Hyderabad Murder: ପ୍ରେସର୍‌ କୁକର୍‌ରେ ପିଟି ପିଟି ମାରିଲା, ବାଥରୁମ୍‌ରେ ଗାଧୋଇ ଫେରାର ହୋଇଗଲା

ବିଶ୍ୱାସରେ ବିଷ ଦେଲା ଚାକର। ଭରସା କରି ୧୦ ଦିନ ତଳେ କାମରେ ରଖିଥିଲେ। ବିଶ୍ୱାସ ଜତାଇ ଘରର ସବୁ କାମ ଦାମ ବି କରୁଥିଲା ସେ। ହେଲେ ମନରେ ଚାଲିଥିଲା ତା’ର କିଛି ଅଲଗା। ଘର କାମ ଥିଲା ବାହାନା, ଅସଲ ଉଦ୍ଦେଶ୍ୟ ଥିଲା ଚୋରି କରିବା। ଘରେ କେହି ନଥ

12 September 2025 11:05 AM IST
Hyderabad Murder: ପ୍ରେସର୍‌ କୁକର୍‌ରେ ପିଟି ପିଟି ମାରିଲା, ବାଥରୁମ୍‌ରେ ଗାଧୋଇ ଫେରାର ହୋଇଗଲା

ବିଶ୍ୱାସରେ ବିଷ ଦେଲା ଚାକର। ଭରସା କରି ୧୦ ଦିନ ତଳେ କାମରେ ରଖିଥିଲେ। ବିଶ୍ୱାସ ଜତାଇ ଘରର ସବୁ କାମ ଦାମ ବି କରୁଥିଲା ସେ। ହେଲେ ମନରେ ଚାଲିଥିଲା ତା’ର କିଛି ଅଲଗା। ଘର କାମ ଥିଲା ବାହାନା, ଅସଲ ଉଦ୍ଦେଶ୍ୟ ଥିଲା ଚୋରି କରିବା। ଘରେ କେହି ନଥିବାର ସୁଯୋଗ ଅନ୍ୟ ଜଣେ ସାଥୀ ସହ ମିଶି ଘରେ ପଶିଲା। ମାଲିକାଣୀଙ୍କ ହାତଗୋଡି ବାନ୍ଧିଲା, ପ୍ରେସର କୁକର୍‌ରେ ପିଟିଲା

ଘରେ ଜଣେ ମହିଳା ଏକାକୀ ଥିଲେ। ଏହି ସମୟରେ ଚୋରି କରିବାକୁ ଆସିଥିବା ୨ ଜଣ ଯୁବକ ଭୟଙ୍କର କାଣ୍ଡ ଘଟାଇଛନ୍ତି। ସେମାନେ ମହିଳାଙ୍କ ହାତଗୋଡ଼ ବାନ୍ଧି ପ୍ରେସ କୁକର୍‌ରେ ପଟି ଲହୁ ଲୁହାଣ କରିଥିଲେ। ଏହାପରେ ତାଙ୍କ ତଣ୍ଟିକୁ ଗୋଟିଏ ଛୁରୀ ଓ କଇଁଚିରେ କାଟି ଦେଇଥିଲେ। ମହିଳା ଓ ତାଙ୍କ ଘରୁ ଲୁଟ କରିବା ପରେ ୨ ଜଣ ଯାକ ବେଶ ଆରାମରେ ବାଥରୁମକୁ ଯାଇ ଗାଧେଇଥିଲେ। ଶେଷରେ ରକ୍ତ ଲାଗିଥିବା କପଡ଼ାକୁ ସେଠାରେ ଫିଙ୍ଗି ଚମ୍ପଟ ମାରିଛନ୍ତି। ହାଇଦ୍ରାବାଦର ଗୋଟିଏ ଆବାସିକ ଅଞ୍ଚଳରୁ ଏଭଳି ଖବର ସାମ୍ନାକୁ ଆସିଛି। ଏହି ଘଟଣା ଏବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ହାଇଦ୍ରାବାଦର ସୱାନ ଲେକ ଆର୍ପାଟମେଣ୍ଟର ୧୩ ନମ୍ବର ଫ୍ଲୋରରେ ୫୦ ବର୍ଷୀୟ ରେଣୁ ଅଗ୍ରୱାଲ ତାଙ୍କ ସ୍ୱାମୀ ଓ ପୁଅଙ୍କ ସହ ରୁହନ୍ତି। ବୁଧବାର ଦିନ ପ୍ରାୟ ୧୦ଟା ବେଳେ ଶ୍ରୀ ଅଗ୍ରୱାଲ ଓ ତାଙ୍କ ୨୬ ବର୍ଷୀୟ ପୁଅ ନିଜ କାମରେ ବାହାରି ଯାଇଥିଲେ। ସେମାନଙ୍କର ଗୋଟିଏ ଷ୍ଟିଲ ବ୍ୟବସାୟ ରହିଛି। ସନ୍ଧ୍ୟା ପ୍ରାୟ ୫ଟା ବେଳେ ସେମାନେ ରେଣୁ ଅଗ୍ରୱାଲଙ୍କୁ ଫୋନ କରିଥିଲେ ହେଁ କୌଣସି ଜବାବ ମିଳି ନଥିଲା। ବାରମ୍ବାର ଫୋନ କରି ଉତ୍ତର ନ ପାଇବାରୁ ଶ୍ରୀ ଅଗ୍ରୱାଲ ଓ ତାଙ୍କ ପୁଅ ତୁରନ୍ତ ଘରେ ପହଞ୍ଚିଥିଲେ।

