Judgement: ଅର୍ଜୁନ ଜାନୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସୁପ୍ରିମ୍କୋର୍ଟ; ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସମାଲୋଚନା
"ନୂଆଦିଲ୍ଲୀ: ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାର ବ୍ୟାପକ ବିଫଳତା ଉପରେ ସୁପ୍ରିମ୍କୋର୍ଟ ମଙ୍ଗଳବାର ଏକ ଗମ୍ଭୀର ଟିପ୍ପଣୀ ଦେଇଛନ୍ତି।
କେବଳ ସନ୍ଦେହ ଆଧାରରେ ଗିରଫ ହୋଇ ନିର୍ଯାତନାର ସମ୍ମୁଖୀନ ହେବା ସହ ବିନା କୌଣସି ବିଶ୍ୱସନୀୟ ପ୍ରମାଣରେ ଦୀର୍ଘ ୨୨ ବର୍ଷ ଜେଲ୍ରେ କାଟିଥିବା ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ସର୍ବୋଚ୍ଚ ଅଦାଲତ ସମ୍ପୂର୍ଣ୍ଣ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଜଷ୍ଟିସ ଜେ ବି ପାର୍ଦିୱାଲା ଏବଂ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିବା ସହ ଅଦାଲତଗୁଡ଼ିକର ଏଭଳି ମିଳିତ ବିଫଳତା ଯୋଗୁଁ ଜଣେ ନିରୀହ ମଣିଷର ଜୀବନରୁ ୨୨ ବର୍ଷ ସମ୍ପୂର୍ଣ୍ଣ ଭାବେ ଲିଭିଗଲା ବୋଲି ଦର୍ଶାଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।Advertisment ମାମଲାର ବିବରଣୀ ଅନୁଯାୟୀ, ଓଡ଼ିଶାର କୋରାପୁଟ ଜିଲ୍ଲାର ଅର୍ଜୁନ ଜାନୀ ଓରଫ ଟୁନଟୁନଙ୍କୁ ୩ ଜଣ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ନିମ୍ନ ଅଦାଲତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।
ଏହି ନିଷ୍ପତ୍ତି ବିରୋଧରେ ଅର୍ଜୁନ ଜେଲ୍ରୁ ଓଡ଼ିଶା ହାଇକୋର୍ଟରେ ଏକ ଅପିଲ୍ ଦାୟର କରିଥିଲେ।
ମାତ୍ର ହାଇକୋର୍ଟ ସେହି ସମୟରେ ଅର୍ଜୁନ ୧୨ ବର୍ଷର ଜେଲ୍ ଦଣ୍ଡ ଭୋଗି ସାରିଥିଲେ ମଧ୍ୟ ତାଙ୍କ ଆବେଦନରେ ୩,୧୫୭ ଦିନର ବିଳମ୍ବ ହୋଇଥିବା ଦର୍ଶାଇ ମାମଲାର ଗୁଣବତ୍ତାକୁ ବିଚାର ନକରି ଆବେଦନଟିକୁ ଖାରଜ କରିଦେଇଥିଲେ।
ଏହାପରେ ସର୍ବୋଚ୍ଚ ଅଦାଲତରେ ମାମଲା ପହଞ୍ଚିବା ବେଳକୁ ଅର୍ଜୁନ ଆହୁରି ୧୦ ବର୍ଷ ଅର୍ଥାତ୍ ସର୍ବମୋଟ ୨୨ ବର୍ଷ ଜେଲ୍ରେ କାଟି ସାରିଥିଲେ।
ହାଇକୋର୍ଟଙ୍କ ଏଭଳି ସମ୍ବେଦନହୀନ ମନୋଭାବ ଏବଂ କେବଳ ମାମଲା ସମାପ୍ତ କରିବାର ସଂଖ୍ୟା ବଢ଼ାଇବା ନୀତିକୁ ସର୍ବୋଚ୍ଚ ଅଦାଲତ ତୀବ୍ର ସମାଲୋଚନା କରିଛନ୍ତି।
