GST Reforms: ଆସିଲା ଶସ୍ତାର ସୁନାମୀ, ମୋଦି ସରକାରଙ୍କ ନବରାତ୍ରି ଭେଟିକୁ ନେଇ ଉତ୍ସାହ

ଦେଶବାସୀଙ୍କୁ ମୋଦି ସରକାରଙ୍କ ପାର୍ବଣ ଭେଟି। ସେପ୍ଟେମ୍ବର ୨୨ରୁ କମିବ ବହୁ ସାମଗ୍ରୀର ଦର। ଆଗାମୀ ପିଢ଼ି ଜିଏସଟି ସଂସ୍କାର ପରେ କଣ ଶସ୍ତା ହେବ ଓ କଣ ହେବ ମହଙ୍ଗା, ତାକୁ ନେଇ ଚର୍ଚ୍ଚା।

04 September 2025 09:00 PM IST
GST Reforms: ଆସିଲା ଶସ୍ତାର ସୁନାମୀ, ମୋଦି ସରକାରଙ୍କ ନବରାତ୍ରି ଭେଟିକୁ ନେଇ ଉତ୍ସାହ

ଦେଶବାସୀଙ୍କୁ ମୋଦି ସରକାରଙ୍କ ପାର୍ବଣ ଭେଟି। ସେପ୍ଟେମ୍ବର ୨୨ରୁ କମିବ ବହୁ ସାମଗ୍ରୀର ଦର। ଆଗାମୀ ପିଢ଼ି ଜିଏସଟି ସଂସ୍କାର ପରେ କଣ ଶସ୍ତା ହେବ ଓ କଣ ହେବ ମହଙ୍ଗା, ତାକୁ ନେଇ ଚର୍ଚ୍ଚା।

ଖାଉଟି ଖୁସ୍... ଗୃହିଣୀ ଖୁସ୍.. ଚାଷୀ ଖୁସ୍.. ବ୍ୟବସାୟୀ ଖୁସ୍...। ନେକ୍ସଟ୍ ଜେନେରେସନ୍ ଜିଏସଟି ସଂସ୍କାର ଆଣିଲା 'ଶସ୍ତା'ର ସୁନାମୀ। ମୋଦି ସରକାରଙ୍କ ନବରାତ୍ରୀ ଭେଟିକୁ ନେଇ ସବୁ ମହଲରେ ଖୁସିର ଲହରି। ତେଲ, ସାବୁନ, ଟୁଥପେଷ୍ଟରୁ ଆରମ୍ଭ କରି ପନୀର ଓ ପରଟା ଯାଏଁ... ଟିଭି, ଏସିଠୁ ନେଇ ବାଇକ୍, ଛୋଟ କାର୍ ଓ ଟ୍ରାକ୍ଟର ଯାଏଁ। ଏପଟେ ଔଷଧ, ଚିକିତ୍ସା ଉପକରଣ, ସ୍ୱାସ୍ଥ୍ୟ ଓ ଜୀବନ ବୀମା। ଏସବୁର ଜିଏସଟି ସ୍ଲାବ୍ ଖସିବା ଯୋଗୁଁ ଦର କମିବାକୁ ଯାଉଥିବାରୁ, ସବୁଠୁ ବେଶୀ ଆଶ୍ବସ୍ତ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ। ଏଠାରେ ନଜର ପକାନ୍ତୁ, ସାଧାରଣ ଲୋକଙ୍କ ଜୀବନକୁ ସହଜ କଲାଭଳି କେଉଁ କେଉଁ ସାମଗ୍ରୀ ପାଇଁ କେଉଁ ଜିଏସଟି ସ୍ଲାବ୍ ଘୋଷଣା ହୋଇଛି, ଗତକାଲିର GST ପରିଷଦ ବୈଠକରେ।

୫ ପ୍ରତିଶତ GST ସ୍ଲାବକୁ ଖସିଛି କେଶତୈଳ, ସାମ୍ପୋ, ଟୁଥପେଷ୍ଟ୍, ଗାଧୁଆ ସାବୁନ, ଟୁଥବ୍ରସ୍, ଟୁଥପେଷ୍ଟ, ସେଭିଙ୍ଗ୍ କ୍ରିମ୍, ଛୁଆଙ୍କ ନାପକିନ ଓ ଡାଇପର୍, ବାସନକୁସନ, ସସ୍, କଫି, ଇନଷ୍ଟାଣ୍ଟ୍ ନୁଡୁଲ୍ସ, ମିକ୍ସଚର୍, ନମକିନ୍, ଭୁଜିଆ ଓ ସାଇକେଲ୍। ଜିଏସଟି ମୁକ୍ତ ହୋଇଛି UHT କ୍ଷୀର, ପ୍ୟାକେଟ୍ ଛେନା, ପନିର, ରୁଟି, ପରଟା ଓ ଚପାତି। ପିଲାଙ୍କ ପାଠପଢ଼ା ସାମଗ୍ରୀ ଯଥା- ନୋଟବୁକ୍, ଅଭ୍ୟାସ ପୁସ୍ତିକା, ପେନସିଲ୍, ଇରେଜର, ସାର୍ପନର୍, କ୍ରେୟନ୍ସ ଓ ପ୍ୟାଷ୍ଟଲ୍ ଆଦି ଉପରେ ବି କୌଣସି ଜିଏସଟି ଲାଗିବ ନାହିଁ। ଘର ତିଆରି କରିବାକୁ ଚାହୁଁଥିବା ଲୋକେ ସିମେଣ୍ଟ, ମାର୍ବଲ୍, ଗ୍ରାନାଇଟ୍ ଆଦି ଶସ୍ତାରେ କିଣିପାରିବେ। ଯାହାକି ସାଧାରଣ ମଧ୍ୟବିତ୍ତଙ୍କ ସଞ୍ଚୟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।  

