Lady IPS Officer: ଡେପୁଟି ସିଏମଙ୍କୁ ଚିହ୍ନି ପାରିଲେନି ଲେଡି IPS ଅଫିସର, ଭିଡିଓ ଭାଇରାଲ୍ ହେବା ପରେ ବଢ଼ିଲା ବିବାଦ

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ କରମାଲାର ଏସଡିପିଓ ଅଞ୍ଜଳି କୃଷ୍ଣାଙ୍କ ମଧ୍ୟରେ ଫୋନ ଏବଂ ଭିଡିଓ କଲରେ ଯୁକ୍ତିତର୍କ ହୋଇଛି । ଆଇପିଏସ ଅଫିସର ଅଞ୍ଜଳି କୃଷ୍ଣା ଫୋନରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଚିହ୍ନି ପାରିନଥିଲେ, ଏ

05 September 2025 03:00 PM IST
Lady IPS Officer: ଡେପୁଟି ସିଏମଙ୍କୁ ଚିହ୍ନି ପାରିଲେନି ଲେଡି IPS ଅଫିସର, ଭିଡିଓ ଭାଇରାଲ୍ ହେବା ପରେ ବଢ଼ିଲା ବିବାଦ

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ କରମାଲାର ଏସଡିପିଓ ଅଞ୍ଜଳି କୃଷ୍ଣାଙ୍କ ମଧ୍ୟରେ ଫୋନ ଏବଂ ଭିଡିଓ କଲରେ ଯୁକ୍ତିତର୍କ ହୋଇଛି । ଆଇପିଏସ ଅଫିସର ଅଞ୍ଜଳି କୃଷ୍ଣା ଫୋନରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଚିହ୍ନି ପାରିନଥିଲେ, ଏହି ସମୟରେ ରାଗିଯାଇ ଅଜିତ ପାୱାର ଏହି ନୂଆ ଅଫିସରଙ୍କୁ ଧମକ ଦେଇଥିଲେ।

ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର ଏବଂ ରାଜ୍ୟର ଜଣେ ଲେଡି ଆଇପିଏସ ଅଫିସରଙ୍କ ମଧ୍ୟରେ ଫୋନରେ ହୋଇଥିବା ଯୁକ୍ତିତର୍କ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଅଜିତ ପାୱାର ଫୋନରେ କହିଥିଲେ, “ମୁଁ ଡେପୁଟି ଚିଫ୍ ମିନିଷ୍ଟର କହୁଛି, ଆକ୍ସନ ବନ୍ଦ କର, ତୁମ ଉପରେ ଆକ୍ସନ ନେବି କି? ଏତେ ସାହସ ଅଛି ତୁମର ?” ଏହି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଏସଡିପିଓ ଅଞ୍ଜଳି କୃଷ୍ଣାଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବାର ଦେଖାଯାଉଛି।

ସୋଲାପୁରର କୁର୍ଡୁ ଗାଁରେ ରାସ୍ତା ନିର୍ମାଣ ପାଇଁ ବେଆଇନ ଭାବେ ମୋରମ ଖନନ ହେଉଥିବା ଅଭିଯୋଗରେ ଡିଏସପି ଅଞ୍ଜଳି କୃଷ୍ଣା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକ ଏବଂ ପୋଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଏନସିପିର ଜଣେ କାର୍ଯ୍ୟକର୍ତ୍ତା ବାବା ଜଗତାପ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଫୋନ କରି ଏସଡିପିଓ ଅଞ୍ଜଳି କୃଷ୍ଣାଙ୍କୁ ଫୋନ ଦେଇଥିଲେ।ଅଞ୍ଜଳି କୃଷ୍ଣା ସେତେବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସ୍ୱର ଜାଣି ପାରିନଥିଲେ। ଅଜିତ ପାୱାର ନିଜର ପରିଚୟ ଦେଇ ଆକ୍ସନ ବନ୍ଦ କରିବାକୁ କହିଥିଲେ, କାରଣ ମୁମ୍ବାଇରେ ମରାଠା ଆନ୍ଦୋଳନ ଚାଲିଛି ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି, ଏହି ଆକ୍ସନ ଏବେ ନେବାର ଆବଶ୍ୟକତା ନାହିଁ।

ଅଜିତ ପାୱାରଙ୍କ କଥା ନ ଶୁଣି ଆଇପିଏସ ଅଫିସର କହିଥିଲେ, “ମୋ ନମ୍ବରକୁ ଫୋନ କର!” ଏହାକୁ ନେଇ ଅଜିତ ପାୱାର ରାଗିଯାଇ କହିଥିଲେ, “କାମ ବନ୍ଦ କର, ତୁମ ଉପରେ ଆକ୍ସନ ନେବି କି, ଏତେ ସାହସ ଅଛି ତୁମର ! ନମ୍ବର ଦିଅ, ଭିଡିଓ କଲ କରୁଛି, ଭିଡିଓ କଲରେ ତ ଚିହ୍ନିବ ନା?”ଏହାପରେ ଅଜିତ ପାୱାର ଅଫିସରଙ୍କ ନମ୍ବର ନେଇ ସିଧାସଳଖ ତାଙ୍କ ଫୋନରେ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ। ଭିଡିଓ କଲ ସମୟରେ ଅଜିତ ପାୱାର ଅଫିସରଙ୍କୁ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଏବଂ ତହସିଲଦାରଙ୍କ ସହ କଥା ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଖନନ ଗ୍ରାମ ପଞ୍ଚାୟତର ଅନୁମତିରେ ହେଉଥିଲା, କିନ୍ତୁ କୌଣସି ସରକାରୀ ଦଲିଲ ଦାଖଲ କରାଯାଇ ପାରିନଥିଲା। ଏହି ପରିପ୍ରେକ୍ଷୀରେ ମହିଳା ଆଇପିଏସ ଅଫିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଏହି ସମୟରେ ବହୁ ସମୟ ଧରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଜିତ ପାୱାରଙ୍କ କଥା କହିବାର ଢଙ୍ଗର ଆଲୋଚନା ହେଉଛି। ଏହି ମାମଲାରେ ଘଟଣାସ୍ଥଳରେ ଉପସ୍ଥିତ ଏନସିପିର କିଛି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ସରକାରୀ କାମରେ ବାଧା ସୃଷ୍ଟି କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ସୋଲାପୁରର ମାଢା ତହସିଲର କୁରଡୁୱାଡି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଏହି ମହିଳା ଅଫିସରଙ୍କ ଘର କେରଳରେ । ତାଙ୍କର ନିକଟରେ ମହାରାଷ୍ଟ୍ରରେ ପୋଷ୍ଟିଂ ହୋଇଛି।

ଏନସିପି ଅଜିତ ପାୱାର ଗୋଷ୍ଠୀର ଜାତୀୟ ପ୍ରବକ୍ତା ଆନନ୍ଦ ପରାଞ୍ଜପେ କହିଛନ୍ତି ଯେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏକ ଭିଡିଓ ଭାଇରାଲ କରାଯାଉଛି । ଅଜିତ ପାୱାର ଧମକ ଦେଉଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ବାସ୍ତବତା ଏହା ଯେ ସୋଲାପୁର ଜିଲ୍ଲାର ମାଢା ତାଲୁକାର କୁରଡୁ ଗାଁରେ ସମସ୍ତ କୃଷକ ତହସିଲଦାରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକତ୍ରିତ ହୋଇଥିଲେ। ସେତେବେଳେ ଅଫିସର ଅଞ୍ଜଳି ସେଠାରେ ଉପସ୍ଥିତ ଥିଲେ। ଡେପୁଟି ସିଏମ୍ କିଏ ବୋଲି ପଚାରିବା ଅଫିସରଙ୍କ ଭୁଲ ବୋଲି ସେ ସଫେଇ ଦେଇଛନ୍ତି ।

ପ୍ରବକ୍ତା ଆହୁରି କହିଛନ୍ତି ଯେ ଅଜିତ ପାୱାର କେବଳ ଏତିକି କହିଥିଲେ ଯେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଉ ଏବଂ ମୋ ଫୋନ ଆସିବାର ସୂଚନା ତହସିଲଦାରଙ୍କୁ ଦିଆଯାଉ। ଲୋକତନ୍ତ୍ରରେ ଲୋକଙ୍କ ସ୍ୱର, ସେହି କୃଷକଙ୍କ ପକ୍ଷ ଶୁଣିବା ମଧ୍ୟ ଜନପ୍ରତିନିଧିଙ୍କ କର୍ତ୍ତବ୍ୟ। ସମଗ୍ର ମହାରାଷ୍ଟ୍ର ଜାଣେ ଯେ ଅଜିତ ପାୱାର ଅତ୍ୟନ୍ତ ସ୍ୱଚ୍ଛତା ସହ ଏବଂ କଠୋର ନିଷ୍ପତ୍ତି ନିଅନ୍ତି। ସେ କୌଣସି ଭୁଲ କାମର ସମର୍ଥନ କରନ୍ତି ନାହିଁ। କେବଳ କୃଷକଙ୍କ ପକ୍ଷ ଶୁଣିବା ପାଇଁ କାର୍ଯ୍ୟାନୁଷ୍ଠାନ ବନ୍ଦ ରହୁ ବୋଲି ତାଙ୍କର ନିର୍ଦ୍ଦେଶ ଥିଲା।

Disclaimer: This content has been automatically aggregated from television for informational purposes. To read the original article, please visit television.