Key Reasons Behind the Defeat: ଆୟରଲାଣ୍ଡ ଠାରୁ ବିପର୍ଯ୍ୟୟର ପୋଷ୍ଟମର୍ଟମ୍, କାହିଁକି ହାରିଲା ଭାରତ ?

ଆୟରଲାଣ୍ଡ ଟି-୨୦ ସିରିଜ୍ରେ କାହିଁକି ହାରିଲା ଟିମ୍ ଇଣ୍ଡିଆ? ସାଢ଼େ ତିନି ମାସ ପୂର୍ବେ ଯେଉଁ ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ଟି-୨୦ ବିଶ୍ୱ ମୁକୁଟ ଜିତିଥିଲା ଏବଂ ଆଇସିସିର ଶୀର୍ଷ ମାନ୍ୟତା ଉପରେ ଯାହାର କବ୍ଜା ରହିଛି, ସେହି ଟିମ୍ର ଅଚାନକ ଏମିତି କ’ଣ ହେଲା ଯେ ସେ ଶୀର୍ଷ-୧୦ ବାହାରେ ଥିବା ଏକ ଟିମ୍ଠାରୁ ଦ୍ୱିପାକ୍ଷିକ ସିରିଜ୍ ହାରିଗଲା । ଏହା ପୂର୍ବରୁ ଭାରତ ଏହି ଟିମ୍ଠାରୁ କେବେ କୌଣସି ମ୍ୟାଚ୍ ବି ହାରି ନ ଥିଲା ।
କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟ୍ରେ ମଧ୍ୟ କେହି କଳ୍ପନା କରି ନ ଥିବେ ଯେ ଆୟରଲାଣ୍ଡ ଟିମ୍ ଭାରତ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ କ୍ଲିନ୍ସୁଇପ୍ କରିବ । ଏହା ସହିତ ଭାରତୀୟ ଟି-୨୦ ଟିମ୍ର ୧୬-ସିରିଜ୍ (ଦ୍ୱିପାକ୍ଷିକ ଓ ବହୁରାଷ୍ଟ୍ରୀୟ) ବିଜୟଧାରାରେ ଯବନିକା ପଡ଼ିଛି ।
ଏହା ଟିମ୍ର ପ୍ରଦର୍ଶନ ଉପରେ ପ୍ରଶ୍ନଚିହ୍ନ ଲଗାଇଛି ଏବଂ ଦୁର୍ବଳତାକୁ ଉଜାଗର କରିଛି । ଚୟନକାରୀ ଓ କୋଚ୍ ବି ପ୍ରଶ୍ନଘେରକୁ ଆସିଛନ୍ତି । ଏବେ ପ୍ରଶ୍ନ ଉଠୁଛି, ଏହି ଐତିହାସିକ ବିଫଳତା ପଛରେ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କ’ଣ ଏକମାତ୍ର କାରଣ ଥିଲା? ବିଶ୍ୱବିଜେତା ଟିମ୍ର କମ୍ବିନେସନ୍ରେ ପରିବର୍ତ୍ତନ କରାଯାଇ ଏତେଶୀଘ୍ର ନୂଆ ଅଧିନାୟକଙ୍କୁ ଦାୟିତ୍ୱ ଦିଆଯିବା କେତେଦୂର ଯୁକ୍ତିଯୁକ୍ତ ଥିଲା?