ସେହିଭଳି ଏସି, ଟିଭି, କଂପ୍ୟୁଟର ମନିଟର୍, ପ୍ରୋଜେକ୍ଟର, ଡିସ୍-ୱାସିଂ ମେସିନ୍ ଆଦି ୧୮ ପ୍ରତିଶତ ସ୍ଲାବ୍ ଅନ୍ତର୍ଭୁକ୍ତ ହୋଇଛି। ଏଥିସହ ସୁଲଭ ଦରରେ ଯାନବାହନ ଯୋଗାଇବାକୁ ଛୋଟ କାର୍, ୩୫୦ ସିସିରୁ କମ୍ ମୋଟର ସାଇକେଲ୍, ୩ ଚକିଆ ଯାନ, ମାଲ୍ ପରିବହନ ପାଇଁ ମୋଟର ଯାନ, ଅଟୋ ପାର୍ଟସ୍ ଆଦିରେ ୧୮ ପ୍ରତିଶତ ଜିଏସଟି ଲାଗିବ। ଟ୍ରାକ୍ଟର, ତାହାର ଟାୟାର ଓ ଯନ୍ତ୍ରାଂଶ, ଜୈବ କୀଟନାଶକ, ଡ୍ରିପ୍ ଓ ସ୍ପ୍ରିଙ୍କଲର୍, ଚାଷ କାମ ଓ ଅମଳ ଯନ୍ତ୍ରପାତି ଆଦି ୫ ପ୍ରତିଶତ ସ୍ଲାବକୁ ଆସିବା ପରେ ଚାଷୀର ଖୁସି ବି କହିଲେ ନସରେ।

ସ୍ୱାସ୍ଥ୍ୟସେବା ଓ ବୀମା ଖର୍ଚ୍ଚରେ ବି ଲୋକଙ୍କୁ ମିଳିବ ବିଶେଷ ରିହାତି। ୩୩ଟି ଜୀବନରକ୍ଷକ ଔଷଧ ସହ କ୍ୟାନସର୍, ବିରଳ ରୋଗ ଓ ଗୁରୁତର ଦୀର୍ଘକାଳୀନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ମେଡିସନ୍ ଆଦି ଜିଏସଟି ମୁକ୍ତ କରାଯାଇଛି। ଅନ୍ୟ ସମସ୍ତ ଔଷଧ, ଚିକିତ୍ସା ଉପକରଣ, ବ୍ୟାଣ୍ଡେଜ୍, ଗ୍ଲୁକୋମିଟର ଆଦି ଉପରେ ଜିଏସଟି ୧୨ରୁ ୫ ପ୍ରତିଶତକୁ ଖସିଛି। ବ୍ୟକ୍ତିଗତ ଜୀବନ ବୀମା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟବୀମା ଏବଂ ଏହାର ପୁନଃବୀମାକରଣ ଆଦି ଉପରେ ଜିଏସଟି ଛାଡ଼ ହୋଇଛି।

ସେପ୍ଟେମ୍ବର ୨୨ ନବରାତ୍ରୀରୁ ଦେଶରେ ଏହି ନୂଆ ୨ ଥାକିଆ ଜିଏସଟି ବ୍ୟବସ୍ଥା ଅର୍ଥାତ୍ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ। ତେବେ ଏଥିସହ ଲାଗୁ ହେବାକୁ ଥିବା ନୂଆ ୪୦ ପ୍ରତିଶତ ସ୍ଲାବ୍ ବିଳାସ ଓ ହାନିକାରକ ସାମଗ୍ରୀ ଗୁଡ଼ିକୁ ମହଙ୍ଗା କରିବ। ଯେପରିକି, ପାନମସଲା, ସିଗାରେଟ୍, ଜର୍ଦା ଆଦି ତମାଖୁ ଜାତୀୟ ସାମଗ୍ରୀ, ମୃଦୁ ପାନୀୟ, ଅନଲାଇନ ଗେମିଂ, ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗାଡ଼ି, ୩୫୦ ସିସିରୁ ଅଧିକ ବାଇକ୍ ଇତ୍ୟାଦିର ମୂଲ୍ୟ ବଢ଼ିବ। ଏହି ଜିଏସଟି ସଂସ୍କାର ନିଷ୍ପତ୍ତି ଯୋଗୁଁ ବାର୍ଷିକ ପ୍ରାୟ ୯୩ ହଜାର କୋଟି ଟଙ୍କା ବାର୍ଷିକ କ୍ଷତି ସହିବେ କେନ୍ଦ୍ର ସରକାର।  

Disclaimer: This content has been automatically aggregated from television for informational purposes. To read the original article, please visit television.