Hera Pheri 3 updates: ସୁନୀଲ ଶେଟ୍ଟୀଙ୍କ ବଡ଼ ଆଶା
ବଲିଉଡ୍ ଅଭିନେତା ସୁନୀଲ ଶେଟ୍ଟୀ ତାଙ୍କ ଆଗାମୀ କମେଡି ଫିଲ୍ମ 'ୱେଲକମ୍ ଟୁ ଦି ଜଙ୍ଗଲ'ର ସଫଳତାକୁ ନେଇ ବେଶ୍ ଉତ୍ସାହିତ। ତାଙ୍କ ବିଶ୍ୱାସ, ଏହି ଫିଲ୍ମ ବକ୍ସ ଅଫିସରେ ବ୍ଲକବଷ୍ଟର ସଫଳତା ହାସଲ କରିବା ସହ ବହୁ ପ୍ରତୀକ୍ଷିତ ଫିଲ୍ମ 'ହେରା ଫେରି ୩' ପାଇଁ ମଧ୍ୟ ନୂଆ ଆଶାର ଦ୍ୱାର ଖୋଲିପାରେ।
'ୱେଲକମ୍ ଟୁ ଦି ଜଙ୍ଗଲ' ମାଧ୍ୟମରେ ସୁନୀଲ ଶେଟ୍ଟୀ ପୁଣିଥରେ କମେଡି ଧାରାକୁ ଫେରିଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଅକ୍ଷୟ କୁମାର, ପରେଶ ରାୱଲ, ରବିନା ଟଣ୍ଡନଙ୍କ ଭଳି ଅନେକ ପୁରୁଣା ସହକଳାକାର ଏକାଠି ନଜର ଆସିବେ।
ଫିଲ୍ମକୁ ମିଳୁଥିବା ସକାରାତ୍ମକ ପ୍ରତିକ୍ରିୟାକୁ ନେଇ ସୁନୀଲ କହିଛନ୍ତି ବର୍ତ୍ତମାନ ବଲିଉଡରେ ପୁଣିଥରେ ସମସ୍ତ ପରିବାର ଏକାଠି ବସି ଦେଖିପାରିବା ଭଳି ଚଳଚ୍ଚିତ୍ରର ଆବଶ୍ୟକତା ରହିଛି। ଯେକୌଣସି ଫିଲ୍ମର ସଫଳତା ସମଗ୍ର ଇଣ୍ଡଷ୍ଟ୍ରିର ସଫଳତା। ଆଜି ସମୟରେ ପାରିବାରିକ ମନୋରଞ୍ଜନର ମୂଲ୍ୟକୁ ଭୁଲିଯାଇଛୁ। 'ୱେଲକମ୍ ଟୁ ଦି ଜଙ୍ଗଲ' ସେହି ପରମ୍ପରାକୁ ପୁଣି ଫେରାଇବ ବୋଲି ମୋର ବିଶ୍ୱାସ।
ଏହି ଫିଲ୍ମର ସବୁଠୁ ବଡ଼ ଆକର୍ଷଣ ହେଉଛି ଏହାର ଷ୍ଟାରକାଷ୍ଟ। ଅନେକ ଲୋକପ୍ରିୟ ଅଭିନେତା ଥିବା ସତ୍ତ୍ୱେ ପ୍ରତ୍ୟେକ କଳାକାରଙ୍କୁ ନିଜ ଟ୍ୟାଲେଣ୍ଟ ଦେଖାଇବା ପାଇଁ ସମାନ ସୁଯୋଗ ମିଳିଥିବା କଥା ସୁନୀଲ କହିଛନ୍ତି।
ସେ କହିଛନ୍ତି, "ଏହି ସଫଳତା କେବଳ ଅକ୍ଷୟ କୁମାର କିମ୍ବା ମୋର ନୁହେଁ, ବରଂ ପରେଶ ରାୱଲ, ରବିନା ଟଣ୍ଡନ ଓ ସମସ୍ତ କଳାକାରଙ୍କର ଅଟେ। ଏଭଳି ଫିଲ୍ମ ଦର୍ଶକଙ୍କ ହୃଦୟରେ ପୁଣିଥରେ ସ୍ଥାନ ସୃଷ୍ଟି କରିବାର ସୁଯୋଗ ଦେବ।"
ସୁନୀଲଙ୍କ ମତରେ, ବର୍ତ୍ତମାନ ଦର୍ଶକମାନେ ପୁଣିଥରେ ୯୦ ଦଶକର ଲୋକପ୍ରିୟ ଅଭିନେତାଙ୍କୁ ପସନ୍ଦ କରୁଛନ୍ତି। ଓଟିଟି ହେଉ କି ସିନେମା ହଲ୍, ଅଭିଜ୍ଞ କଳାକାରଙ୍କ ପ୍ରତି ଆଗ୍ରହ ବଢ଼ୁଥିବାରୁ ଭଲ କାହାଣୀକୁ ମଧ୍ୟ ଦର୍ଶକ ସ୍ୱୀକାର କରୁଛନ୍ତି।
ଆଲୋଚନା ସମୟରେ ବହୁ ପ୍ରତୀକ୍ଷିତ 'ହେରା ଫେରି ୩' ପ୍ରସଙ୍ଗ ଉଠିଥିଲା। ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ନାମକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଫିଲ୍ମର ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ଉଠିଛି। ତଥାପି ସୁନୀଲ ଶେଟ୍ଟୀ ଆଶାବାଦୀ। ସେ କହିଛନ୍ତି, 'ହେରା ଫେରି' ମୋ କ୍ୟାରିୟରର ସବୁଠାରୁ ବଡ଼ କମେଡି ଫ୍ରାଞ୍ଚାଇଜ୍। ଆଜି ବି ଏହାକୁ ନେଇ ମିମ୍ସ ବନୁଛି, ଲୋକମାନେ ଭଲ ପାଉଛନ୍ତି। ସମସ୍ତେ ଏହାର ପ୍ରତ୍ୟାବର୍ତ୍ତନ ଚାହୁଁଛନ୍ତି। ମୋର ଆଶା, 'ୱେଲକମ୍ ଟୁ ଦି ଜଙ୍ଗଲ'ର ସଫଳତା ପରେ ବୋଧହୁଏ କିଛି ଭଲ ହେବ।"
'ୱେଲକମ୍ ଟୁ ଦି ଜଙ୍ଗଲ'କୁ ନେଇ ଦର୍ଶକଙ୍କ ମଧ୍ୟରେ ବଢ଼ୁଥିବା ଉତ୍ସାହ ଦେଖି ସୁନୀଲ ଶେଟ୍ଟୀଙ୍କ ବିଶ୍ୱାସ, ଏହି ସଫଳତା ବଲିଉଡର ସବୁଠୁ ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ 'ହେରା ଫେରି'କୁ ମଧ୍ୟ ପୁଣିଥରେ ପରଦାକୁ ଫେରାଇ ଆଣିବାରେ ସହାୟକ ହୋଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।