ଘରର କବାଟ ବନ୍ଧ ଥିବାରୁ ଶ୍ରୀ ଅଗ୍ରୱାଲ ଓ ତାଙ୍କ ପୁଅ ଜଣେ ପ୍ଲମ୍ବରଙ୍କ ସହାୟତାରେ ବାଲକୋନୀରୁ ଏହାକୁ ଖୋଲିଥିଲେ। ହେଲେ ଭିତରର ଦୃଶ୍ୟ ଦେଖି ସେମାନେ ପୂରା ସ୍ତବ୍ଧ ହୋଇଯାଇଥିଲେ। ବେଡ ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ ରେଣୁ ଅଗ୍ରୱାଲ। ତାଙ୍କର ଏପରି ଅବସ୍ଥା ଦେଖି ପରିବାର ଲୋକ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ଆକ୍ରମଣକାରୀମାନେ ରେଣୁ ଅଗ୍ରୱାଲଙ୍କ ହାତ ଗୋଡ଼ ବାନ୍ଧି ଦେଇ ତାଙ୍କୁ ଗୋଟିଏ ପ୍ରେସର କୁକରରେ ମାଡ଼ ମାରିଥିଲେ। ତାଙ୍କ ଗଳାକୁ ଛୁରୀ ଓ କଇଁଚିରେ କାଟି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଇ ଆକ୍ରମଣକାରୀ ଅଗ୍ରୱାଲଙ୍କ ଘରେ ଥିବା ପ୍ରାୟ ୪୦ ଗ୍ରାମ ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ଟଙ୍କା ଲୁଟ କରିଛନ୍ତି। ରେଣୁଙ୍କୁ ମାରିବା ବେଳେ ସେମାନଙ୍କ ପୋଷାକ ଓ ଦେହରେ ରକ୍ତ ଲାଗି ଯାଇଥିଲା। ତେଣୁ ସେମାନେ ବାଥରୁମରେ ଗାଧେଇଥିଲେ। ଏହାପରେ ଘଟଣା ସ୍ଥଳରେ ନିଜ ରକ୍ତ ଲଗା ପୋଷାକ ଫିଙ୍ଗି ଫେରାର ହୋଇଯାଇଛନ୍ତି।

 

ଫେରାର ରହିଛି ଘରୋଇ ସହାୟକ

ପ୍ରାଥମିକ ତଦନ୍ତରୁ ଜଣପାଡ଼ିଛି ଯେ ଦୁଇ ଆକ୍ରମଣକାରୀ ଘରୋଇ ସହାୟକ ଭାବେ କାମ କରୁଥିଲେ। ଜଣେ ଅଗ୍ରୱାଲଙ୍କ ଘରେ ଓ ଆଉ ଜଣେ ତାଙ୍କ ପଡ଼ୋଶୀଙ୍କ ଘରେ କାମ କରନ୍ତି। ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଦୁଇ ଜଣ ଯାକ ୧୩ତମ ଫ୍ଲୋରକୁ ଯାଉଛନ୍ତି ଓ ସେଠାରୁ ଅପରାହ୍ନ ୫.୦୨ରେ ଚାଲି ଯାଉଛନ୍ତି। ପୁଲିସ୍‌ର କହିବା କଥା ସେମାନେ ପୂରା ହତ୍ୟାକାଣ୍ଡ ଓ ଲୁଟକୁ ସଫଳ ରୂପ ଦେବା ପରେ ରାଞ୍ଚି ଚାଲି ଯାଇଛନ୍ତି।

କାରଣ ଅଗ୍ରୱାଲଙ୍କ ଘରେ କାମ କରୁଥିବା ହର୍ଷ ଝାଡଖଣ୍ଡର ବାସିନ୍ଦା। ୧୦ ଦିନ ତଳେ କୋଲକାତାର ମ୍ୟାନପାୱାର ନାମକ ଗୋଟିଏ ଏଜେନ୍ସି ଜରିଆରେ ତା’କୁ ଅଗ୍ରୱାଲ ଘର କାମରେ ନିୟୋଜିତ କରିଥିଲେ। ଦ୍ୱିତୀୟ ଅଭିଯୁକ୍ତ ନାଁ ରୋଶନ। ସେ ୧୪ତମ ଫ୍ଲୋରରେ ଥିବା ଅଗ୍ରୱାଲଙ୍କ ପଡ଼ୋଶୀଙ୍କ ଘରେ କାମ କରୁଥିଲା।

ଘଟଣା ପରେ ଦୁଇ ଜଣ ଯାକ ଗୋଟିଏ ବାଇକରେ ଖସି ଯାଉଥିବା ଦେଖିବାକୁ ମିଳିଛି। ପୁଲିସ୍‌ ଏବେ ଉଭୟଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Disclaimer: This content has been automatically aggregated from television for informational purposes. To read the original article, please visit television.