06 JUNE 2026

Welcome!

Unlock your personalized experience.
Sign Up

Jagannath Prasad: ରେଖା ଓ ଲେଖାର ମଣିଷ: କଥାପୁରୁଷ ଜଗନ୍ନାଥ ପ୍ରସାଦ

Jun 05, 2026 - 07:19
Jagannath Prasad: ରେଖା ଓ ଲେଖାର ମଣିଷ: କଥାପୁରୁଷ ଜଗନ୍ନାଥ ପ୍ରସାଦ

ସବୁଦନ ପାଇଁ ନିରବି ଯାଇଛନ୍ତି ଓଡ଼ିଆ ସାରସ୍ବତ ଜଗତର କିମ୍ବଦନ୍ତୀ ପୁରୁଷ ଜଗନ୍ନାଥ ପ୍ରସାଦ ଦାସ। ସେ ଥିଲେ କବି, ଗାଳ୍ପିକ, ନାଟ୍ୟକାର, ଅନୁବାଦକ, ସମାଲୋଚକ, ଗବେଷକ, ଚିତ୍ରକାର, କଳା ଇତିହାସବିଜ୍ଞାନୀ ଓ ଚିତ୍ରଶିଳ୍ପୀ। ଜେପି ଭାବେ ପରିଚିତ ଏହି ସ୍ରଷ୍ଟା ଯେଉଁ କ୍ଷେତ୍ରରେ ହାତ ଦେଇଛନ୍ତି, ସେଥିରେ ସଫଳ ହୋଇଛନ୍ତି। ସାହିତ୍ୟ ଓ କଳାରେ ଗବେଷଣା ପାଇଁ ଭାରତୀୟ ପ୍ରାଶାସନିକ ଚାକିରିରୁ ଅବ୍ୟାହତି ନେଇଥିବା ଜେପି ଅନେକ ପୁସ୍ତକ ରଚନା କରିବା ସହ ବିଭିନ୍ନ ସାଂସ୍କୃତିକ କ୍ଷେତ୍ର ଉପରେ ଗବେଷଣା କରି ସଫଳ ହୋଇଛନ୍ତି। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ଜେପିଙ୍କୁ ‘ସମ୍ବାଦ’ର ବିନମ୍ର ଶ୍ରଦ୍ଧାଞ୍ଜଳି।

କଥାପୁରୁଷ ଜଗନ୍ନାଥ ପ୍ରସାଦ

ଜଗନ୍ନାଥ ପ୍ରସାଦ ଦାସ ଗଳ୍ପ ଓ ଉପନ୍ୟାସ ରଚନାରେ ମଧ୍ୟ ଶିଖର ଛୁଇଁଥିଲେ। ଭାରତୀୟ କଥା ସାହିତ୍ୟରେ ତାଙ୍କ ଗଳ୍ପଗୁଡ଼ିକ ବେଶ୍‌ ଚର୍ଚ୍ଚିତ ମଧ୍ୟ ହୋଇଥିଲା। ସେ କୌଣସି ଗୋଟିଏ ବିଷୟବସ୍ତୁ ବା ଗୋଟିଏ ପ୍ରକାର କାହାଣୀ ଭିତରେ ନିଜକୁ ସୀମିତ ରଖି ନଥିଲେ। କାରଣ ତାଙ୍କ ଜୀବନ ଥିଲା ବହୁବର୍ଣ୍ଣା। ସେ ବିଭିନ୍ନ କ୍ଷେତ୍ର ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ ଓ ବିଭିନ୍ନ କିସମର ମଣିଷମାନଙ୍କ ସଂସ୍ପର୍ଶରେ ଆସିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କ ଭିତରେ କିଛି ଜାଣିବାର, ଅଧ୍ୟୟନ କରିବାର ଓ ବୁଝିଥିବା ତଥ୍ୟ ତଥା କଥ୍ୟକୁ ବିଶ୍ଳେଷଣ କରିବାର ପ୍ରବୃତ୍ତି ରହିଥିଲା। ପ୍ରଥମ ଧାଡ଼ିର ମଣିଷମାନଙ୍କ ଠାରୁ ଆରମ୍ଭ କରି ଶେଷ ଧାଡ଼ିର ଲୋକକୁ ବି ସେ ଜାଣିଥିଲେ ଏବଂ ସେମାନଙ୍କ ଗହଣରେ ରହିବାର ଆଗ୍ରହ ରଖୁଥିଲେ। ଏହା ହିଁ ତାଙ୍କ ଭିତରେ ଗଳ୍ପ ରଚନାର ପ୍ରବଣତା ଭର୍ତ୍ତି କରିଥିଲା।

