Heritage Landmark Slowly Collapse: ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ରାଜ ପ୍ରାସାଦ; ଛାତ ଭୁଶୁଡିଲାଣି, କାନ୍ଥ ଫାଟି କରିଛି ଆଁ

Aug 03, 2026 - 18:37
Heritage Landmark Slowly Collapse: ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ରାଜ ପ୍ରାସାଦ; ଛାତ ଭୁଶୁଡିଲାଣି, କାନ୍ଥ ଫାଟି କରିଛି ଆଁ

ମାଟିରେ ମିଶିବାକୁ ବସିଲାଣି ଶହ ଶହ ବର୍ଷର ଐତିହ୍ୟ। ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ଭଗ୍ନ ସ୍ତୁପ ପାଲଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଆଠଗଡ ପାଟଣା ରାଜ ପ୍ରାସାଦ। ଏହି ଐତିହାସିକ ରାଜ ପ୍ରାସାଦ ଏବେ ନିଜ ପାଇଁ ମାଗୁଛି ସୁରକ୍ଷା। ଏହାର ପୁନଃରୁଦ୍ଧାର ପାଇଁ ସରକାରଙ୍କ ନିକଟରେ ହୋଇଛି ଦାବି।

ଭୂତ କୋଠି ପାଲଟିଛି ଐତିହାସିକ ସ୍ଥାନ। ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ରାଜ ପ୍ରାସାଦ। ଛାତ ଭୁଶୁଡିଲାଣି, କାନ୍ଥ ଫାଟି କରିଛି ଆଁ। ଆଉ କେଉଁଠି କାନ୍ଥ ଉପରେ ବିରାଟ କାୟ ଗଛ ମାଡିଲାଣି।

ତଥାପି ପୂର୍ବଜଙ୍କ କାରୁକାର୍ଯ୍ୟ ଓ ଐତିହ୍ୟକୁ ପ୍ରତିଫଳିତ କରୁଛି ଭଗ୍ନ ସ୍ଥୁପ ପାଲଟିଥିବା ଏହି ଐତିହାସିକ ରାଜ ପ୍ରାସାଦ l ଯେଉଁଠି ଦିନେ ରାଜା ଶାସନ ହେଉଥିଲା, ଯେଉଁଠି ଲୋକଙ୍କ ସମସ୍ୟା ସମାଧାନ କରାଯାଉଥିଲା ସେହି ସ୍ଥାନ ଏବେ ମାଗୁଛି ନିଜ ପାଇଁ ସୁରକ୍ଷା l ଜରାଜିଣ୍ଣ ଅବସ୍ଥାରେ ପଡ଼ିରହିଛି ଗଞ୍ଜାମ କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ପଟଣାର ଐତିହାସିକ ରାଜ ପ୍ରାସାଦ l ସରକାର ସୂଚନା ଫଳକରେ ଐତିହାସିକ ସ୍ଥାନ ଭାବେ ଆଠଗଡ଼ ପାଟଣାକୁ ଫଳକ ଲଗାଇ ଘୋଷଣା କରିଛନ୍ତି ସତ ହେଲେ ଐତିହାସିକ ସ୍ଥାନର ଉନ୍ନତି କରଣ କଥା ସତେ ଯେମିତି ଭୁଲି ଯାଇଛନ୍ତି l 

ଶହ ଶହ ବର୍ଷ ତଳର ଇତିହାସର ମୁକସାକ୍ଷୀ ସାଜିଥିବା ଏହି ରାଜ ପ୍ରାସାଦର କାରୁକାର୍ଯ୍ୟ ଗୁଡିକ ଏବେ ମାଟିରେ ମିଶିବାକୁ ବସିଲାଣି l ରାଜ ପ୍ରାସାଦ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଠି ସତେଯେମିତି ବିପଦ ଛକି ବସିଛି l ସରକାର ରାଜ ପ୍ରାସାଦର ପୁନଃରୁଦ୍ଧାର ତୁରନ୍ତ କରନ୍ତୁ, ନଚେତ ଫଳକ ହଟାଇ ସ୍ଥାନକୁ ବିପଦ ସଙ୍କୁଳ ଘୋଷଣା କରନ୍ତୁ ବୋଲି କହିଛନ୍ତି ଅଞ୍ଚଳବାସୀ। 

ଗଡଜାତ ରାଜା ଭାବେ ଆଠଗଡ଼ ରାଜାଙ୍କ ସବୁଠି ରହିଥିଲା କ୍ଷାତି l ଖରଖରୀ ନଦୀ ଠାରୁ ବରିଡା ପର୍ଯ୍ୟନ୍ତ ରାଜା ଶାସନ କରୁଥିଲେ l ରାଜା ରାଜୁଡା ସମୟରେ ଏହି ରାଜ ପ୍ରାସାଦରେ ରହି ରାଜାମାନେ ଶାସନ କରୁଥିଲେ l ତେବେ ଇତିହାସର ମୁକସାକ୍ଷୀ ସାଜିଥିବା ଗୌରବମୟ ରାଜ ପ୍ରାସାଦ ଏବେ ଜରାଜୀଣ୍ଣ ଅବସ୍ଥା ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି l 

ଅନ୍ୟପଟେ ସରକାରଙ୍କ ଆଦର୍ଶ ଗ୍ରାମ ଯୋଜନାରେ ଆଠଗଡ଼ପାଟଣାକୁ ସାମିଲ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଆସିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।