Judgement: ପୋକ୍ସୋ ମାମଲା ଲୁଚାଇବା ଗୁରୁତର ଅପରାଧ: ସୁପ୍ରିମକୋର୍ଟ
"ନୂଆଦିଲ୍ଲୀ: ଶିଶୁ ଯୌନ ନିର୍ଯାତନା ରୋକିବା ଆଇନ(ପୋକ୍ସୋ)ଆକ୍ଟ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କୌଣସି ପୀଡ଼ିତ ଶିଶୁଠାରୁ ଯୌନ ନିର୍ଯାତନାର ସିଧାସଳଖ ସୂଚନା ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା କୌଣସି ବ୍ୟକ୍ତି ନିଜ ସ୍ତରରେ ଗୁପ୍ତ ଯାଞ୍ଚ କରି ପୁଲିସକୁ ନଜଣାଇ ରହିପାରିବେ ନାହିଁ।
ଏହା କରିବା ଏକ ଦଣ୍ଡନୀୟ ଅପରାଧ।
ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ କେ.ଭି.
ବିଶ୍ୱନାଥନଙ୍କ ଖଣ୍ଡପୀଠ ଆସାମର ଗୁଆହାଟୀ ସ୍ଥିତ ଏକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାମଲାରୁ ମୁକ୍ତ କରିବା ପାଇଁ ନିମ୍ନ ଅଦାଲତ ଏବଂ ଗୁଆହାଟୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି।
ଏହାସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ଚାଲିବ ବୋଲି କହିଛନ୍ତି ।Advertisment ଅଭିଯୋଗ ଅନୁଯାୟୀ, ଗୁଆହାଟୀର ଏକ ସ୍କୁଲରେ ପଢ଼ୁଥିବା ଜଣେ ୮ ବର୍ଷର ଛାତ୍ରୀଙ୍କୁ ତାର ଜଣେ ସିନିୟର ଛାତ୍ର ଯୌନ ନିର୍ଯାତନା ଦେଇଥିଲା।
ପୀଡ଼ିତା ଏହି ବିଷୟରେ ନିଜ ଭଉଣୀ ଏବଂ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ।
ମାତ୍ର ପୋକ୍ସୋ ଆଇନ ଅନୁଯାୟୀ ତୁରନ୍ତ ପୁଲିସକୁ ଜଣାଇବା ପରିବର୍ତ୍ତେ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ନିଜ ସ୍ତରରେ ଯାଞ୍ଚ କରିଥିଲେ।
ସେ ଶିଶୁଟିର ଗୁପ୍ତାଙ୍ଗରେ କ୍ଷତ ଏବଂ ଫୁଲା ଚିହ୍ନ ଦେଖିବା ସହ ଅଭିଯୁକ୍ତ ଛାତ୍ରକୁ ପଚରାଉଚରା କରିଥିଲେ।
ମାତ୍ର ଶେଷରେ "କିଛି ଘଟିନାହିଁ" ବୋଲି ନିଜେ ନିଷ୍ପତ୍ତି ନେଇ ପୁଲିସକୁ ସୂଚନା ଦେଇନଥିଲେ।
ଏପରିକି ଏହି ଘଟଣା ବାହାରେ କାହାକୁ ନକହିବା ପାଇଁ ସେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଚାପ ପକାଇଥିବା ଅଭିଯୋଗ ହୋଇଛି।
Asaram Bapu: ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟକା ପ୍ରଧାନ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ରଖାଯାଇଥିବା ସଫେଇକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୋକ୍ସୋ ଆଇନର ଧାରା ୧୯(୧) ଅନୁଯାୟୀ "ଅପରାଧ ସମ୍ପର୍କରେ ଜ୍ଞାନ ଥିବା" ଅଭିବ୍ୟକ୍ତିର ଅର୍ଥ ହେଉଛି ପୀଡ଼ିତ ଶିଶୁଠାରୁ ସିଧାସଳଖ ମିଳିଥିବା ସୂଚନା।
ଯଦି କୌଣସି ଶିଶୁ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇବାକୁ ସକ୍ଷମ, ତେବେ ତାହାକୁ ସତ୍ୟ ବୋଲି ଧରି ମାମଲା ରୁଜୁ କରିବା ବାଧ୍ୟତାମୂଳକ।
ଆଇନ ଅନୁଯାୟୀ ତୁରନ୍ତ ରିପୋର୍ଟ କରିବାର ଉଦ୍ଦେଶ୍ୟ ହେଉଛି ପ୍ରମାଣ ନଷ୍ଟକୁ ରୋକିବା ଏବଂ ଶିଶୁକୁ ଅଧିକ ସୁରକ୍ଷା ଦେବା।
ପୁଲିସକୁ ନଜଣାଇ ନିଜେ ତଦନ୍ତ କଲେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ ହେବାର ଆଶଙ୍କା ଥାଏ, ଯାହା ମାମଲାକୁ ଦୁର୍ବଳ କରିଦିଏ।
ଅପରାଧ ଘଟିଛି କି ନାହିଁ ତାହା ପୁଲିସ ତଦନ୍ତ କରିବ, କୌଣସି ସ୍କୁଲ କର୍ତ୍ତୃପକ୍ଷ ନୁହେଁ।
ପୀଡ଼ିତାଙ୍କ ମା"ଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, କାରଣ ସେ ଶିଶୁଠାରୁ ସିଧାସଳଖ ଅଭିଯୋଗ ପାଇଥିଲେ।
ସ୍କୁଲର ଅନ୍ୟ ଶିକ୍ଷକ ଏବଂ ହଷ୍ଟେଲ ୱାର୍ଡେନଙ୍କୁ ମାମଲାରୁ ମୁକ୍ତ ରଖାଯାଇଛି, କାରଣ ସେମାନଙ୍କ ପାଖରେ ଏହି ଘଟଣାର ସିଧାସଳଖ ସୂଚନା ନଥିଲା।
ସୂଚନାଯୋଗ୍ୟ , ପୋକ୍ସୋ ଆଇନର ଧାରା ୨୧ ଅନୁଯାୟୀ ଶିଶୁ ପ୍ରତି ହେଉଥିବା ଅପରାଧର ସୂଚନା ଲୁଚାଇଲେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।