GST 2.0: ଶସ୍ତା ହେବ ମେଡିସିନ୍, ଚିକିତ୍ସା ଉପକରଣ ଓ ଚଷମା

କର୍କଟ ଓ ଅନ୍ୟ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତଙ୍କୁ ବଡ଼ ଆଶ୍ବସ୍ତି। ୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଲାଗିବନି ଜିଏସଟି।

05 September 2025 08:15 PM IST
GST 2.0: ଶସ୍ତା ହେବ ମେଡିସିନ୍, ଚିକିତ୍ସା ଉପକରଣ ଓ ଚଷମା

କର୍କଟ ଓ ଅନ୍ୟ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତଙ୍କୁ ବଡ଼ ଆଶ୍ବସ୍ତି। ୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଲାଗିବନି ଜିଏସଟି।

କ୍ୟାନସର୍ ହେଉ କି ଅନ୍ୟ କୌଣସି ଦୁରାରୋଗ୍ୟ ବ୍ୟାଧି  । ରୋଗ ସହ ଲଢ଼େଇରେ ସାଥ୍ ଦେବ GST 2.୦ (ଟୁ ପଏଣ୍ଟ୍ ଓ)ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ଆଖିରେ ନୂଆ ଚମକ । ଦିନକୁ ଦିନ ବଢ଼ୁଥିବା ଚିକିତ୍ସା ଖର୍ଚ୍ଚରେ ଲାଗିବ ଲଗାମ୍  । ଶସ୍ତା ହେବ ମେଡିସିନ୍, ଚିକିତ୍ସା ଉପକରଣ ଓ ଚଷମା ।

ମୋଦି ସରକାର ଘୋଷଣା କରିଥିବା ନେକ୍ସଟ ଜେନେରସନ୍ ଜିଏସଟି ସେପ୍ଟେମ୍ବର ୨୨ରୁ ଲାଗୁ ହେବାକୁ ଥିବା ବେଳେ, କର୍କଟ ଓ ଅନ୍ୟ ଜଟିଳ ରୋଗାକ୍ରାନ୍ତଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ରୋଗ ଚିନ୍ତା ଘାରୁଥିଲେ ବି, ଖର୍ଚ୍ଚ ଚିନ୍ତା କିଛି ମାତ୍ରାରେ କମିବାକୁ ଯାଉଛି ନବରାତ୍ରି ପରଠୁ। ୩୩ଟି ଜୀବନରକ୍ଷାକାରୀ ଔଷଧ ସମେତ ୩ଟି କର୍କଟ, ବିରଳ ରୋଗ ଓ ଗୁରୁତର ଦୀର୍ଘକାଳୀନ ରୋଗର ଔଷଧକୁ ଜିଏସଟି ଛାଡ଼ କରାଯାଇଛି । ଏସବୁ ଉପରେ ପୂର୍ବରୁ ୧୨ ଓ ୫ ପ୍ରତିଶତ ଜିଏସଟି ଲାଗୁଥିଲା।...

