Illegal: ବିନା ଅନୁମତିରେ ପରିଚାଳିତ ହେଉଥିଲା ଗୁଟଖା କାରଖାନା, ୩ ଅଭିଯୁକ୍ତ ଗିରଫ
ଜଗତସିଂହପୁର: ରାଜ୍ୟରେ ଅନେକ ସ୍ଥାନରେ ବେଆଇନ ଭାବେ ଗୁଟଖା କାରଖାନା ପରିଚାଳିତ ହେଉଛି। ପ୍ରଶାସନ ନଜରରେ କିଛି ଧରାପଡ଼ି ଯାଉଛି। କିନ୍ତୁ ଅନେକ ସ୍ଥାନରେ ଏହା ପ୍ରଶାସନର ଦୃଷ୍ଟିରେ ପଡୁନାହିଁ। ବିନା ଅନୁମତିରେ ଗୁଟଖା କାରଖାନା ପରିଚାଳିତ ହେଉଛି। ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ କୁଜଙ୍ଗ ପୁଲିସ ବେଆଇନ ଭାବେ ପରିଚାଳିତ ଗୁଟଖା କାରଖାନା ଠାବ କରିଛି। ପ୍ରଶାସନ ଏବଂ ପୁଲିସ ବିପୁଳ ପରିମାଣର ଗୁଟଖା, ଜର୍ଦ୍ଦା ଏବଂ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି। ଏଥି ସହିତ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ସୁବାସ ସ୍ବାଇଁ (୫୦), ପୂର୍ଣ୍ଣଚନ୍ଦ୍ର ବେଉରା (୫୨) ଏବଂ ବିଜୟ ମୁଦୁଲି (୫୪)।
ବେଆଇନ ଗୁଟଖା କାରାଖାନା ନେଇ ଜିଲ୍ଲା ପ୍ରଶାସନକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ହସ୍ତଗତ ହେଲା ପରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ କୁଜଙ୍ଗ ଥାନା ଅଧୀନ ଆଲିଗଡ଼ରେ ଗତକାଲି ରାତିରେ ବ୍ୟାପକ ଚଢ଼ଉ କରାଯାଇଥିଲା। ଗୁଟଖା କାରଖାନା ଏକ ଆବାସିକ ପରିସରରେ ପରିଚାଳିତ ହେଉଥିଲା, ଯାହାର ମୁଖ୍ୟ ଅଭିଯୁକ୍ତ ସୁବାସ ସ୍ବାଇଁ। ଗୁଟଖା ଉତ୍ପାଦନରେ ପୂର୍ଣ୍ଣଚନ୍ଦ୍ର ଏବଂ ବିଜୟ ସହଯୋଗ କରୁଥିଲେ। ଚଢ଼ଉ ସମୟରେ ବିଭିନ୍ନ କମ୍ପାନି ନାମରେ ପ୍ୟାକେଟ୍ ଠାବ ହୋଇଥିଲା, ଯେଉଁଥିରେ ଚାଲୁଓପାଲ ସି୪, ଜୟପାଲ ୪, ଦାସ ପଟ୍ଟି, ଭାଲ ଜିପିଏଲ୍, ଚାଲୁପାଲ ସି୧, ସୁରଭି ୫୫, ସ୍ପାଇସି ମିକ୍ସ ଏସ୍-୫, ଗୋପାଳ ଇଣ୍ଡଷ୍ଟ୍ରିଜ୍ ପରଫ୍ୟୁମେରି ୨୮୫ ଏବଂ ଗୋପାଳ ଇଣ୍ଡଷ୍ଟ୍ରିଜ୍ ପରଫ୍ୟୁମେରି ୫୦୫ ସାମିଲ ରହିଛି।
ଆହୁରି ପଢ଼ନ୍ତୁ: ନକଲି ଗୁଟଖା କାରଖାନା ସିଲ, ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ
ପୁଲିସ କହିଛି, ଘଟଣାସ୍ଥଳରୁ ୬୬୦କିଲୋ ନକଲି ଜର୍ଦ୍ଦା/ଗୁଟଖା (୨୨ଟି ବ୍ୟାଗରେ ଭର୍ତ୍ତି), ୩୬୦କିଲୋ ପ୍ୟାକେଟ୍ ଜର୍ଦ୍ଦା/ଗୁଟଖା, ୬ଟି ମେସିନ, ପ୍ଲାଷ୍ଟିକ୍ କଣ୍ଟେନର, ନଗଦ ପ୍ରାୟ ୧ ଲକ୍ଷ ଟଙ୍କା, ୩ଟି ମୋବାଇଲ ଫୋନ୍, ଗୋଟିଏ କାର (ଓଡି ୦୫ ଏଜି ୪୧୦୧) ଜବତ କରାଯାଇଛି। ଗତକାଲି ରାତିରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।