ଟିମ୍ର ଦୁର୍ବଳ ବ୍ୟାଟିଂ ଓ ଭାଗୀଦାରୀର ଅଭାବ
ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଟିମ୍ର ବିଫଳତାର ମୁଖ୍ୟ କାରଣ ଥିଲା, ଏକମାତ୍ର ନୁହେଁ । ଏଥିରେ ମୁଖ୍ୟତଃ ଶୀର୍ଷକ୍ରମର ଫ୍ଲପ୍ ଶୋ’ ଚର୍ଚ୍ଚାର ବିଷୟ ହୋଇଛି ।
ଟିମ୍ ଇଣ୍ଡିଆ ଉଭୟ ମ୍ୟାଚ୍ରେ ପାୱାରପ୍ଲେର ଫାଇଦା ଉଠାଇ ପାରି ନ ଥିଲା । ପ୍ରଥମ ଟି-୨୦ରେ ଟିମ୍ ୧୮୩ ରନ୍ ବିଜୟଲକ୍ଷ୍ୟର ପିଛାକରି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା ଏବ ୧୪୮ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ୧୬ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା ଏବଂ ୯୦ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା ।
ଦ୍ୱିତୀୟ ମ୍ୟାଚ୍ରେ ୧୫୫ ରନ୍ର ସହଜ ବିଜୟଲକ୍ଷ୍ୟ ଥିବା ବେଳେ ଟିମ୍ ୧ ରନ୍ରେ ପରାଜିତ ହୋଇଥିଲା । ଶୂନରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଟିମ୍ ୩୫ ରନ୍ ମଧ୍ୟରେ ଚାରି ଓ ୭୪ ରନ୍ ମଧ୍ୟରେ ପାଞ୍ଚ ବ୍ୟାଟର୍ଙ୍କୁ ହରାଇଥିଲା । ଉଭୟ ମ୍ୟାଚ୍ରେ ଭାରତୀୟ ଟିମ୍ର ଆରମ୍ଭ ଦୁର୍ବଳ ଥିଲା । ଦୁଇ ମ୍ୟାଚ୍ରେ ଟି୨୦ ବିଶ୍ୱକପ୍ ବିଜୟର ନାୟକ ସଞ୍ଜୁ ସାମ୍ସନ୍ ମୋଟ୍ ୫, ଅଭିଷେକ ଶର୍ମା ୪୯, ଈଶାନ କିଶନ ୧୩ ରନ୍ କରିଥିଲେ । ସଞ୍ଜୁ ଓ ଅଭିଷେକ ଦ୍ୱିତୀୟ ମ୍ୟାଚ୍ରେ ଖାତା ଖୋଲିପାରି ନ ଥିଲେ ଯେତେବେଳେକି ଈଶାନ ପ୍ରଥମ ମ୍ୟାଚ୍ରେ ୧ ରନ୍ର ଇନିଂସ୍ ଖେଳିଥିଲେ ।
କେବଳ ଶୀର୍ଷକ୍ରମ ନୁହେଁ, ମଧ୍ୟକ୍ରମ ବି ଆଶାଜନକ ପ୍ରଦର୍ଶନ କରିପାରି ନ ଥିଲା । ଅଧିନାୟକ ଶ୍ରେୟସଙ୍କ ଉପରେ ମଧ୍ୟକ୍ରମର ଦାୟିତ୍ୱ ଥିଲା ଏବଂ ସେ ଉଭୟ ମ୍ୟାଚ୍ରେ ମୋଟ୍ ୧୩ ରନ୍ କରିଥିଲା । ଦ୍ୱିତୀୟ ଟି-୨୦ରେ ତିଲକ ବର୍ମା ୫୫ ରନ୍ର ଇନିଂସ୍ ଖେଳିଥିଲେ, ହେଲେ ତାଙ୍କୁ ଅନ୍ୟପଟୁ ସହଯୋଗ ମିଳି ନ ଥିଲା । ସେ ସିରିଜ୍ରେ ଭାରତ ପକ୍ଷରୁ ସର୍ବାଧିକ ୭୪ ରନ୍ କରିଥିଲେ । ପୂରା ସିରିଜ୍ରେ ଟିମ୍ରେ ଭଲ ଭାଗୀଦାରୀ ଦେଖିବାକୁ ମିଳି ନ ଥିଲା । ୱିକେଟ୍ ପଡ଼ିଚାଲିଥିଲା ଏବଂ କୌଣସି ବ୍ୟାଟର୍ ମ୍ୟାଚ୍କୁ ଶେଷ ଯାଏଁ ନେବାର ଦାୟିତ୍ୱ ତୁଲାଇପାରି ନ ଥିଲେ ।
ସଞ୍ଜୟ ମାଞ୍ଜରେକରଙ୍କ ପ୍ରଶ୍ନ
