Judgement: ମହିଳା ପ୍ରତିନିଧିତ୍ବ ଉପରେ ଜୋର ଦେଲେ ପ୍ରଧାନ ବିଚାରପତି

Aug 04, 2026 - 19:43
Judgement: ମହିଳା ପ୍ରତିନିଧିତ୍ବ ଉପରେ ଜୋର ଦେଲେ ପ୍ରଧାନ ବିଚାରପତି

"ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ବାର୍‌ କାଉନ୍‌ସିଲ୍‌ରେ ମହିଳାଙ୍କ ପ୍ରତିନିଧିତ୍ବ ବଢ଼ାଇବା ଏବଂ ପୁରୁଷଙ୍କ ଏକଚାଟିଆ ପ୍ରଭାବକୁ ଶେଷ କରିବା ଆବଶ୍ୟକ ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ କରିଛନ୍ତି।

ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନରେ ଅନିୟମିତତା, ଭୋଟ୍‌ ପଦ୍ଧତି ଏବଂ ମହିଳା ସଦସ୍ୟଙ୍କୁ ମନୋନୀତ କରିବା ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି।Advertisment ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ, ରାଜ୍ୟ ବାର୍‌ କାଉନ୍‌ସିଲ୍‌ଗୁଡ଼ିକ ଧୀରେ ଧୀରେ "ପୁରୁଷଙ୍କ କ୍ଲବ୍‌"ରେ ପରିଣତ ହୋଇଯାଇଛି।

କେତେକ ଲୋକ ଏହାକୁ ନିଜସ୍ବ ଏକଚାଟିଆ କ୍ଷେତ୍ର ଭଳି ଚଳାଉଛନ୍ତି।

ଏଭଳି ଏକାଧିକାର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିବା ଦରକାର।

ଏହି ମାମଲାରେ ସୁପ୍ରିମ୍‌କୋର୍ଟ ପ୍ରତ୍ୟେକ ରାଜ୍ୟର ହାଇକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ସମ୍ପୃକ୍ତ ରାଜ୍ୟ ବାର୍‌ କାଉନ୍‌ସିଲ୍‌ରେ ଦୁଇଜଣ ମହିଳା ସଦସ୍ୟଙ୍କୁ ସହ-ମନୋନୀତ କରିବା ପାଇଁ ନାମ ସୁପାରିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତି ହୋଇଥିବା ବେଳେ ଅନ୍ୟଜଣେ ବାର୍‌ରେ ସୁନାମ ଅର୍ଜନ କରିଥିବା ବରିଷ୍ଠ ମହିଳା ଓକିଲ ହେବା ଆବଶ୍ୟକ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଏହାସହ ବାର୍‌ କାଉନ୍‌ସିଲ୍‌ ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କୁ ମଧ୍ୟ ସହ-ମନୋନୀତ ସଦସ୍ୟ ଭାବେ ବିଚାର କରାଯିବାରେ କୌଣସି ବାଧା ନାହିଁ ବୋଲି କୋର୍ଟ କହିଛନ୍ତି।

ଏହି ମାମଲାରେ ସ୍ଥାନାନ୍ତରଯୋଗ୍ୟ ଭୋଟ୍‌ (ଟ୍ରାନ୍ସଫରେବଲ୍‌ ଭୋଟ୍‌) ଗଣନା ପଦ୍ଧତି, ବିଶେଷକରି ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହା କିପରି ଲାଗୁ ହେବ, ସେହି ପ୍ରସଙ୍ଗକୁ ନ୍ୟାୟମୂର୍ତ୍ତି ସୁଧାଂଶୁ ଧୂଲିଆଙ୍କ ନେତୃତ୍ବାଧୀନ ଉଚ୍ଚକ୍ଷମତାସମ୍ପନ୍ନ ତଦାରଖ କମିଟିକୁ ପୁଣିଥରେ ବିଚାର ପାଇଁ ପଠାଯାଇଛି।

କମିଟିକୁ ବାର୍‌ର ସଦସ୍ୟମାନଙ୍କଠାରୁ ପରାମର୍ଶ ମାଗିବା, ସେମାନଙ୍କୁ ମୌଖିକ ଶୁଣାଣିର ସୁଯୋଗ ଦେବା ଏବଂ ତାହାପରେ ନିଜର ସୁପାରିସ ଚୂଡ଼ାନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଓ ବିଭିନ୍ନ ରାଜ୍ୟ ବାର୍‌ କାଉନ୍‌ସିଲ୍‌ର ନିର୍ବାଚନ ତଦାରଖ ଓ ନିର୍ବାଚନ ସମ୍ପର୍କିତ ବିବାଦର ସମାଧାନ ପାଇଁ ସୁପ୍ରିମ୍‌କୋର୍ଟ ପୂର୍ବରୁ ନ୍ୟାୟମୂର୍ତ୍ତି ସୁଧାଂଶୁ ଧୂଲିଆଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚକ୍ଷମତାସମ୍ପନ୍ନ କମିଟି ଗଠନ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।