୍ଷା ହେବ। ରାଜ୍ୟର କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଜାରି ପୂର୍ବାନୁମାନରେ ଦର୍ଶାଯାଇଛି। ସ୍ପଷ୍ଟ କରାଯାଇଛି ଯେ ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ସ୍ବାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହୋଇପାରେ। ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସ୍ବାଭାବିକଠାରୁ ବହୁତ କମ୍ ରହିବ। ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଅନୁଗୁଳ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ସ୍ବାଭାବିକ ବର୍ଷା ହେବ।
କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଦେଶରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। ଦକ୍ଷିଣ ଭାରତ, କେନ୍ଦ୍ରୀୟ ଭାରତ, ଉତ୍ତରପଶ୍ଚିମ ଭାରତର ଉତ୍ତରପାର୍ଶ୍ବ, ପୂର୍ବ ଓ ଉତ୍ତରପୂର୍ବ ଭାରତର କେତେକ ଅଞ୍ଚଳରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ଅଗଷ୍ଟ ମାସରେ ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀ ବର୍ଷା ପରିମାଣ ସ୍ବାଭାବିକଠାରୁ କମ୍ ରହିବ। ହେଲେ ମାସର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଦକ୍ଷିଣ ଭାରତରେ ତାପମାତ୍ରା ସ୍ବାଭାବିକଠାରୁ ବହୁତ ଅଧିକ ରହିବାକୁ ଥିବାବେଳେ ଓଡ଼ିଶା ସମେତ ଗୁଜରାଟ, ପଶ୍ଚିମବଙ୍ଗ, ବିହାର, ପଞ୍ଜାବ, ଝାଡ଼ଖଣ୍ଡ, ଉତ୍ତର ପୂର୍ବ ଭାରତର କେତେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ମଧ୍ୟ ଭାରତରେ ତାପମାତ୍ରା ସ୍ବାଭାବିକ ରହିବ।
ଜୁଲାଇରେ ୨୪ ଲଘୁଚାପ ଦିନ, ୧୦ ବର୍ଷରେ ସର୍ବାଧିକ
ଗଜପତି ଓ ନବରଙ୍ଗପୁରରେ ଏବେ ବି ନିଅଣ୍ଟିଆ ବର୍ଷା
ଗତ ୧୦ ବର୍ଷ ମଧ୍ୟରେ ୨୦୨୬ ଜୁଲାଇରେ ଲଘୁଚାପ ଦିନସଂଖ୍ୟା ଶୀର୍ଷରେ ପହଞ୍ଚିଛି। ଆଇଏମ୍ଡି ତଥ୍ୟ ଅନୁଯାୟୀ ୨୦୨୬ ମୌସୁମୀ ସମୟରେ ୨୪ ଦିନ ଲଘୁଚାପ ପ୍ରଭାବ ରହିଛି। ଯେତେବେଳେ କି ୨୦୨୫ରେ ୧୯, ୨୦୨୪ରେ ୭, ୨୦୨୩ରେ ୧୨, ୨୦୨୨ରେ ୨୨, ୨୦୨୧ରେ ୧୫, ୨୦୨୦ରେ ୭, ୨୦୧୯ରେ ୧୫, ୨୦୧୮ରେ ୧୯ ଓ ୨୦୧୭ରେ ୧୨ ଦିନ ରହିଥିଲା। ଏହି ସମୟ ମଧ୍ୟରେ ବଙ୍ଗୋପସାଗରରେ ୪ଟି ଲଘୁଚାପ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଦୁଇଟି ଅବପାତରେ ପରିମାଣ ହୋଇଛି, ଯାହାକି କେନ୍ଦ୍ରୀୟ ଭାରତରେ ମୌସୁମୀ ବର୍ଷା ପରିମାଣ ବଢ଼ାଇବାରେ ସହାୟକ ହୋଇଛି। ୨୦୨୫ରେ ୩ଟି ଅବପାତ ହୋଇଥିଲା। ସ୍ବାଭାବିକ ଭାବେ ଜୁଲାଇରେ ଲଘୁଚାପ ଦିନ ସଂଖ୍ୟା ୧୩.୫ ରହୁଥିବା ବେଳେ ଏଥର ୨୪ ଦିନ ହେବା ଭଲ ବର୍ଷାକୁ ଦର୍ଶାଉଛି।
ଓଡ଼ିଶା କଥା ଦେଖିଲେ ମୌସୁମୀ ସମୟ ଅର୍ଥାତ୍ ଜୁନ୍ ୧ରୁ ଜୁଲାଇ ୩୦ ମଧ୍ୟରେ ସ୍ବାଭାବିକଠାରୁ ୩୬% ଅଧିକ ବର୍ଷା ହୋଇଛି। ତଥାପି ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର ଜିଲ୍ଲାରେ ସ୍ବାଭାବିକଠାରୁ ବହୁତ ଅଧିକ ବର୍ଷା ହୋଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଅଗଷ୍ଟ ୧ ଓ ୨ ତାରିଖରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।