Education: ସିଇଇ ଅନଲାଇନ୍ ଆବେଦନର ଶେଷ ତାରିଖ ୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି

ଜଗନ୍ନାଥ ପ୍ରସାଦ ତାଙ୍କ ସାରସ୍ବତ ଜୀବନରେ ବହୁ ଗଳ୍ପ ସଙ୍କଳନ ରଚନା କରିଛନ୍ତି। ତା ଭିତରେ ପ୍ରମୁଖ ହେଉଛି ଭବନାଥ ଓ ଅନ୍ୟମାନେ, ଦିନଚର୍ଯ୍ୟା, ଆମେ ଯେଉଁମାନେ, ସାକ୍ଷାତକାର, ପ୍ରିୟ ବିଦୂଷକ, ଶେଷ ପର୍ଯ୍ୟନ୍ତ, ଇଚ୍ଛାପତ୍ର ଏବଂ ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ। ତାଙ୍କର ଅନେକ କଥା ପୁସ୍ତକ ଇଂରାଜି ସମେତ ବିଭିନ୍ନ ଭାରତୀୟ ଭାଷା ଓ କେତେକ ଗଳ୍ପ ମଧ୍ୟ ଅନ୍ୟ ବିଦେଶୀ ଭାଷାରେ ଅନୂଦିତ ହୋଇ ବିଶ୍ବର ବିଭିନ୍ନ ପ୍ରାନ୍ତରେ ପରିଚିତ ଓ ପ୍ରଶଂସିତ ହୋଇଛି।   
ଜଗନ୍ନାଥ ପ୍ରସାଦଙ୍କ ଗଦ୍ୟ ରଚନା ଭିତରେ ଆଧୁନିକତା ଓ ବ୍ୟକ୍ତି-ମଣିଷର ଆତ୍ମସମୀକ୍ଷାକୁ ବେଶ୍‌ ବାରିହୁଏ। ତାଙ୍କର ‘ଦେଶ କାଳ ପାତ୍ର’ ହେଉଛି ଓଡ଼ିଆ ସାହିତ୍ୟରେ ଏକ ପଥିକୃତ ସୃଷ୍ଟି। ଏହାକୁ ଐତିହାସିକ ଉପନ୍ୟାସ କୁହାଯାଉଥିଲେ ମଧ୍ୟ ଓଡ଼ିଶାର ଇତିହାସ, ରାଜନୀତି ଓ ସାମାଜିକ ଜୀବନ ପ୍ରେକ୍ଷାପଟରେ ଏକ କିମ୍ବଦନ୍ତୀସୁଲଭ ରଚନା। ଓଡ଼ିଆ ଐତିହ୍ୟ ଓ ଜନଜୀବନର ନିଚ୍ଛକ ଚିତ୍ର ବହନ କରୁଥିବା ଏହି ଉପନ୍ୟାସ ପରବର୍ତ୍ତୀ ସମୟରେ ଅନେକ ଲେଖକଙ୍କୁ ପ୍ରେରିତ କରିଛି। ଏହି ଯୁଗାନ୍ତକାରୀ ପୁସ୍ତକ ଆମ ସାହିତ୍ୟକୁ ଜଗନ୍ନାଥ ପ୍ରସାଦଙ୍କ ଏକ ବିରଳ ଉପହାର ଭାବେ ଚିହ୍ନିତ ହୋଇରହିବ। ଏହାବ୍ୟତୀତ ସେ ମଧ୍ୟ ‘ସୁଭଦ୍ରାଙ୍କ ଆଖି’ ଉପନ୍ୟାସ ରଚନା କରିଥିଲେ।