ପୂର୍ବତନ ଭାରତୀୟ ବ୍ୟାଟର୍ ସଞ୍ଜୟ ମାଞ୍ଜରେକର ଭାରତୀୟ ଟିମ୍ ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବାନୁଯାୟୀ ଭାରତ ପାଇଁ ଅଲ୍ରାଉଣ୍ଡର୍ଙ୍କ ସଂଖ୍ୟା ବଢ଼ାଇବା ପରିବର୍ତ୍ତେ ଜଣେ ବିଶେଷଜ୍ଞ ମଧ୍ୟକ୍ରମ ବ୍ୟାଟର୍ ଆବଶ୍ୟକ । ଇଂଲଣ୍ଡ ଭଳି ପରିସ୍ଥିତିରେ ବୈଷୟିକ ରୂପରେ ମଜଭୁତ ବ୍ୟାଟର୍ ଅଧିକ ସଫଳ ହୋଇପାରିବେ । ଭାରତ ଗତ କିଛି ବର୍ଷ ହେଲା ଟି-୨୦ କ୍ରିକେଟ୍ର ସବୁଠାରୁ ସଫଳ ଟିମ୍ ରହିଆସିଛି ।
ତେବେ ଆୟରଲାଣ୍ଡ ଗସ୍ତ ଏହା ଶିକ୍ଷା ଦେଇଛି ଯେ ସୀମ୍ ଓ ଅତିରିକ୍ତ ବାଉନ୍ସ ପରିସ୍ଥିତିରେ ଭାରତୀୟ ବ୍ୟାଟର୍ଙ୍କୁ ଏବେ ଉନ୍ନତ କୌଶଳର ଅଧିକ ପ୍ରସ୍ତୁତି କରିବାକୁ ହେବ । ଭାରତୀୟ ଖେଳାଳି ନିକଟରେ ଆଇପିଏଲ୍ ଖେଳିଥିଲେ, ଯେଉଁଠି ଫ୍ଲାଟ୍ ପିଚ୍ରେ ଖେଳାଯାଇଥିଲା । ଏପରି ସ୍ଥଳେ ଆୟରଲାଣ୍ଡର ଦ୍ରୁତ ବାଉନ୍ସ ହେଉଥିବା ପିଚ୍ରେ ସେମାନେ ତାଳମେଳ ସ୍ଥାପନ କରିପାରି ନ ଥିଲେ ।
ଭାରତୀୟ ବୋଲର୍ ବି ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ । ଅବଶ୍ୟ ଦ୍ୱିତୀୟ ମ୍ୟାଚ୍ରେ ନବାଗତ ପ୍ରିନ୍ସ ଯାଦବ ତିନି ୱିକେଟ୍ ନେଇ ପ୍ରଭାବିତ କରିଥିଲେ । ଅନ୍ୟପଟେ, ଆୟରଲାଣ୍ଡର ଖେଳାଳିମାନେ ଭାରତଠାରୁ ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲେ ।
ନେତୃତ୍ୱ ଓ ବ୍ୟାଟିଂରେ ଶ୍ରେୟସଙ୍କ ବିଫଳତା
ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ହେବା ପରଠାରୁ ଅଭିଜ୍ଞ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ହିଁ ଟି-୨୦ ଆନ୍ତର୍ଜାତିକ ଟିମ୍ର ନେତୃତ୍ୱ ନେଇଆସୁଥିଲେ । ତାଙ୍କ ଅଧିନାୟକତ୍ୱ କାଳରେ ଟିମ୍ ଇଣ୍ଡିଆ କୌଣସି ଦ୍ୱିପାକ୍ଷିକ ସିରିଜ୍ ହାରି ନ ଥିବା ବେଳେ ବିଶ୍ୱକପ୍ ଓ ଏସିଆ କପ୍ ଭଳି ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି ।