ଜଷ୍ଟିସ ଚନ୍ଦ୍ରନଙ୍କ ଦ୍ୱାରା ଲିଖିତ ଏହି ରାୟରେ କୁହାଯାଇଛି ଯେ, ଗରିବ ଓ ଅବହେଳିତ ଶ୍ରେଣୀର ଲୋକମାନଙ୍କ ପାଇଁ ନ୍ୟାୟ ପାଇବା ଏବେ ମଧ୍ୟ ଅପହଞ୍ଚ ହୋଇ ରହିଛି।
ଯେତେବେଳେ ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ଆଇନଗତ ସହାୟତାକୁ ଗରିବଙ୍କ ଦୁଆରମୁହଁରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ସେହି ସମୟରେ ସାମ୍ବିଧାନିକ ଅଦାଲତଗୁଡ଼ିକ ଜେଲ୍ରୁ ଆସୁଥିବା ସାଧାରଣ କଏଦୀଙ୍କ ଅପିଲ୍କୁ କେବଳ ବିଳମ୍ବ ଦର୍ଶାଇ ଖାରଜ କରିବା ଉଚିତ ନୁହେଁ।
ଏଭଳି ମାମଲାରେ କୋର୍ଟ ଏକ ସକ୍ରିୟ ଏବଂ ଉଦାରବାଦୀ ଆଭିମୁଖ୍ୟ ଗ୍ରହଣ କରି ବିଳମ୍ବକୁ କ୍ଷମା କରିବା ଆବଶ୍ୟକ, କାରଣ ଏହା ଜଣେ ମଣିଷର ସବୁଠାରୁ ମୂଲ୍ୟବାନ ମୌଳିକ ଅଧିକାର "ସ୍ୱାଧୀନତା" ସହ ଜଡ଼ିତ।
ସର୍ବୋଚ୍ଚ ଅଦାଲତ ମାମଲାର ଯାଞ୍ଚ କରି ପାଇଛନ୍ତି ଯେ, ସେହି ମାମଲାରେ ଥିବା ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ମହିଳାଙ୍କ ସାକ୍ଷ୍ୟ ସମ୍ପୂର୍ଣ୍ଣ ରୂପେ ଅବିଶ୍ୱସନୀୟ, ଦୁର୍ବଳ ଏବଂ ସନ୍ଦେହଜନକ ଥିଲା।
ରାତ୍ରି ସମୟରେ ଘଟିଥିବା ସେହି ଘଟଣାକୁ ସେ ଦେଖିଥିବା ଦାବି କରିବା ଅସମ୍ଭବ ଲାଗୁଥିଲା।
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, କେବଳ ଜଣେ ସାକ୍ଷୀଙ୍କ ଆଧାରରେ ଦଣ୍ଡାଦେଶ ଦିଆଯାଇପାରେ, ମାତ୍ର ସେହି ସାକ୍ଷ୍ୟ ସମ୍ପୂର୍ଣ୍ଣ ସତ୍ୟ, ସ୍ପଷ୍ଟ ଏବଂ ପରିସ୍ଥିତି ସହ ମେଳ ଖାଇବା ଉଚିତ, ଯାହା ଏହି ମାମଲାରେ ସମ୍ପୂର୍ଣ୍ଣ ଓଲଟା ଥିଲା।
Kaveri Dispute: କାବେରୀ ଜଳ ବିବାଦ: ସୁପ୍ରିମ୍କୋର୍ଟ ଗଲା ତାମିଲନାଡ଼ୁ ସରକାର ଏହି ପରିପ୍ରେକ୍ଷୀରେ, ସର୍ବୋଚ୍ଚ ଅଦାଲତ ଅର୍ଜୁନ ଜାନୀଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହିତ ଓଡ଼ିଶାର କୋରାପୁଟ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନକୁ ତୁରନ୍ତ ୨୨ ବର୍ଷ ପରେ ଜେଲ୍ରୁ ମୁକ୍ତ ହେଉଥିବା ଅର୍ଜୁନ ଜାନୀଙ୍କର ପୁନର୍ବାସ ଏବଂ ସମାଜରେ ଥଇଥାନ ପାଇଁ ସମସ୍ତ ପ୍ରକାର ଆର୍ଥିକ ଓ ସାମାଜିକ ସହାୟତା ଯୋଗାଇ ଦେବାକୁ ଏକ ବିଶେଷ ନିର୍ଦ୍ଦେଶ ଜାରି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।