High Court: ଖୋର୍ଦ୍ଧା ସଦର ଥାନାର ତତ୍କାଳୀନ ଆଇଆଇସିଙ୍କ ବିରୋଧରେ ଏସଟିଏଫ ମାମଲା ରଦ୍ଦ କଲେ ହାଇକୋର୍ଟ
"କଟକ: ଖୋର୍ଦ୍ଧା ସଦର ଥାନାର ପୂର୍ବତନ ଆଇଆଇସି ବିକ୍ରମ କେଶରୀ ଜେନାଙ୍କ ବିରୋଧରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ମାମଲା ହାଇକୋର୍ଟ ରଦ୍ଦ କରିଛନ୍ତି।
୨୦୨୧, ମେ ୨୭ରେ ଏସଟିଏଫ ମାମଲାରେ ଶ୍ରୀ ଜେନାଙ୍କ ବିରୋଧରେ ଦାଖଲ ଚାର୍ଜସିଟ ଓ ଏହା ଆଧାରରେ ଖୋର୍ଦ୍ଧା ଏସଡିଜେଏମ ଅଦାଲତ ତାଙ୍କ ବିରୋଧରେ ୨୦୨୧, ଜୁନ ୨୧ରେ କଗନିଜାନ୍ସ ଗ୍ରହଣ କରି ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
ଅନ୍ୟପକ୍ଷରେ ମୂଳ ଓ ଅତିରିକ୍ତ ଚାର୍ଜସିଟରେ ନାମ ଥିବା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଯଦି ଆବେଦନକାରୀଙ୍କ ବିରୋଧରେ କୌଣସି ବିଶ୍ବସନୀୟ ଓ ବାସ୍ତବ ତଥ୍ୟ ସମ୍ମୁଖକୁ ଆସେ ତେବେ ଆଇନ ଅନୁସାରେ ନୂଆକରି ସାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରସଂଗରେ ତଦନ୍ତକାରୀ ଏଜେନ୍ସିର ଅଧିକାର ରହିଛି ବୋଲି ହାଇକୋର୍ଟକହିଛନ୍ତି।
ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜେନାଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ ତାପଙ୍ଗ, ଦୁର୍ଗାପୁର, କାଇପଦର, ଛତ୍ରମା ଅଞ୍ଚଳରେ ବେଆଇନ ପଥର ଖନନ ଓ ଚାଲାଣ ରୋକିବା ପ୍ରସଂଗକୁ ନେଇ ଆବେଦନକାରୀ ସଦର ଥାନା ଆଇଆଇସି ଥିବା ବେଳେ ଖୋର୍ଦ୍ଧା ଏସପିଙ୍କୁ ଚିଠି ଲେଖିଥିଲେ।
୨୦୧୬ରୁ ୨୦୧୯ ମଧ୍ୟରେ ବେଆଇନ ପଥର କାରବାର ଘଟଣାରେ ଆବେଦନକାରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ପୁଲିସ ଅଧିକାରୀ ବିଭିନ୍ନ ବ୍ୟକ୍ତି ଓ ଟ୍ରକ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଜଣେ ଅଭିଯୁକ୍ତର ବୟାନ ଆଧାରରେ ଏସଟିଏଫ ୨୧ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୦୧୯, ଜୁନ ୧ରେ ଏକ ମାମଲା ରୁଜୁ କରିଥିଲା।
ଏସଟିଏଫର ଜଣେ ଡିଏସପିଙ୍କୁ ପ୍ରଥମ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିଲା।
ତଦନ୍ତ ବେଳେ ୬ଜଣ ଅଭିଯୁକ୍ତ ଟ୍ରମ ମାଲିକ ଆବେଦନକାରୀଙ୍କ ବିରୋଧରେ ବୟାନରେ କହିଥିଲେ।
୨୦୧୯, ଅଗଷ୍ଟ ୧୫ରେ ରାଷ୍ଟ୍ରପତି ପଦକ ଆବେଦନକାରୀ ପାଇବାକୁ ଥିବା ବେଳେ ତଦନ୍ତକାରୀ ଅଧିକାରୀ ଅଗଷ୍ଟ ୧୩ରେ ତାଙ୍କୁ ନୋଟିସ ଜାରି କରିଥିଲେ।Advertisment ଭୁବନେଶ୍ବର ଏସଟିଏଫ କାର୍ଯ୍ୟାଳୟରେ ଅଗଷ୍ଟ ୧୭ରେ ପଚରାଉଚରା ପାଇଁ ହାଜର ହେବାକୁ ତାଙ୍କୁ ନୋଟିସ ମାଧ୍ୟମରେ ଅବଗତ କରାଯାଇଥିଲା।
୨୦୧୯, ସେପ୍ଟେମ୍ବର ୨୭ରେ ଆଇପିସିର ବିଭିନ୍ନ ଦଫା, ଆର୍ମସ ଆକ୍ଟ, ଏକ୍ସପ୍ଲୋସିଭ ସବଷ୍ଟାନସେସ ଆକ୍ଟ, ଓଏମଏମସି ରୁଲ୍ସ ଅଧିନରେ ୯ଜଣ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତକାରୀ ଅଧିକାରୀ ଚାର୍ଜସିଟ ଦାଖଲ କରିଥିଲେ।
ବଦଳି ପରେ ଅନ୍ୟ ଜଣେ ତଦନ୍ତକାରୀ ଅଧିକାରୀ ନିଯୁକ୍ତ ହୋଇଥିଲେ।
ଏହାପରେ ୧୧ଜଣ ଅଭିଯୁକ୍ତଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ ଦାଖଲ ହୋଇଥିଲା।
୨୦୨୧, ମେ ୨୭ରେ ତଦନ୍ତକାରୀ ଅଧିକାରୀ ଆବେଦନକାରୀଙ୍କ ସମେତ ୩୪ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଅତିରିକ୍ତ ଚାର୍ଜସିଟ ଦାଖଲ କରିଥିଲେ।
ଏହାପରେ ଏସଡିଜେଏମ ଅଦାଲତ ଆବେଦନକାରୀଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ।
ଏହା ଗ୍ରହଣୀୟ ନୁହେଁ ମାମଲା ରଦ୍ଦ ପାଇଁ ଆବେଦନକାରୀ ଦାଖଲ କରିଥିବା ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ଏତଲାରେ ତାଙ୍କ ନାମ ନଥିଲା।
ଆବେଦନକାରୀଙ୍କ ସିଡିଆର, ସାକ୍ଷୀଙ୍କ ବୟାନ ଓ ୬ ଅଭିଯୁକ୍ତ ଟ୍ରକ ମାଲିକଙ୍କ ବୟାନକୁ ଯାଞ୍ଚ ପରେ ମଧ୍ୟ ପ୍ରଥମ ଦୁଇଟି ଚାର୍ଜସିଟରେ ତାଙ୍କ ବିରୋଧରେ କିଛି ତଥ୍ୟ ଦାଖଲ କରାଯାଇ ନଥିଲା।
ପରବର୍ତ୍ତୀ ସମୟରେ ନୂଆ କୌଣସି ତଥ୍ୟ ନ ଥାଇ ମଧ୍ୟ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିବାରୁ ଏହା ଗ୍ରହଣୀୟ ନୁହେଁ।
ଏଥି ସହିତ ମର୍ଯାଦାଜନକ ରାଷ୍ଟ୍ରପତି ପଦକ ପାଇବାରୁ ରୋକିବାକୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା।
Maoists: ସୀମାନ୍ତରୁ ମାଓ ଡମ୍ପ ଉଦ୍ଧାର; ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଜବତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।