ISKCON Reject Gajapati Maharaja's Appeal: କାହା ସାହସରେ ବହପ ଦେଖାଉଛି ବିଧର୍ମୀ ଇସ୍କନ, ଓଡ଼ିଶା ସହ ଭାରତରୁ ତଡ଼ିବାକୁ ଦାବି

Jul 09, 2026 - 20:07
ISKCON Reject Gajapati Maharaja's Appeal: କାହା ସାହସରେ ବହପ ଦେଖାଉଛି ବିଧର୍ମୀ ଇସ୍କନ, ଓଡ଼ିଶା ସହ ଭାରତରୁ ତଡ଼ିବାକୁ ଦାବି

ମହାପ୍ରଭୁଙ୍କ ପ୍ରତି ଅସମ୍ମାନ, କୋଟି କୋଟି ଓଡ଼ିଆଙ୍କୁ ଅପମାନ। ଇସ୍କନକୁ ଓଡ଼ିଶାରୁ ତଡ଼ାଯାଉ। କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର। ଇସ୍କନର ଅଦିନିଆ ସ୍ନାନ ଓ ରଥାଯାତ୍ରା ଆୟୋଜନରୁ ନିବୃତ୍ତ ରହିବାକୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ ପରେ ଏ ହେଉଛି ଇସ୍କନ ପ୍ରତି ଜଗନ୍ନାଥପ୍ରେମୀଙ୍କ କ୍ଷୋଭଭରା କଥା ଆଉ ଭକ୍ତଙ୍କ ଅସନ୍ତୋଷଭରା ତୀବ୍ର ପ୍ରତିକ୍ରିୟା। ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ମହାପ୍ରଭୁଙ୍କ ପ୍ରଥମ ସେବକ ହିସାବରେ ଗତ 4 ତାରିଖରେ ନୂଆ କରି ଦାୟିତ୍ବ ନେଇଥିବା ଇସ୍କନର ସର୍ବୋଚ୍ଚ କର୍ତ୍ତୃପକ୍ଷ ଗଭର୍ଣ୍ଣିଂ ବଡି କମିଶନ ବା ଜିବିସିର ମୁଖ୍ୟ ମଧୁସେବିତା ଦାସଙ୍କୁ ଚିଠି ଲେଖିଥିଲେ ଗଜପତି ମହାରାଜା। 

ଆଶା କରାଯାଉଥିଲା, ଇସ୍କନ କୋଟି କୋଟି ଓଡ଼ିଆ ତଥା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ବୁଝି, ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ପ୍ରସାର ଏଣିକି ମୂଳପୀଠ ଆଧାରରେ କରିବ। ରଥଯାତ୍ରା ଶାସ୍ତ୍ର ଅନୁସାରେ ନ ଦିନ ଭିତରେ ହିଁ ବିଦେଶରେ କରାଯିବ। ଏଥିପାଇଁ ଇସ୍କନକୁ ନିବେଦନ କରିଥିଲେ ଗଜପତି। କିନ୍ତୁ ଗତ 7 ତାରିଖରେ ଇସ୍କନ ମୁଖ୍ୟ ଗଜପତିଙ୍କ ଚିଠିରେ ଉତ୍ତର ଦେଇ ପୁଣି ସେଇ ପୁରୁଣା ମନମାନୀ ଦେଖାଇଛି। ଗଜପତିଙ୍କ ନିବେଦନକୁ ପ୍ରତ୍ୟାଖ୍ୟାନ ସହ ଏ ପ୍ରସଙ୍ଗରେ ଆଗକୁ ଆଉ ଆଲୋଚନା କରାଯିବ ନାହିଁ ବୋଲି ସିଧା ସିଧା କହିଛି। ଯାହକୁ ନେଇ ଇସ୍କନ ବିରୋଧରେ ସାରା ବିଶ୍ବବ୍ୟାପୀ ପ୍ରକାଶ ପାଇଛି କ୍ଷୋଭ ଆଉ ଅସନ୍ତୋଷ।

ଏପଟେ ଇସ୍କନର ଏଭଳି ପଦକ୍ଷେପକୁ ଦୁଃସାହସ ଆଉ ନିନ୍ଦନୀୟ ବୋଲି କହିଛନ୍ତି ଅନେକ ଜଗନ୍ନାଥପ୍ରେମୀ। ଏପରିକି ଶାସ୍ତ୍ର ଓ ସଂସ୍କତି ବିଶେଷଜ୍ଞମାନେ ଇସ୍କନ ଧୂମ ଉପରେ ଧୂମ୍ ବର୍ଷିଛନ୍ତି। ଇସ୍କନକୁ ତୁରନ୍ତ ଜଗନ୍ନାଥ ଧର୍ମ ବିରୋଧୀ ସଂଗଠନ ଘୋଷଣା କରି ଓଡ଼ିଶାରୁ ବିଦା କରାଯାଉ ବୋଲି ଦାବି କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ହରିଶଙ୍କର ମିଶ୍ର। ଏପଟେ ଇସ୍କନ ବହପ କାହା ସାହସରେ ଦେଖାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେପଟେ ଇସ୍କନକୁ ଖାଲି ଓଡ଼ିଶା ନୁହେଁ, ପୁରା ଭାରତ ବର୍ଷରୁ ବିଦା କରିଦେବାର ସମୟ ଆସିଛି ବୋଲି କହିଛନ୍ତି ବହୁ ବରିଷ୍ଠ ସେବାୟତ।

ଦେଶ ଓ ବିଦେଶରେ ତିଥି ବାହାରେ ସ୍ନାନ ଓ ରଥଯାତ୍ରା ଆୟୋଜନ ନକରିବା ଲାଗି ଇସ୍କନର ମନମାନି ରୋକିବାକୁ ଇତିମଧ୍ୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ଚିଠି ଲେଖିଥିଲେ ଗଜପତି ମହାରାଜ। ଏବେ ଇସ୍କନର ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ କେନ୍ଦ୍ର ସରକାର ୟା ପରେ କି ପଦକ୍ଷେପ ନେଉଛନ୍ତି, ଏବେ ତା ଉପରେ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।