କବିତା ହିଁ ପ୍ରଥମ ପ୍ରେମ

କବିତା ହିଁ ଥିଲା ସ୍ରଷ୍ଟା ଜଗନ୍ନାଥ ପ୍ରସାଦଙ୍କ ପ୍ରଥମ ପ୍ରେମ। କବିତା ଭିତରେ ମଣିଷ ଓ ମଣିଷ ଭିତରର ଆଉ ଜଣେ ମଣିଷକୁ ଆବିଷ୍କାର କରିବାର ପ୍ରୟାସ ହିଁ ଥିଲା ଏହି କବିଙ୍କର କବିତା। ତାଙ୍କ କବିତା ପାଠକଙ୍କୁ ଖୁବ ଅନ୍ତରଙ୍ଗ ଓ ବିଶ୍ବସ୍ତ ଲାଗେ ଏଥିପାଇଁ ଯେ, ସେଥିରେ ଆଟୋପ ନାହିଁ କି ସମୟର ଅର୍ଦ୍ଧସତ୍ୟର ବଖାଣ ନାହିଁ। ଜୀବନର ମାମୁଲି କଥାଗୁଡ଼ିକ ଭିତରେ ସେ ନିଜସ୍ବ ଶୈଳୀରେ କବିତାର ଏକ ପୃଥିବୀ ନିର୍ମାଣ କରିଛନ୍ତି। ଏହି କ୍ରମରେ ତାଙ୍କର ଅନେକ କବିତା ପୁସ୍ତକ ପ୍ରକାଶିତ ହୋଇଛି। 

୧୯୫୧ରେ ଜଗନ୍ନାଥ ପ୍ରସାଦ ‘ସ୍ତବକ’ ନାମକ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ। ସେହି ସମୟରେ ଏହି ଯୁବକବି ଥିଲେ ଏକ ନୂଆ ଦୀପ୍ତି। ପରେ ପରେ ସେ ପ୍ରଥମ ପୁରୁଷ, ଅନ୍ୟସବୁ ମୃତ୍ୟୁ, ଯେ ଯାହାର ନିର୍ଜନତା, ଅନ୍ୟ ଦେଶ ଭିନ୍ନ ସମୟ, ଯାତ୍ରାର ପ୍ରଥମ ପାଦ, ଆହ୍ନିକ, ସ୍ଥିରଚିତ୍ର, ସଚରାଚର, ସୃତିର ସହର, ପରିକ୍ରମା ଓ ଅସମୟ ଭଳି ଅନେକ କବିତା ପୁସ୍ତକ ରଚନା କରିଛନ୍ତି। ତାଙ୍କ ପ୍ରେମ କବିତା, ଶ୍ରେଷ୍ଠ କବିତା, କବିତା ସମଗ୍ରକୁ ନେଇ ପୂର୍ବାପର- ୧ ଓ ୨, ରଙ୍ଗଲିପି ଓ ‘କବିତା ସମଗ୍ର’ ଆଦି ପ୍ରକାଶ ପାଇଛି। ଏତିକିରେ ଜଗନ୍ନାଥ ପ୍ରସାଦଙ୍କ କାବ୍ୟଯାତ୍ରା ସୀମାବଦ୍ଧ ନୁହେଁ, ତାଙ୍କର ଆହୁରି ଅନେକ କବିତା ପୁସ୍ତକ ପ୍ରକାଶିତ ହୋଇଛି। କାରଣ ସାରସ୍ବତ ଜଗତର ଅନେକ କ୍ଷେତ୍ର ଭିତରେ ବିଚରଣ କରୁଥିଲେ ମଧ୍ୟ ସେ ଥିଲେ କବିପ୍ରାଣ। ତେଣୁ ସେ ହିଁ ଲେଖିପାରନ୍ତି- ‘‘ଜ୍ଞାତକୁ ଆଉ ଅଜ୍ଞାତ କରିବାର ଅପଚେଷ୍ଟା କରି ଲାଭ ନାହିଁ/ ଏବେ ନିଜର ଅନ୍ତର୍ଦୃଷ୍ଟି ଦେଇ ନିଜ ଭିତରକୁ ଦେଖିବାର କଥା...।’’

