Kharif Crops Under Threat: ଖରିଫ ଫସଲକୁ ମରୁଡ଼ି ଭୟ, ଗଛରେ ଏହି ଉପାୟରେ ଲଗାନ୍ତୁ ଚୂନ ପାଣି

Jun 24, 2026 - 14:52
Kharif Crops Under Threat: ଖରିଫ ଫସଲକୁ ମରୁଡ଼ି ଭୟ, ଗଛରେ ଏହି ଉପାୟରେ ଲଗାନ୍ତୁ ଚୂନ ପାଣି

ଚଳିତ ବର୍ଷ ଭାରତରେ ମୌସୁମୀ ବର୍ଷା ଦୁର୍ବଳ ରହିବ ବୋଲି ଆଶା କରାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ଏଲ୍ ନିନୋ। ବୈଜ୍ଞାନିକମାନେ ଏବଂ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ କରାଇ ଦେଇଛନ୍ତି ଯେ ଏଲ୍ ନିନୋର ପ୍ରଭାବ ଖରିଫ ଫସଲ (Kharif Crops) ଉପରେ ଖରାପ ପ୍ରଭାବ ପକାଇବ। ଯାହା ମରୁଡ଼ି ଆଶଙ୍କା ସୃଷ୍ଟି କରୁଛି। ତେଣୁ, ଚାଷୀମାନଙ୍କୁ ସତର୍କ ରହିବାକୁ ପଡିବ।

ଖରିଫ ଫସଲ ଉପରେ କ'ଣ ପ୍ରଭାବ ପଡ଼ିବ? 

ଖରିଫ ଋତୁ ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟ ମଧ୍ୟରେ ଧାନ, ମକା, ବାଜରା, ଡାଲି, କପା ଏବଂ ଆଖୁ ଭଳି ଫସଲ ବୁଣାଯାଏ। ଅଭାବୀ ବର୍ଷା ଏହି ଫସଲକୁ ବହୁତ କ୍ଷତି ପହଞ୍ଚାଇପାରେ। ଧାନ, ଆଖୁ ଏବଂ କପା ଭଳି ଫସଲ ପାଇଁ ଅଧିକ ପାଣି ଆବଶ୍ୟକ ହୋଇଥାଏ। କିନ୍ତୁ ଚଳିତ ବର୍ଷ ବର୍ଷା କମ୍ ହେବାର ସମ୍ଭାବନା ଥିବାରୁ ଏହି ଫସଲ ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି। 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେନ୍ଦ୍ରୀୟ, ପଶ୍ଚିମ ଏବଂ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ମରୁଡ଼ି ଦେଖାଦେଇପାରେ। ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର କପା ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ଗରମ କପା ଗଛ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ। କାଣ୍ଡ ଚାରିପାଖରେ ଏକ ହଳଦିଆ ବଳୟ ସୃଷ୍ଟି ହୁଏ, ଯାହା ଅନ୍ୟାନ୍ୟ ରୋଗ ସୃଷ୍ଟିକାରୀ କୀଟପତଙ୍ଗ ମାନେ ଏହାକୁ ନଷ୍ଟ କରିଦିଅନ୍ତି। ଯାହା ଫଳରେ କାଣ୍ଡଗୁଡ଼ିକ ଶୁଖିଯାଏ ଏବଂ ଗଛ ମରିଯାଏ।

ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପରାମର୍ଶ

ଏପରି ପରିସ୍ଥିତିରେ, ଚାଷୀମାନେ ଏବେଠାରୁ ସତର୍କ ରହିବା ଉଚିତ। କୃଷି ବିଶେଷଜ୍ଞଙ୍କ ମତରେ, ଚାଷୀମାନେ ବାଜରା, ରାଗି ଭଳି ଫସଲ କମ ପାଣିରେ ଭଲ ଫଳେ। ତେଣୁ ଏହି ଫସଲ କରିପାରିବେ।

ବୈଜ୍ଞାନିକମାନେ ଚାଷୀମାନଙ୍କୁ ଖରା ଓ ତାତିରୁ ରକ୍ଷା କରିବା ପାଇଁ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସେମାନେ ଗଛରେ ଧଳା ଚୂନ ପାଣି ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି। ୧୦୦ ଲିଟର ପାଣିରେ ୨୫ କିଲୋଗ୍ରାମ ଚୂନ, ୫୦୦ ଗ୍ରାମ କପର ସଲଫେଟ୍ ଏବଂ ୫୦୦ ଗ୍ରାମ ଗୋନ୍ଦ ମିଶାଇ ଧଳା ପାଣି ପ୍ରସ୍ତୁତ କରିବେ। ପ୍ରସ୍ତୁତ ମିଶ୍ରଣକୁ ଗଛର କାଣ୍ଡ ଓ ମୁଖ୍ୟ ଡାଳରେ ଲଗାଇଲେ ଗ୍ରୀଷ୍ମ ଋତୁରେ ଗଛ ଉପରେ ତାତିର ପ୍ରଭାବ କମିବା ସହ ଗଛର ସ୍ୱାସ୍ଥ୍ୟ ଭଲ ରହିବ। ଚୂନ ଗଛ ଉପରେ ଧଳା ଆବରଣ ସୃଷ୍ଟି କରି ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରେ, କପର ସଲଫେଟ୍ ଫଙ୍ଗସ୍ ଓ କିଛି ରୋଗଜୀବାଣୁରୁ ସୁରକ୍ଷା ଦେଇଥାଏ ଏବଂ ଗୋନ୍ଦ ଏହି ମିଶ୍ରଣକୁ ଗଛରେ ଅଧିକ ସମୟ ଧରି ଲାଗି ରହିବାରେ ସାହାଯ୍ୟ କରେ।

କିପରି ପ୍ରୟୋଗ କରିବେ?

