GST Council Meet: ଶସ୍ତା ହେବ ଔଷଧ ସହ କାର୍, ବାଇକ୍, ଟିଭି, ଫ୍ରିଜ୍ !
ଜିଏସଟିରେ ହେବ କି ବଡ଼ଧରଣର ପରିବର୍ତ୍ତନ ? ବଦଳିବ କି ଟିକସ୍ ସ୍ଲାବ୍ ? ନୂଆଦିଲ୍ଲୀରେ ବସିଥିବା ୫୬ତମ GST କାଉନସିଲ୍ ବୈଠକ ଉପରେ ସମସ୍ତଙ୍କ ନଜର । ଚର୍ଚ୍ଚା ହେଉଛି ଟ୍ରମ୍ପଙ୍କ ଟାରିଫ ହାଇକକୁ ମୁକାବିଲା କରିବାକୁ ଜିଏସଟି ସ୍ଲାବରେ ହୋଇପାରେ
ଜିଏସଟିରେ ହେବ କି ବଡ଼ଧରଣର ପରିବର୍ତ୍ତନ ? ବଦଳିବ କି ଟିକସ୍ ସ୍ଲାବ୍ ? ନୂଆଦିଲ୍ଲୀରେ ବସିଥିବା ୫୬ତମ GST କାଉନସିଲ୍ ବୈଠକ ଉପରେ ସମସ୍ତଙ୍କ ନଜର । ଚର୍ଚ୍ଚା ହେଉଛି ଟ୍ରମ୍ପଙ୍କ ଟାରିଫ ହାଇକକୁ ମୁକାବିଲା କରିବାକୁ ଜିଏସଟି ସ୍ଲାବରେ ହୋଇପାରେ ବଡ ଧରଣର ପରିବର୍ତ୍ତନ।
ଶସ୍ତା ହୋଇପାରେ ଔଷଧ, କାର୍, ବାଇକ୍, ଟିଭି, ଫ୍ରିଜ୍। କମିପାରେ ପାଉଡର, ଟୁଥ୍ ପେଷ୍ଟ, ସାମ୍ପୁ ଭଳି ପ୍ରସାଧନ ସାମଗ୍ରୀ ଦାମ୍। ଡେରି ଉତ୍ପାଦ ଏବଂ ପ୍ରୋସେସଡ୍ ଫୁଡ୍ ଭଳି ପ୍ରଡକ୍ଟ ଦାମ୍ ବି କମିପାରେ। ମହଙ୍ଗା ହେବ ବିଳାସପୂର୍ଣ୍ଣ ଗାଡି ଏବଂ ବିଦେଶୀ ମୃଦୁ ପାନୀୟ। ପ୍ରାୟ ୧୭୫ଟି ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରିବାକୁ ନିଷ୍ପତ୍ତି ନେଇପାରେ ଜିଏସଟି କାଉନସିଲ୍।
ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଉପରେ ସାରା ଦେଶର ନଜର। କୁହାଯାଉଛି, ଉଚ୍ଛେଦ ହୋଇପାରେ ୧୨ ଓ ୨୮ ପ୍ରତିଶତ ଜିଏସଟି ସ୍ଲାବ। ବିଶେଷ କରି ପାଉଡର, ଟୁଥ୍ ପେଷ୍ଟ ଏବଂ ସାମ୍ପୁକୁ ୧୮ ପ୍ରତିଶତ ସ୍ଲାବରୁ କାଢି ୫ ପ୍ରତିଶତରେ ରଖିବାକୁ ଯୋଜନା ରହିଛି।ସେହିପରି ଏସି, ଟିଭି, ଫ୍ରିଜକୁ ୨୮ ପ୍ରତିଶତରୁ ବାହାର କରି ୧୮ ପ୍ରତିଶତରେ ରଖିବାକୁ ପ୍ରସ୍ତାବ ରହିଛି। ପେଟ୍ରୋଲ ହାଇବ୍ରିଡ କାର ଉପରେ ୧୮ ପ୍ରତିଶତ ଜିଏସଟି ସ୍ଲାବକୁ ଖସାଯାଇପାରେ, ଯାହାଫଳରେ କମିବ ଦାମ୍ । କିନ୍ତୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଇଭି ଗାଡି ଉପରେ ଜିଏସଟି ୫ ପ୍ରତିଶତରୁ ବଢି ୧୮ ପ୍ରତିଶତ ହୋଇପାରେ। ସେହିପରି ସାର, ଚାଷୀ ଉପକରଣ ଏବଂ ଟ୍ରାକ୍ଟରକୁ ୫ ପ୍ରତିଶତ ଜିଏସ୍ଟି ସ୍ଲାବରେ ରଖିବାକୁ ହୋଇଛି ଯୋଜନା।
ବର୍ତ୍ତମାନ ୪ଟି ଜିଏସଟି ସ୍ଲାବ ୫%, ୧୨%, ୧୮% ଓ ୨୮% କାର୍ଯ୍ୟକାରୀ ହେଉଛି । ସୂଚନା ଅନୁସାରେ ଆଗକୁ କେବଳ ୫% ଓ ୧୮% ସ୍ଲାବ ରହିପାରେ । ୨୮% ସ୍ଲାବରେ ଆସୁଥିବା ପ୍ରାୟ ୯୦% ସାମଗ୍ରୀ ୧୮% ସ୍ଲାବକୁ ଆସିପାରେ । ସେହିପରି ୧୨% ଜିଏସଟି ଆଦାୟ କରାଯାଉଥିବା ଅଧିକାଂଶ ସାମଗ୍ରୀ ୫% ଅଧିନକୁ ଆସିବା ସମ୍ଭାବନା ରହିଛି। ଆମେରିକା ଘୋଷଣା କରିଥିବା ୫୦ ପ୍ରତିଶତ ଟାରିଫ ବୃଦ୍ଧିକୁ ମୁକାବିଲା କରିବା ଲାଗି ଜିଏସଟିରେ ବଡ ହ୍ରାସ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା କୁହାଯାଉଛି। ଏମିତି କିଛି ପ୍ରଡକ୍ଟ ଉପରୁ ଜିଏସଟି ହ୍ରାସ ହେଲେ ଦେଶର କମ୍ପାନୀ ମାନେ ଉପକୃତ ହେବେ। ଏପିରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ୱାଧୀନତା ଦିବସ ଭାଷଣରେ ଏ ନେଇ ସଙ୍କେତ ଦେଇଥିଲେ।
ଜିଏସଟି କାଉନସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଛନ୍ତି। ବଡ଼ କଥା ହେଉଛି, ଜିଏସଟି ହ୍ରାସ ନିଷ୍ପତ୍ତି ଦ୍ୱାରା ଦେଶ ସହ ସମସ୍ତ ରାଜ୍ୟ ୮୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ। ଯେଉଁଥିପାଇଁ ହିମାଚଳ ପ୍ରଦେଶ, ଝାଡଖଣ୍ଡ, କେରଳ, ପଞ୍ଜାବ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଭଳି ୮ ଅଣବିଜେପି ଶାସିତ ରାଜ୍ୟ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଏହା ବାବଦକୁ ରାଜ୍ୟ ପାଇଁ କ୍ଷତିପୂରଣ ମଧ୍ୟ ଦାବି କରୁଛନ୍ତି। ସେ ଦିଗରେ ବି ଜିଏସଟି କାଉନସିଲ ବିଚାର କରିପାରେ ବୋଲି କୁହାଯାଉଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