ଜଗନ୍ନାଥ ପ୍ରସାଦଙ୍କ ‘ଆଳିମାଳିକା’ ଓ ‘ଆଳୁକୁଚି ମାଳୁକୁଚି’ ଦୁଇ ପୁସ୍ତକ ସାଧାରଣ ମନେ ହେଉଥିଲେ ମଧ୍ୟ ପରବର୍ତ୍ତୀ ପିଢ଼ିର କବିମାନଙ୍କ ପାଇଁ ମାର୍ଗଦର୍ଶକ ଭଳି। ଓଡ଼ିଆରେ ନନ୍‌ସେନ୍‌ସ ଭର୍ସ ରଚନାରେ ସିଦ୍ଧହସ୍ତ ଏହି କବିଙ୍କ ସଫଳତାର ପ୍ରମାଣ ହେଉଛି ଏହି ଦୁଇ କବିତା ପୁସ୍ତକ।

ଜେପିଙ୍କ ଚିତ୍ର ଓ ଗବେଷଣା

ଜଗନ୍ନାଥ ପ୍ରସାଦ ଦାସ ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ପହଞ୍ଚାଇବା ପାଇଁ ଅନେକ ଗବେଷଣାଭିତ୍ତିକ ପୁସ୍ତକ ରଚନା କରିଛନ୍ତି। ଜଗନ୍ନାଥ ପ୍ରସାଦ ଦାସ ୧୯୭୦ ମସିହାରେ ନିଜର ଚିତ୍ରସମୂହର ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ। ୧୯୭୯ରେ ମିଳିଥିବା ‘ହୋମି ଭାବା ବୃତ୍ତି’ ଦ୍ୱାରା ସେ ପଟ୍ଟଚିତ୍ର ଉପରେ ଗବେଷଣା କରିବାର ସୁଯୋଗ ପାଇଥିଲେ। ତାଙ୍କ ରଚିତ ‘Puri Paintings: The Chitrakar and His Work’ ଓଡ଼ିଶାର ପଟ୍ଟଚିତ୍ର ଏବଂ ପୁରୀର ଚିତ୍ରକାର ସମାଜର ଜୀବନଶୈଳୀ, ସେମାନଙ୍କ କଳା ଶୈଳୀ ଓ ପରମ୍ପରା ଉପରେ ଏକ ପଥିକୃତ ଗବେଷଣା ଗ୍ରନ୍ଥ।  ତାଙ୍କ ରଚିତ ‘Chitra-Pothi: Illustrated Palm-leaf Manuscripts’ ଓଡ଼ିଶାର ପାରମ୍ପରିକ ତାଳପତ୍ର ଚିତ୍ର ଏବଂ ପୁରାତନ ଚିତ୍ରିତ ପାଣ୍ଡୁଲିପିଗୁଡ଼ିକ ଉପରେ ଏଥିରେ ଗଭୀର ଆଲୋଚନା କରାଯାଇଛି। ସେହିପରି ‘Palm-Leaf Miniatures’ ପୁସ୍ତକ ମାଧ୍ୟମରେ ଓଡ଼ିଶାର ବିଖ୍ୟାତ ପୁରାତନ କଳାକାର ରଘୁନାଥ ପୃଷ୍ଟିଙ୍କ କାର୍ଯ୍ୟ ଏବଂ ତାଳପତ୍ରରେ ସୂକ୍ଷ୍ମ କଳାକୃତିର ଇତିହାସ ପ୍ରକାଶ ପାଇଛି। ପ୍ରଫେସର ଇବର୍‌ହାଡ୍ ଫିଶରଙ୍କ ସହ ମିଶି ସେ ରଘୁନାଥ ପୃଷ୍ଟିଙ୍କ ଦ୍ୱାରା ଖୋଦିତ ପୁରାତନ ତାଳପତ୍ର ପୋଥିଗୁଡ଼ିକୁ ସଂଗ୍ରହ କରିଥିଲେ ଏବଂ ସେଗୁଡ଼ିକ ଉପରେ ଗଭୀର ଗବେଷଣା କରି ପୁସ୍ତକ ପ୍ରକାଶ କରିଥିଲେ। ଜଗନ୍ନାଥ ପ୍ରସାଦ ଜଣେ ଉଚ୍ଚକୋଟୀର ଚିତ୍ରଶିଳ୍ପୀ ଥିଲେ। ଭାରତର ବିଭିନ୍ନ ସ୍ଥାନରେ ତାଙ୍କର ଚିତ୍ରକଳାର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି। ତାଙ୍କର ସାହିତ୍ୟିକ କୃତି ଓ କଳାକୁ ଏକାଠି କରି ‘Words on Canvas’ ନାମକ ପୁସ୍ତକ ପ୍ରକାଶ ପାଇଛି। ଏଥିରେ ତାଙ୍କ ଅଙ୍କିତ କିଛି ଚିତ୍ରର ନମୁନା ସ୍ଥାନିତ ହୋଇଛି। ତାଙ୍କ ଲେଖାଗୁଡ଼ିକ ଦ୍ୱାରା ପ୍ରେରିତ ହୋଇ ବିଦେଶୀ କଳାପ୍ରେମୀ ଓ ଗବେଷକମାନେ ଓଡ଼ିଶାର କଳା ପ୍ରତି ଆକୃଷ୍ଟ ହୋଇଛନ୍ତି।