କେବଳ କର୍କଟ କି ଜଟିଳ ବ୍ୟାଧି ନୁହେଁ, ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଔଷଧ ବି ଶସ୍ତା ହେବ। ସମସ୍ତ ଔଷଧ, ଚିକିତ୍ସା ଉପକରଣ, ଡାଇଗ୍ନୋଷ୍ଟିକ୍ କିଟ୍, ରିଏଜେଣ୍ଟ୍, ମେଡିକାଲ୍ ଅକ୍ସିଜେନ୍, ସର୍ଜିକାଲ୍ ଇନଷ୍ଟ୍ରୁମେଣ୍ଟ, ଆନେସ୍ଥେଟିକ୍ସ, ଗଜ୍, ବ୍ୟାଣ୍ଡେଜ୍, ସର୍ଜିକାଲ୍ ଗ୍ଲୋଭ୍ସ, ଥର୍ମୋମିଟର, ଗ୍ଲୁକୋମିଟର ଆଦିର ଜିଏସଟି ୫ ପ୍ରତିଶତକୁ ଖସିଛି, ଯାହାକି ପୂର୍ବରୁ କେଉଁଥିରେ ୧୨ ପ୍ରତିଶତ, ତ କେଉଁଥିରେ ୧୮ ପ୍ରତିଶତ ଲାଗୁଥିଲା। ଦାନ୍ତ ଚିକିତ୍ସା ଓ ପଶୁ ଚିକିତ୍ସା ଉପକରଣ ସହ ଆୟୁର୍ବେଦ, ୟୁନାନି ଓ ହୋମିଓପାଥି ମେଡିସିନ୍ ଉପରେ ବି ଏଣିକି ମାତ୍ର ୫ ପ୍ରତିଶତ ଜିଏସଟି ଲାଗିବ। ଚଷମା, ଚଷମା ଲେନ୍ସ ଓ କଣ୍ଟାକ୍ଟ ଲେନ୍ସ ଉପରେ ଜିଏସଟି ୧୨ରୁ ୫ ପ୍ରତିଶତକୁ କମିବା ପରେ ଏହା ବିଶେଷତଃ ବୟସ୍କ ଓ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ବୋଲି ଆଶା କରାଯାଉଛି।...

ହେଲ୍ଥ ଓ ଲାଇଫ ଇନସୁରାନ୍ସ ପାଇଁ ବି କମିବ ପ୍ରିମିୟମ୍ ରାଶି। ସାଧାରଣ ଲୋକଙ୍କ ପାଇଁ ବୀମା ସୁଲଭ କରିବା ଏବଂ ଦେଶରେ ବୀମା ସୁରକ୍ଷା ବୃଦ୍ଧି ଦିଗରେ ବାଟ ଫିଟାଇଛି ଜିଏସଟି ସଂସ୍କାର। ସମସ୍ତ ବ୍ୟକ୍ତିଗତ ଜୀବନ ବୀମା ପଲିସି ଯଥା ଟର୍ମ ଲାଇଫ୍, ୟୁଲିପ୍ କିମ୍ବା ଏଣ୍ଡୋମେଣ୍ଟ ପଲିସି ଉପରେ ଜିଏସଟି ଛାଡ଼ କରାଯାଇଛି। ସମସ୍ତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ପଲିସି, ପରିବାର ଫ୍ଲୋଟର୍ ପଲିସି, ବରିଷ୍ଠ ନାଗରିକଙ୍କ ପାଇଁ ପଲିସି ଉପରେ ବି ଲାଗିବନି କୌଣସି ଜିଏସଟି। ଆଗରୁ ଏସବୁ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁଥିଲା। କେବଳ ନୂଆ ଇନସୁରାନ୍ସ ପଲିସି ନୁହେଁ, ସେପ୍ଟେମ୍ବର ୨୨ ପରେ ପୁନଃବୀମାକରଣ ବା ରିନ୍ୟୁ ବି ବିନା ଜିଏସଟିରେ ହେବ। ମୋଟାମୋଟି, ଲାଇଫ ଇନସୁରାନ୍ସରେ ୧ ଲକ୍ଷ ୧୮ ହଜାର ପ୍ରିମିୟମ୍ ପରିବର୍ତ୍ତେ ୧ ଲକ୍ଷ ଏବଂ ସ୍ବାସ୍ଥ୍ୟବୀମା ପାଇଁ ୧୧ ହଜାର ୮ଶହ ପ୍ରିମିୟମ ପରିବର୍ତ୍ତେ ୧୦ ହଜାର ଟଙ୍କାର ପ୍ରିମିୟମ ଦେବାକୁ ପଡ଼ିବ। ଅର୍ଥାତ୍ ଏଣିକି ୫ ଲକ୍ଷ ଟଙ୍କାର ବୀମା ନେଉଥିବା ଲୋକେ ୭ ରୁ ୮ ଲକ୍ଷ ଟଙ୍କାର ବୀମା ପାଇଁ ସାହସ ଜୁଟାଇ ପାରିବେ। ଯାହାକି ଇନସୁରାନ୍ସ କଂପାନୀ ପାଇଁ ବି ଫାଇଦା ହେବ ଏବଂ ଅଧିକରୁ ଅଧିକ ଲୋକ ବୀମା କରିବାକୁ ଆଗ୍ରହ ଦେଖାଇବେ। ୨୦୪୭ ସୁଦ୍ଧା 'ମିଶନ୍ ଇନସୁରାନ୍ସ ଫର୍ ଅଲ୍', ଅର୍ଥାତ୍ ସମସ୍ତଙ୍କୁ ବୀମାଭୁକ୍ତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟକୁ ଏହା ତ୍ବରାନ୍ବିତ କରିବ।...