ପ୍ରଥମେ ଗଛର କାଣ୍ଡକୁ ସଫା କରନ୍ତୁ ଏବଂ ଶୁଖିଲା ଛାଲ କିମ୍ବା ମଇଳା ଥିଲେ ହଟାନ୍ତୁ।

ପରେ ଏକ ବ୍ରଶ୍ କିମ୍ବା ସ୍ପ୍ରେୟର ସାହାଯ୍ୟରେ ଏହି ଧଳା ଚୂନ ପାଣିକୁ ଗଛର ମୂଳ ଭାଗରୁ ଆରମ୍ଭ କରି ପ୍ରାୟ ୧ରୁ ୧.୫ ମିଟର ଉଚ୍ଚତା ପର୍ଯ୍ୟନ୍ତ କାଣ୍ଡ ଏବଂ ମୁଖ୍ୟ ଡାଳରେ ଲଗାନ୍ତୁ।

ମିଶ୍ରଣଟି କାଣ୍ଡର ଚାରିପାଖରେ ସମାନ ଭାବରେ ଲାଗିବା ଦରକାର।

ବର୍ଷା ହୋଇ ଧୋଇଯାଇଥିଲେ ପୁଣିଥରେ ପ୍ରୟୋଗ କରାଯାଇପାରିବ।

ସକାଳ କିମ୍ବା ସନ୍ଧ୍ୟା ସମୟରେ ଏହା ଲଗାଇବା ଅଧିକ ଉପଯୁକ୍ତ।

ଏହି ପଦ୍ଧତି ଆମ୍ବ, ଲିଚୁ, ଲେମ୍ବୁ ଭଳି ଫଳ ଗଛ ସହିତ ଅନ୍ୟାନ୍ୟ ବୃକ୍ଷରେ ମଧ୍ୟ ପ୍ରୟୋଗ କରାଯାଇପାରିବ। ଏହା ଗଛର ତାପ ଚାପ (Heat Stress) କମାଇ ଗଛକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପ୍ରଖର ତାତି ଓ ସୂର୍ଯ୍ୟ ପୋଡ଼ାରୁ ଧଳା ଚୂନ ପାଣି ଗଛର କାଣ୍ଡକୁ ସୁରକ୍ଷା ଦେଇପାରେ। କିନ୍ତୁ ମରୁଡ଼ି ସମୟରେ ଜଳସେଚନ ଓ ଆର୍ଦ୍ରତା ସଂରକ୍ଷଣ ମଧ୍ୟ ଜରୁରୀ। ନିୟମିତ ବ୍ୟବଧାନରେ ବାରମ୍ବାର ଜଳସେଚନ କରିବା ଦ୍ଵାରା ଗଛଗୁଡ଼ିକୁ ଗରମ ଏବଂ ମରୁଡିର ପ୍ରଭାବରୁ ରକ୍ଷା କରାଯାଇପାରିବ। 

ଏଲ୍ ନିନୋ କ’ଣ ଏବଂ ଏହା ମୌସୁମୀକୁ କିପରି ପ୍ରଭାବିତ କରେ? 

ଏଲ୍ ନିନୋ ଏକ ପ୍ରାକୃତିକ ଜଳବାୟୁ ଘଟଣା। ପ୍ରଶାନ୍ତ ମହାସାଗରର ଜଳ ସ୍ୱାଭାବିକ ଅପେକ୍ଷା ଅଧିକ ଉଷ୍ମ ହୋଇଯାଏ, ଯାହା ପବନ ଏବଂ ବର୍ଷାର ଢାଞ୍ଚାକୁ ପରିବର୍ତ୍ତନ କରିଥାଏ। ଭାରତରେ, ଏଲ୍ ନିନୋ ବର୍ଷଗୁଡ଼ିକରେ ମୌସୁମୀ ପ୍ରାୟତଃ ଦୁର୍ବଳ ରହିଥାଏ। ୨୯ ମଇ, ୨୦୨୬ରେ ପ୍ରକାଶିତ ଏହାର ଦୀର୍ଘ-ପରିସର ପୂର୍ବାନୁମାନରେ, IMD ପୂର୍ବାନୁମାନ କରିଛି ଯେ ଏହି ବର୍ଷ ସାରା ଦେଶରେ ମୌସୁମୀ ବର୍ଷା ଦୀର୍ଘକାଳୀନ ହାରାହାରି (LPA) ର ମାତ୍ର ୯୦-୯୨% ହୋଇପାରେ। ଫଳସ୍ୱରୂପ, ଅଭାବୀ ବର୍ଷା ହେବାର ସମ୍ଭାବନା ରହିଛି।

ବିଶେଷ ସୂଚନା:- ଧଳା ଚୂନ ପାଣି ମୁଖ୍ୟତଃ ଗଛର କାଣ୍ଡ ଓ ସୂର୍ଯ୍ୟ କିରଣର ସିଧାସଳଖ ପ୍ରଭାବରେ ଥିବା ଡାଳଗୁଡ଼ିକୁ ଅତ୍ୟଧିକ ତାପଜନିତ କ୍ଷତିରୁ ସୁରକ୍ଷା ଦେଇଥାଏ। କିନ୍ତୁ ଏହା ଗଛର ଚେରକୁ କିମ୍ବା ଜଳ ଅଭାବ ଜନିତ ସମସ୍ୟାକୁ ଦୂର କରିପାରେ ନାହିଁ।