Sports: କ୍ରୀଡ଼ା ପରିସର ପ୍ରତିଷ୍ଠା: ସରକାରୀ ଜମି ଉପଲବ୍ଧ କରିବା ପାଇଁ ପ୍ରଶାସନର ଚିନ୍ତା

ଜେପିଙ୍କ ଯାତ୍ରା

ଜଗନ୍ନାଥ ପ୍ରସାଦ ଦାସ, ସଂକ୍ଷେପରେ ଜେପିଙ୍କ ଜନ୍ମ ପୁରୀ ଜିଲ୍ଲାର ବାଣପୁରରେ, ଏପ୍ରିଲ୍ ୨୬, ୧୯୩୬ ମସିହାରେ। ତାଙ୍କ ବାପା ଥିଲେ ବିଶିଷ୍ଟ ଲେଖକ-ଅନୁବାଦକ ଶ୍ରୀଧର ଦାସ, ମାଆ ଇନ୍ଦୁ ଦେବୀ। ତେବେ ସେମାନଙ୍କର ପୈତୃକ ଗାଁ ବାଣପୁର ନୁହେଁ, କାକଟପୁରର ନଇଗୁଆଁ। ସ୍ବର୍ଗତ ଶ୍ରୀଧର ଦାସ ପ୍ରଥମେ ବୌଦ୍ଧରେ ଶିକ୍ଷା ଅଧିକାରୀ ଭାବେ ଚାକିରି କରୁଥିଲେ, ପରେ ସେ ବାଣପୁର ହାଇସ୍କୁଲରେ ଶିକ୍ଷକତା କଲେ। ସେହି ସମୟରେ ଉକ୍ତ ସ୍କୁଲ ନିକଟରେ ଜାଗା କିଣି ଘର ତୋଳିଥିଲେ। ସେହି ଘରେ ଜେପିଙ୍କର ଜନ୍ମ। ବାଣପୁରରେ ତାଙ୍କର ପ୍ରାଥମିକ ଶିକ୍ଷା ମଧ୍ୟ ସଂପନ୍ନ ହୋଇଥିଲା। ଶ୍ରୀଧର ଦାସ ନିଜ ଆତ୍ମଜୀବନୀ ‘ସୁଅମୁହଁର ପତର’ରେ ଜେପିଙ୍କ ନାମକରଣ ବିଷୟରେ ଲେଖିଛନ୍ତି, ଶ୍ରୀଜଗନ୍ନାଥଙ୍କ ପ୍ରସାଦରୁ ପାଇଥିବାରୁ ପୁଅର ନାଁ ସେ ରଖିଥିଲେ ‘ଜଗନ୍ନାଥ ପ୍ରସାଦ’। ପିଲାଟି ଦିନରୁ ଜେପି ଅତ୍ୟନ୍ତ ମେଧାବୀ ଥିଲେ। ତାଙ୍କ ବାପା ଶିକ୍ଷକତା ଛାଡ଼ି ପରେ ଅଧ୍ୟାପନା କରିଥିଲେ। ସମୟକ୍ରମେ ସେ କଟକର ଉତ୍କଳ ଖ୍ରୀଷ୍ଟିଆନ କଲେଜ (ବର୍ତ୍ତମାନର ଖ୍ରୀଷ୍ଟ କଲେଜ)ର ଅଧ୍ୟାପକ ହୋଇଥିଲେ। ତେଣୁ ଜେପି ମଧ୍ୟ କଟକ ଯାଇ ମିଶନ ସ୍କୁଲ ବା ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲରେ ନାଁ ଲେଖାଇଥିଲେ। ସେହି ସ୍କୁଲରୁ ସେ ୧୯୫୧ ମସିହାରେ ସେ ମାଟ୍ରିକ୍‌ ପାସ୍ କରିଥିଲେ।