ଗାଁରେ ମୁଣ୍ଡ ଉପରେ ପକ୍କା ଛାତ ହେଉ, ଅବା ସହରରେ ନିଜର ଏକ ନିଡ଼ର ସ୍ବପ୍ନ। ଏହାକୁ ସତ କରିବା ପାଇଁ ଏଣିକି ସୁଲଭ ହେବ ଘର ତିଆରି। ଛୋଟ ହେଉ କି ବଡ଼, ବ୍ୟକ୍ତିଗତ ବାସଗୃହ ହେଉ କି ବଡ଼ ଆପାର୍ଟମେଣ୍ଟ ଓ ଫ୍ଲାଟ୍। ସିମେଣ୍ଟ ଉପରେ ୧୦ ପ୍ରତିଶତ ଜିଏସଟି ହ୍ରାସ ହେବା ପରେ କମିବାକୁ ଯାଉଛି ବାସଗୃହ ନିର୍ମାଣ ଖର୍ଚ୍ଚ। ମାର୍ବଲ୍ ଓ ଟ୍ରାଭର୍ଟାଇନ୍ ବ୍ଲକ୍, ଗ୍ରାନାଇଟ୍ ବ୍ଲକ୍, ସ୍ୟାଣ୍ଡ୍-ଲାଇମ୍ ବ୍ରିକ୍, ବାମ୍ବୁ ଫ୍ଲୋରିଂ ଭଳି ସାମଗ୍ରୀ ଉପରେ ଜିଏସଟି 5 ପ୍ରତିଶତକୁ ଖସିଥିବାରୁ ଏସବୁ ଶସ୍ତାରେ ମିଳିପାରିବ। ଯାହାକି କେବଳ ଯେ ସାଧାରଣ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ଦେବ ତା ନୁହେଁ। ସାମଗ୍ରିକ ଭାବେ ରିୟଲ ଇଷ୍ଟେଟ୍ ସେକ୍ଟର ଓ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟକୁ ବଳ ଦେବ। ରିୟଲ ଇଷ୍ଟେଟରେ ଚାହିଦା ବଢ଼ିଲେ ଅଧିକ ନିଯୁକ୍ତି ସୁଯୋଗ ବି ସୃଷ୍ଟି ହେବ ବୋଲି ଆଶା ରଖିଛନ୍ତି ସରକାର। ୧୦ ଲକ୍ଷ ଟଙ୍କାର ଘର ପାଇଁ ପ୍ରାୟ ୫୦ ହଜାର ଟଙ୍କା କମ୍ ଖର୍ଚ୍ଚ ହେବ ବୋଲି ଆକଳନ କରିଛନ୍ତି ବିଲଡର୍।...

  ବ୍ୟୁରୋ ଇନପୁଟ ସହ କଟକରୁ ବିଶ୍ବଜିତ ଆଚାର୍ଯ୍ୟ ଏବଂ ଭୁବନେଶ୍ବରରୁ ସରୋଜ ବେହେରା ଓ ଜ୍ୟୋତିପ୍ରକାଶ ପତିଙ୍କ ରିପୋର୍ଟ, ଓଟିଭି ।... 

Disclaimer: This content has been automatically aggregated from television for informational purposes. To read the original article, please visit television.