13 JUNE 2026

Welcome!

Unlock your personalized experience.
Sign Up

Hungry: କେହି ଭୋକରେ ଶୋଇବେନି: ମୁଖ୍ୟମନ୍ତ୍ରୀ, ଏବେ ମୁଣ୍ଡପିଛା ୧୦ କେଜି ଚାଉଳ

Jun 13, 2026 - 05:49
Hungry: କେହି ଭୋକରେ ଶୋଇବେନି: ମୁଖ୍ୟମନ୍ତ୍ରୀ, ଏବେ ମୁଣ୍ଡପିଛା ୧୦ କେଜି ଚାଉଳ

ଭୁବନେଶ୍ୱର: ରାଜ୍ୟର ଗରିବ, ଅସହାୟମାନଙ୍କୁ ଏବେ ମୁଣ୍ଡପିଛା ୧୦ କେଜି ଚାଉଳ ମିଳିବ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏଭଳି ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଏଥିପାଇଁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ରାସନ କାର୍ଡଧାରୀ ମୁଣ୍ଡପିଛା ୫ କେଜି ବଦଳରେ ୧୦ କେଜି ଚାଉଳ ପାଇବେ। ଏକକାଳୀନ ୩ ମାସର ଚାଉଳ ହିତାଧିକାରୀଙ୍କୁ ଦିଆଯିବ। ରାଜ୍ୟର ୧ କୋଟିରୁ ଅଧିକ ପରିବାରର ପ୍ରାୟ ୩.୨୮ କୋଟି ଲୋକ ଏହାଦ୍ବାରା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ୮୮୧୩ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଭାର ପଡ଼ିବ। ଆଗରୁ ସୁଭଦ୍ରା ପ୍ରତି ଘରେ ପହଞ୍ଚିଥିଲା, ଏବେ ଅନ୍ନପୂର୍ଣ୍ଣା ପ୍ରତି ଘରେ ପହଞ୍ଚିବ। ସାରା ଓଡ଼ିଶା ସୁଖ, ସମୃଦ୍ଧିରେ ଭରିଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Afspa: ଆସନ୍ତାବର୍ଷ ଗୋଟିଏ-ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବରୁ ଆଫ୍‌ସ୍ପା ହଟାଯିବ

ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆଠାରେ ‘ବିକାଶ ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ବିକାଶକୁ ବହୁଗୁଣିତ କରିବା ସହ ଗରିବ, ମଧ୍ୟବିତ୍ତ, ଅସହାୟଙ୍କ ସେବାରେ ଆମେ ନିଜକୁ ସମର୍ପିତ କରିଛୁ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଏହାର ଉଦାହରଣ। ଓଡ଼ିଶାର ପ୍ରତ୍ୟେକ ପରିବାରର ଭାତହାଣ୍ଡିକୁ ସୁରକ୍ଷିତ ରଖିବା ଆମର ଲକ୍ଷ୍ୟ। କାହାରିକୁ ଭୋକରେ ଶୋଇବାକୁ ଦେବାନି ହେଉଛି ଆମର ପଣ। ମୁଖ୍ୟମନ୍ତ୍ରୀ କହିଥିଲେ, ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଆରମ୍ଭ କରିବା ପୂର୍ବରୁ ଜଣେ ବୟସ୍କ କେତେ ଚାଉଳ ଆବଶ୍ୟକ କରିଥାନ୍ତି, ଆମେ ଆକଳନ କରିଥିଲୁ। ହିସାବରେ ପ୍ରତ୍ୟେକ ବୟସ୍କଙ୍କ ପାଇଁ ୮ କେଜି ଚାଉଳ ଆବଶ୍ୟକ ବୋଲି ଜାଣିବାକୁ ପାଇଥିଲୁ। ଏହି ଅସୁବିଧାର ଉପଲବ୍ଧି କରି ରାଜ୍ୟବାସୀଙ୍କ ପାଇଁ ୧୦ କେଜି ଚାଉଳ ବ୍ୟବସ୍ଥା କରାଯାଇଛି। 