ଶିକ୍ଷକ-ଅଧ୍ୟାପକ ବାପା ନିଜେ ଜଣେ ଲେଖକ ଥିବାରୁ ଘରେ ସାହିତ୍ୟର ପରିବେଶ ଥିଲା, ବହି ଓ ପତ୍ରପତ୍ରିକା ଥିଲା। ତା’ର ପ୍ରଭାବ ଜେପିଙ୍କ ଉପରେ ପଡ଼ିଥିଲା। ସେ ଅତି ପିଲାଟି କାଳରୁ କବିତା ଲେଖା ଆରମ୍ଭ କରିଥିଲେ। ଚିତ୍ର ଆଙ୍କିବା ବି ତାଙ୍କର ସଉକ ଥିଲା। ସେହି ସଉକଟି ଆଜୀବନ ରହିଥିଲା। ସ୍କୁଲରେ ପଢ଼ୁଥିବାବେଳେ ତାଙ୍କର ଲେଖା ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା। ପ୍ରଥମ କବିତା ବୋଧହୁଏ ପ୍ରକାଶିତ ହୋଇଥିଲା ୧୯୪୯ରେ ବମ୍ବେରୁ ସେତେବେଳେ ପ୍ରକାଶିତ ହେଉଥିବା ଓଡ଼ିଆ ପତ୍ରିକା  ‘କୁଙ୍କୁମ’ରେ।  ସେତେବେଳେ ତାଙ୍କର ବୟସ ମାତ୍ର ୧୩ ବର୍ଷ। ତା’ପରେ ଉକ୍ତ ପତ୍ରିକା ସମେତ ‘ପ୍ରଜାତନ୍ତ୍ର’ର ସାହିତ୍ୟ ପୃଷ୍ଠା ଓ କଲିକତାରୁ ପ୍ରକାଶିତ ହେଉଥିବା ‘ଆସନ୍ତାକାଲି’ ଆଦି ପତ୍ରିକାରେ ତାଙ୍କର କବିତା ନିୟମିତ ପ୍ରକାଶିତ ହେଲା। ମାଟ୍ରିକ୍‌ ପରେ ସେ ଖ୍ରୀଷ୍ଟ କଲେଜରେ ଆଇଏ ପଢ଼ିଲେ। ତା’ପରେ ୧୯୫୩ରେ ରେଭେନ୍ସା କଲେଜରେ ଅର୍ଥନୀତି ସମ୍ମାନ ନେଇ ବିଏ ପଢ଼ିଲେ। ସେ‌ଠାରେ ପଢ଼ିବାବେଳକୁ କବିତାରେ ତାଙ୍କର ନାଁ ହୋଇଗଲାଣି। ଜେପି ଅର୍ଥନୀତିରେ ବିଶ୍ବବିଦ୍ୟାଳୟରେ ପ୍ରଥମ ସ୍ଥାନରେ ରହି ବିଏ ପାସ୍‌ କରିଥିଲେ ଏବଂ ଛାତ୍ରବୃତ୍ତି ପାଇ ଆହ୍ଲାବାଦ ବିଶ୍ବବିଦ୍ୟାଳୟକୁ ଏମ୍ଏ ପଢ଼ିବାକୁ ଯାଇଥିଲେ।  ସେଠାରେ ପଢ଼ିବାବେଳେ ଜେପି ସେଠାକାର ପେଣ୍ଟିଂ କ୍ଲାସ୍‌ରେ ମଧ୍ୟ ନାମ ଲେଖାଇଥିଲେ। ୧୯୫୭ରେ ସେ ପ୍ରଥମ ଶ୍ରେଣୀରେ ଏମ୍‌ଏ ପାସ୍‌ କରିବାପରେ ସେହି ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ପାଇଁ ପ୍ରସ୍ତାବ ପାଇ ଗ୍ରହଣ କରିଥିଲେ। ତେବେ ସେହିବର୍ଷ ହିଁ ସେ ଭାରତୀୟ ପ୍ରାଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଧ୍ୟାପନା ଛାଡ଼ି ପ୍ରଶାସକ ଜୀବନ ଆରମ୍ଭ କରିଥିଲେ। 

