India Condemns Ship Attack: ଓମାନ ଉପକୂଳରେ ଜାହାଜ ଉପରେ ଆକ୍ରମଣ, ଭାରତୀୟ ନିଖୋଜ, କଡା ନିନ୍ଦା କଲା ଭାରତ
ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଯୁଦ୍ଧ ତେଜିଥିବା ବେଳେ ଇରାନକୁ ଜୋରଦାର ଆକ୍ରମଣ କରୁଛି ଆମେରିକା। ଇରାନ ମଧ୍ୟ ଆମେରିକାର ସେନାଘାଟିକୁ ଟାର୍ଗେଟ କରି ଜୋରଦାର ପ୍ରତିଜବାବ ଦେଉଛି। ଏହା ମଧ୍ୟରେ ଓମାନ ଉପକୂଳ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରକୁ ଆକ୍ରମଣ ହୋଇଛି।
ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଭାରତ ସରକାର। ଆକ୍ରମଣ ହୋଇଥିବା ଏହି ଜାହାଜରେ ମୋଟ ୧୧ ଜଣ ଭାରତୀୟ ନାଗରିକ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଜଣେ ଭାରତୀୟ ଏପର୍ଯ୍ୟନ୍ତ ନିଖୋଜ ଥିବାରୁ ତାଙ୍କୁ ଖୋଜିବା ପାଇଁ ଜୋରଦାର ଉଦ୍ଧାର ଅଭିଯାନ ଜାରି ରହିଛି।
ଭାରତର ବିଦେଶ ମନ୍ତ୍ରାଳୟ (MEA) ଏକ ବିବୃତ୍ତିରେ କହିଛି ଯେ, ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଏହି ଆକ୍ରମଣ ଅତ୍ୟନ୍ତ ଚିନ୍ତାଜନକ ଏବଂ ଏହାକୁ ଭାରତ ଦୃଢ଼ ଭାବେ ନିନ୍ଦା କରୁଛି। ନିଖୋଜ ଭାରତୀୟଙ୍କ ସନ୍ଧାନ ପାଇଁ ଓମାନ କର୍ତ୍ତୃପକ୍ଷଙ୍କ ସହ ଭାରତୀୟ ଦୂତାବାସ ନିରନ୍ତର ସମନ୍ୱୟ ରକ୍ଷା କରୁଛି।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ମସ୍କଟସ୍ଥିତ ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ନଜର ରଖିଛି ଏବଂ ଓମାନର ସମ୍ପୃକ୍ତ ଏଜେନ୍ସିମାନଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛି। ନିଖୋଜ ଭାରତୀୟଙ୍କ ସନ୍ଧାନ ଏବେ ବି ଜାରି ରହିଛି ଏବଂ ତାଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତ ପ୍ରୟାସ କରାଯାଉଛି।
ଏହି ଘଟଣା ପରେ ଆନ୍ତର୍ଜାତିକ ସମୁଦ୍ରପଥରେ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷାକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି। ବିଶେଷକରି ଓମାନ ଉପକୂଳ ଓ ପଶ୍ଚିମ ଏସିଆର ସମୁଦ୍ର ଅଞ୍ଚଳରେ ବଢ଼ୁଥିବା ସୁରକ୍ଷା ବିପଦକୁ ନେଇ ବିଭିନ୍ନ ଦେଶ ସତର୍କ ରହିଛନ୍ତି। ତେବେ କେଉଁ ପଟୁ ଏହି ଆକ୍ରମଣ ହୋଇଛି ତାହା ଜଣାପଡ଼ିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।