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ
ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ୍‌
ଜନାଶ୍ରୟ ଭବନର ଭିତ୍ତିପ୍ରସ୍ତର

ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଓଡ଼ିଶାରେ ଧାନ ଉତ୍ପାଦନ ଓ ବିକ୍ରି ବଢ଼ିଛି। ଦେଶରେ ଧାନ ଉତ୍ପାଦନରେ ଓଡ଼ିଶା ଦ୍ୱିତୀୟ ହୋଇପାରିଛି। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଧାନ କ୍ବିଣ୍ଟାଲ୍‌ ପିଛା ୩୧ଶହ ଟଙ୍କାର ବ୍ୟବସ୍ଥା କରିବାର ଏହାର ପ୍ରତିଫଳନ। ପରିଣାମସ୍ବରୂପ ଆଜି ଆମ ପାଖରେ ପର୍ଯ୍ୟାପ୍ତ ବଳକା ଚାଉଳ ରହିଛି, ଯେଉଁ ଚାଉଳ ଆଜି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଗରିବ ହିତାଧିକାରୀଙ୍କୁ ବଣ୍ଟାଯିବ। ଖରିଫ ଫସଲରୁ ଆମେ ୧୧୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ଅମଳ ଲକ୍ଷ୍ୟ ରଖିଛୁ। ପୂର୍ବ ବିଜେଡି ସରକାରକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ସୋହେଲାରେ କ୍ବିଣ୍ଟାଲ୍‌ ପିଛା ୧୦୦ ଟଙ୍କା ଦେବାକୁ ବିଜେଡି ଘୋଷଣା କରିଥିଲା, କିନ୍ତୁ କଲାନି। ଆମେ ୩୧ ଶହ ଟଙ୍କା ଦେଲୁ। 

US Iran Tensions: ଗଲ୍‌ଫ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପରେ ଆକ୍ରମଣରୁ ଓହରିଲେ ଟ୍ରମ୍ପ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭୪,୨୨୪ ଅଙ୍ଗନବାଡ଼ି କର୍ମୀ, ୨୮୦୦ରୁ ଅଧିକ ମହିଳା ସୁପରଭାଇଜରଙ୍କୁ ସ୍ମାର୍ଟ ଫୋନ୍‌ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହା ଦ୍ବାରା ଅଙ୍ଗନବାଡ଼ିର ପରିଚାଳନା ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ରାଜ୍ୟବାସୀଙ୍କ ପାଇଁ ବହୁ ପ୍ରତୀକ୍ଷିତ ଜନାଶ୍ରୟ ଭବନର ବି ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ପକାଇଛନ୍ତି। ଯେଉଁଠି ପ୍ରାୟ ୫୭୪ କୋଟି ଟଙ୍କା ବ୍ୟୟରେ ୨୦ ମହଲା ଅଟ୍ଟାଳିକା ତିଆରି ହେବ। ସପ୍ତମ ମହଲାରୁ ୧୯ ମହଲା ପର୍ଯ୍ୟନ୍ତ ଲୋକଙ୍କ ରହିବା ବ୍ୟବସ୍ଥା କରାଯିବ। ଜରୁରୀ କାମରେ ରାଜ୍ୟର କୋଣ ଅନୁକୋଣରୁ ଭୁବନେଶ୍ବର ଆସୁଥିବା ଲୋକେ ଏଠାରେ ସୁଲଭ ଦରରେ ରହିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ‘ସୁଭଦ୍ରା ଶକ୍ତି ସମ୍ବାଦ’ କାର୍ଯ୍ୟକ୍ରମର ବି ଶୁଭାରମ୍ଭ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୂର୍ତ୍ତ ସଚିବ ସଞ୍ଜୟ ସିଂହ, ମହିଳା ଓ ଶିଶୁ ବିକାଶ ସଚିବ ମୃଣାଳିନୀ ଦର୍ସୱାଲ୍‌, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।