ଟ୍ରେନିଂ ପରେ ଓଡ଼ିଶାକୁ ଫେରି ଜେପି ୧୯୫୯ରେ ଛତ୍ରପୁର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗ ଦେଇଥିଲେ। ତା’ପରେ ସେ ରାଉରକେଲ‌ା ବଦଳି ହୋଇଥିଲେ। ରାଉରକେଲାରେ ଅବସ୍ଥାପିତ ଥିବାବେଳେ ମିତ୍ରା ମହାନ୍ତିଙ୍କ ସହିତ ତାଙ୍କର ବିବାହ ସଂପନ୍ନ ହୋଇଥିଲା। କଟକର ଝିଅ ମିତ୍ରା ରେଭେନ୍ସା କଲେଜରୁ ଇଂରାଜି ଭାଷା ସାହିତ୍ୟରେ ସ୍ନାତକୋତ୍ତର ପାସ୍‌ କରିଥିଲେ, ଥିଲେ ମଧ୍ୟ କଟକ ଆକାଶବାଣୀର ଜଣେ ପରିଚିତ କଣ୍ଠଶିଳ୍ପୀ। ଜେପି ଯେବେ ଦିଲ୍ଲୀକୁ ଗଲେ, ଶ୍ରୀମତୀ ଦାସ ଗୀତରୁ ସିନା ଦୂରେଇଗଲେ, କିନ୍ତୁ ଦିଲ୍ଲୀ ଆକାଶବାଣୀରେ ଓଡ଼ିଆ ସମ୍ବାଦପାଠିକା ଭାବେ ପୁଣି ଶ୍ରୋତାଙ୍କ ନିକଟକୁ ଫେରି ଆସିଥିଲେ। ସେ ଜଣେ ସଫଳ ଅନୁବାଦିକା ମଧ୍ୟ। ହିନ୍ଦୀ ଓ ଇଂରାଜିରୁ ଅନେକ ବହି ସେ ଓଡ଼ିଆରେ ଅନୁବାଦ କରିଛନ୍ତି।

ସେମାନଙ୍କର ଏକମାତ୍ର କନ୍ୟାଙ୍କର ଜନ୍ମ ୧୯୬୨ ମସିହାରେ। ଚିତ୍ରପ୍ରେମୀ ‌ଜେପି ଝିଅର ନାଁ କ’ଣ ରଖିଥିବେ, ଅନୁମାନ କରାଯାଇପାରେ- ମୋନାଲିସା। ମୋନାଲିସା ଜଣେ ଜାପାନୀଙ୍କୁ ବିବାହ କରି ପରିବାର ସହିତ ଖୁସିରେ ଆମେରିକାରେ ରହନ୍ତି। ଜେପି ସାହିତ୍ୟ ଓ କଳା ତଥା ଗବେଷଣାକୁ ପୂରା ସମୟ ଦେବାଲାଗି ସମୟ ପୂର୍ବରୁ ଚାକିରିରୁ ଅବସର ନେଇଥିଲେ। ଅବସର‌ ପରେ ଅନେକ ବର୍ଷ ଦିଲ୍ଲୀରେ ରହିଥିଲେ। ସେ ସମୟରେ ସେଠାକାର ଓଡ଼ିଆ ଲୋକେ ତାଙ୍କୁ ମୁରବି ଭାବେ ଦେଖୁଥିଲେ। ତେବେ କିଛିବର୍ଷ ତଳୁ ସେ ଭୁବନେଶ୍ବର ଫେରିଆସିଥିଲେ। ଜେପି ମୃତ୍ୟୁପରେ ଅଙ୍ଗଦାନ ପାଇଁ ଇଚ୍ଛାପତ୍ରରେ ଉଲ୍ଲେଖ କରିଥିଲେ। ଆହୁରି ମଧ୍ୟ କୌଣସି ଆଡ଼ମ୍ବର ନକରିବାଲାଗି ଉଲ୍ଲେଖ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।