Hinjili Turns Political Battleground: ନବୀନଙ୍କ ଗଡ଼ କବଜା ଲାଗି ବିଜେପିର ରଣନୀତି, ସାଂସଦ-ମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ
ନବୀନଙ୍କ ଗଡ଼ରେ ବିଜେପି ହେଭିୱେଟଙ୍କ ଶକ୍ତି ପ୍ରଦର୍ଶନ। ପତିଆରା ଦେଖାଇଲେ ଜିଲ୍ଲାର ଦୁଇ ଟପ୍ ନେତା। ଗଞ୍ଜାମ ରାଜନୀତିରେ ପୁଣି ଥରେ ଚର୍ଚ୍ଚାରେ ହିଞ୍ଜିଳିକାଟୁ। ଏହି ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଶେରଗଡ଼ର ବାହୁଡା ଯାତ୍ରାରେ ସାମିଲ ହୋଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ମନ୍ତ୍ରୀ ବିଭୂତି ଜେନା। ପ୍ରଥମେ ସାଂସଦ ପ୍ରଦୀପ ଶେରଗଡ ଯାଇ ବାହୁଡା ଯାତ୍ରାରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ସମର୍ଥକ। ପ୍ରଦୀପ ରଥଯାତ୍ରାର ନୀତିକାନ୍ତିରେ ସାମିଲ ହୋଇଥିଲେ। ଆଉ ସେ ଯିବାର କିଛି ଘଣ୍ଟା ପରେ ଶେରଗଡରେ ପହଞ୍ଚିଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ବିରାଟ ପଟୁଆରରେ ତାଙ୍କୁ ପାଛୋଟି ନେଇଥିଲେ ବିଜେପିର ଆଉ ଏକ ଗୋଷ୍ଠୀର ନେତା ଓ କର୍ମୀ। ଗୋଟିଏ କାର୍ଯ୍ୟକ୍ରମରେ ବିଜେପିର ଦୁଇ ନେତା ପୃଥକ୍ ପୃଥକ୍ ଭାବେ ଯୋଗ ଦେବାକୁ ନେଇ ଗଞ୍ଜାମ ଜିଲ୍ଲା ରାଜନୀତିରେ ଜୋର୍ ଧରିଛି ଚର୍ଚ୍ଚା। କୁହାଯାଉଛି ଦୁଇ ନେତା ହିଞ୍ଜିଳିକୁ ନିଜ କବଜାକୁ ନେବାକୁ ଚାହୁଁଛନ୍ତି। ସେଥିପାଇଁ ନିଜ ନିଜ ସମର୍ଥକଙ୍କୁ ଧରି ନିଜ ଦମ୍ ଦେଖାଇଛନ୍ତି। ଅନ୍ୟପକ୍ଷେ ଦୁଇ ନେତା ଅଲଗା ଅଲଗା ଆସିବା କୌଣସି ଗୋଷ୍ଠୀ କନ୍ଦଳ ନୁହେଁ, ଏହାକୁ ଅଯଥା ରାଜନୈତିକ ରଙ୍ଗ ଦିଆଯାଉଛି ବୋଲି କହିଛନ୍ତି ଘୁମୁସର ଜିଲ୍ଲା ବିଜେପି ସଭାପତି।
୨୦୨୪ ନିର୍ବାଚନ ପରେ ଗଞ୍ଜାମରେ ବିଜେପିର ପ୍ରଭାବ ବଢ଼ିଥିଲେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଏବେ ବି ବିଜେଡି ପାଖରେ ରହିଛି। ତେବେ ଗତ ସାଧାରଣ ନିର୍ବାଚନ ପରଠାରୁ ନବୀନ ଏଠାକୁ ପ୍ରାୟ ଆସୁ ନଥିବାରୁ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛି ବିଜେପି। ଗତ କିଛି ଦିନ ଧରି ବିଜେପିର ବରିଷ୍ଠ ନେତା ଓ ମନ୍ତ୍ରୀମାନଙ୍କର ହିଞ୍ଜିଳି ଓ ଶେରଗଡ଼ ଗସ୍ତ ଏହାର ସୂଚନା ଦେଉଛି। ପ୍ରଦୀପ ପାଣିଗ୍ରାହୀ ପୂର୍ବରୁ ନବୀନଙ୍କ ହିଞ୍ଜିଳି ପ୍ରତିନିଧି ଭାବେ କାମ କରିବା ସହିତ ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳୁଥିଲେ। ପରେ ସେ ବିଜେପିକୁ ଆସିଥିଲେ ମଧ୍ୟ ହିଞ୍ଜିଳିରେ ତାଙ୍କର ପ୍ରଭାବ ଏବେ ବି ରହିଛି। ଅନ୍ୟପଟେ ମନ୍ତ୍ରୀ ବିଭୂତି ଜେନା ଜିଲ୍ଲା ବିଜେପିର ଜଣେ ପ୍ରମୁଖ ନେତା ଭାବେ ଏଠାରେ ସାଂଗଠନିକ କାର୍ଯ୍ୟକଳାପକୁ ଆଗେଇ ନେଉଛନ୍ତି। ତେବେ ବିଜେପି ଏଥିରେ ସଫଳ ହେବ ନାହିଁ ବୋଲି କହିଛି ବିଜେଡି ।
ହିଞ୍ଜିଳିକୁ କେନ୍ଦ୍ର କରି ବିଜେପିର ଯୋଜନାବଦ୍ଧ ରଣନୀତି ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଦଳୁଥିବା ରାଜନୈତିକ ସମୀକରଣ ଆଗାମୀ ଦିନରେ ଗଞ୍ଜାମ ରାଜନୀତିକୁ ଆହୁରି ସରଗରମ କରିପାରେ ବୋଲି ଚର୍ଚ୍ଚା ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।