୩୫ବର୍ଷୀୟ ସୂର୍ଯ୍ୟକୁମାରଙ୍କ ନେତୃତ୍ୱ ଦକ୍ଷତାକୁ ନେଇ କାହାର ପ୍ରଶ୍ନ ନ ଥିଲା, କିନ୍ତୁ ଅଧିନାୟକ ହେବା ପରଠାରୁ ବ୍ୟାଟିଂ ପ୍ରଦର୍ଶନରେ ଅବନତି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଏହାଛଡ଼ା, ତାଙ୍କ ବୟସ ଅଧିନାୟକତ୍ୱ ହରାଇବା ପଛର ଦ୍ୱିତୀୟ କାରଣ ଥିଲା । ସେ ବୋର୍ଡର ୨୦୨୮ ଟି-୨୦ ବିଶ୍ୱକପ୍ ଯୋଜନାରେ ଫିଟ୍ ହେଉ ନାହାନ୍ତି ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ସୂର୍ଯ୍ୟକୁମାରଙ୍କୁ ଅଚାନକ ଅଧିନାୟକତ୍ୱ, ଏପରିକି ଟିମ୍ରୁ କାଢ଼ି ଦିଆଯିବା ଏବଂ ଶ୍ରେୟସ ଆୟରଙ୍କୁ ଟିମ୍କୁ ଆଣି ନେତୃତ୍ୱ ଦାୟିତ୍ୱ ଦିଆଯିବା ନିଷ୍ପତ୍ତି ବିସ୍ମୟକର ଥିଲା ।
ଶ୍ରେୟସ ଅଢ଼େଇ ବର୍ଷ ପରେ ଟି-୨୦ ଟିମ୍କୁ ଫେରିଥିଲେ ଏବଂ ତାଙ୍କୁ ଆୟରଲାଣ୍ଡ ଗସ୍ତ ପାଇଁ ସିଧା ଅଧିନାୟକ କରାଯାଇଥିଲା । ଏଥିପାଇଁ ତାଙ୍କ ଆଇପିଏଲ୍ ପ୍ରଦର୍ଶନ ମାପକାଠି ହୋଇଥିଲା । ତେବେ ଚୟନ କମିଟି ଓ ମୁଖ୍ୟ କୋଚ୍ଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଛି । ଶ୍ରେୟସ ଜଣେ ଭଲ ବ୍ୟାଟର୍ ଓ ଆଇପିଏଲ୍ରେ ଭଲ ଅଧିନାୟକତ୍ୱ କରୁଛନ୍ତି । ଏହାସତ୍ତ୍ୱେ ଏଭଳି ନିଷ୍ପତ୍ତିକୁ ‘ତରବରିଆ’ କୁହାଯିବ ।
ଗତ ଅଢ଼େଇ ବର୍ଷ ହେଲା ଭାରତୀୟ ରଣନୀତିରେ ହୋଇଥିବା ପରିବର୍ତ୍ତନ ଏବଂ ଖେଳାଳିମାନଙ୍କ ସାମର୍ଥ୍ୟ ଓ ଦୁର୍ବଳତା ବିଷୟରେ ଅଜ୍ଞତା ଶ୍ରେୟସଙ୍କ ପାଇଁ ସମସ୍ୟା ହୋଇଛି । ସେ ଆୟରଲାଣ୍ଡ ବିପକ୍ଷ ସିରିଜ୍ ବି ବଞ୍ଚାଇପାରି ନାହାନ୍ତି ।
ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ଭାବେ ଆଉ କିଛି ସିରିଜ୍ରେ ସୁଯୋଗ ଦିଆଯାଇଥିଲେ ଭଲ ହୋଇଥା’ନ୍ତା । ଏପରି ସ୍ଥଳେ ଶ୍ରେୟସଙ୍କୁ ଆଗ ଟିମ୍କୁ ଆଣି ପରେ ଅଧିନାୟକ ଦାୟିତ୍ୱ ଦିଆଯାଇପାରିଥା’ନ୍ତା । କେବଳ ଅଧିନାୟକତ୍ୱରେ ନୁହେଁ, ବ୍ୟାଟିଂ ପ୍ରଦର୍ଶନରେ ବି ଶ୍ରେୟସ ନିରାଶ କରିଛନ୍ତି । ସେ ପ୍ରଥମ ମ୍ୟାଚ୍ରେ ୩ ଓ ଦ୍ୱିତୀୟ ମ୍ୟାଚ୍ରେ ୧୦ ରନ୍ର ଇନିଂସ୍ ଖେଳିଥିଲେ ।
ଟିମ୍ ପ୍ରଥମ ଟି-୨୦ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ରେ ଅଧିନାୟକଙ୍କ କାନ୍ଧରେ ସିରିଜ୍କୁ ବରାବର ସ୍ଥିତିକୁ ଆଣିବାର ବଡ଼ ଦାୟିତ୍ୱ ଥିଲା । କିନ୍ତୁ ସେ ଦାୟିତ୍ୱକୁ ତୁଲାଇବାରେ ବିଫଳ ହୋଇଥିଲେ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ଯଦି ଟିମ୍ର ଏଭଳି ପ୍ରଦର୍ଶନ ଜାରି ରହେ, ତା’ହେଲେ ଶ୍ରେୟସଙ୍କଠାରୁ ଅଧିନାୟକତ୍ୱ କଢ଼ାଯିବା ନେଇ ବିଚାର କରାଯାଇପାରେ ।