Jatra Industry Erupts After Controversial Remark: କୁକୁର ମନ୍ତବ୍ୟ ପରଠୁ ଜଲିଉଡରେ ଘମାସାନ, ପୁରୁଣା ଗୋହି ଖୋଳାଖୋଳି
ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା। ଯାତ୍ରା ସ୍ବର୍ଣ୍ଣମହଲର ସହ-ପ୍ରଯୋଜକ ତଥା ଉପଦେଷ୍ଟା କ୍ଷୀରୋଦ ସ୍ବାଇଁଙ୍କ ‘କୁକୁର’ ମନ୍ତବ୍ୟକୁ ନେଇ ଘମାସାନ୍। ତୀବ୍ର ନିନ୍ଦା କରୁଛନ୍ତି କଳାକାର। ଯାତ୍ରା ମାଲିକ ମଧ୍ୟ ନଛୋଡ଼ବନ୍ଦା। ‘କୁକୁର’ ମନ୍ତବ୍ୟକୁ ନେଇ ଯାତ୍ରା ଜଗତରେ ହଲଚଲ୍। ଗତକାଲିଠୁ କମ୍ପୁଛି ବୟାନବାଜି...ଘମାସାନ୍ ମିଡ଼ିଆ ମୈଦାନ...କଳାକାର-ମାଲିକ ଏବଂ ଦର୍ଶକଙ୍କ ଉଦ୍ଦେଶ୍ୟରେ ଯାତ୍ରା ସ୍ବର୍ଣ୍ଣମହଲର ସହ-ପ୍ରଯୋଜକ କ୍ଷୀରୋଦ ସ୍ବାଇଁଙ୍କ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗକୁ ନେଇ ଜଣଙ୍କ ପରେ ଜଣେ ଝାଡୁଛନ୍ତି ଅସନ୍ତୋଷ। ଟଙ୍କା ବିବାଦର ପୁରୁଣା ଗୋହି ଖୋଳି କ୍ଷୀରୋଦ, କଳାକାର ଦମ୍ପତ୍ତି ରତି ଏବଂ ତାଙ୍କ ପତ୍ନୀ ମିଟୁନାଙ୍କ ବିରୋଧରେ ଯେଉଁ ବୟାନ ଦେଇଥିଲେ, ଆଜି ତାକୁ କାଉଣ୍ଟର କରି କ୍ଷୀରୋଦ ଓରଫ ମହତାବ ବାବୁ ଔଷଧ ବିକଳରେ ତାଟିଆ କାମୁଡ଼ୁଥିବା କହିଛନ୍ତି ଉଭୟ ଦଂପତ୍ତି।
କଳାକାର କଳାକୁ ନେଇ ବଞ୍ଚେ। ନାନା ସଂଘର୍ଷ କରି ଉପରକୁ ଉଠେ। ଯାତ୍ରା ମାଲିକ ତଥା ପ୍ରଯୋଜକ ବି ଟଙ୍କା ଲଗାନ୍ତି, କିଏ ତଳିତଳାନ୍ତ ହୁଅନ୍ତି ତ ଆଉ କିଏ ତିଷ୍ଠି ରୁହନ୍ତି। ଅର୍ଥାତ ଯାତ୍ରା ଜଗତରେ ସମସ୍ତଙ୍କ କ୍ଷେତ୍ରରେ ସଂଘର୍ଷ ହିଁ ସଫଳତାର ମାପକାଠି। କିନ୍ତୁ ସବୁରି ମୂଳରେ ଦର୍ଶକଙ୍କ ତାଳି ହିଁ ସବୁକିଛି। ଏଭଳି ସ୍ଥିତିରେ ଛି ଛାକର କରିବା ସହ କଳାକାରଙ୍କୁ ବାସିରୁଟି ଖିଆ କୁକୁର ବୋଲି ମନ୍ତବ୍ୟ ଦେଇଥିବା କ୍ଷୀରୋଦଙ୍କୁ ଅନ୍ୟ କଳାକାର ଏବଂ ପ୍ରଯୋଜକ ବି ନିନ୍ଦା କରିଛନ୍ତି। ମାଲିକଙ୍କ ସହ ଆର୍ଥିକ କାରବାର ଏବଂ ଚୁକ୍ତିଭଙ୍ଗ ବିବାଦକୁ ସ୍ବୀକାର କରିଥିଲେ ବି ଅଭିନେତ୍ରୀ ଟିକିନା ପାଣିଗ୍ରାହୀ କ୍ଷୀରୋଦଙ୍କ ତାତ୍ସଲ୍ୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି। ବରିଷ୍ଠ ଅଭିନେତ୍ରୀ ମିନୁ ମହାପାତ୍ର ମଧ୍ୟ କଡ଼ା ନିନ୍ଦା କରିଛନ୍ତି।
ଏକଥା ସତ, ନିଆଁ ନଥିଲେ ଧୂଆଁ ବାହାରେନି। କଳାକାର ଏବଂ ମାଲିକଙ୍କ ମଧ୍ୟରେ ବିବାଦ ତ ଅଛି। ହୋଇପାରେ ଚୁକ୍ତି ନିୟମ ଖିଲାପ କରି ଟଙ୍କା ଲୋଭରେ କିଛି କଳାକାର ଅନ୍ୟ ଯାତ୍ରାପାର୍ଟିକୁ ଡିଆଁ ପାରୁଛନ୍ତି। ମାଲିକ ତଥା ପ୍ରଯୋଜକ ମାନେ ମଧ୍ୟ କ୍ଷତି ସହୁଛନ୍ତି। ତା’ବୋଲି କ’ଣ କାହା ପ୍ରତି ଆକ୍ଷେପମୂଳକ ଏବଂ ଅପମାନଜନକ ଶବ୍ଦ ବ୍ୟବହାର କରାଯିବ ? ଅଭିନେତ୍ରୀ ତଥା ଯାତ୍ରା ମାଲିକାଣୀ ରାଣୀ ପଣ୍ଡା, କ୍ଷୀରୋଦଙ୍କ ସପକ୍ଷରେ ମନ୍ତବ୍ୟ ଦେବା ସହ କ୍ଷତି ସହୁଥିବା ମାଲିକଙ୍କ ମଧ୍ୟରେ ନିଶ୍ଚିତ କ୍ଷୋଭ ପ୍ରକାଶ ପାଇବ ବୋଲି କହିଛନ୍ତି। ସେପଟେ ଯାତ୍ରା ସ୍ବର୍ଣ୍ଣମହଲ ପ୍ରଯୋଜକ କବିରାଜ ସ୍ବାଇଁ ଭାଇ କ୍ଷୀରୋଦଙ୍କୁ ଘଣ୍ଟଘୋଡ଼ାଇବା ସହ ଖା-ଗିଲ୍-ଭୁଞ୍ଜ୍ ର ଉଦାହରଣ ଦେଇ ଭାଇର ବୟାନକୁ ଭୁଲ ଚିତ୍ରଣ କରାଯାଉଥିବା କହିଛନ୍ତି।
ଭିନ୍ନ ଭିନ୍ନ ବିବାଦର ପାହାଡ଼ ଉପରେ ଛିଡ଼ା ହୋଇଛି ଯାତ୍ରା ଜଗତ। ଏସବୁ ଭିତରେ ‘କୁକୁର’ ମନ୍ତବ୍ୟ, ନିଆଁ ଲଗାଇଥିବାବେଳେ କେବେ ତୁଟୁଛି କଳାକାର-ମାଲିକଙ୍କ କଳି ଆଉ କେବେ ସୁଧୁରୁଛି ସ୍ଥିତି, ତାକୁ ଅପେକ୍ଷା।