06 AUGUST 2026

Welcome!

Unlock your personalized experience.
Sign Up

Government rice: ବର୍ଷାରେ ଶଢ଼ୁଛି ସରକାରୀ ଚାଉଳ: ଖାଉଟିଙ୍କ ଜୀବନ ସହ ଖେଳ, କୋମାରେ ପ୍ରଶାସନ

Aug 06, 2026 - 04:29
Government rice: ବର୍ଷାରେ ଶଢ଼ୁଛି ସରକାରୀ ଚାଉଳ: ଖାଉଟିଙ୍କ ଜୀବନ ସହ ଖେଳ, କୋମାରେ ପ୍ରଶାସନ

ସମ୍ବଲପୁର: ଖାଉଟିଙ୍କ ଜୀବନ ସହିତ ଖେଳୁଛନ୍ତି ମିଲର୍, କିନ୍ତୁ ଏହାକୁ ଆଖି ବୁଜିଦେଇଛି ସମ୍ବଲପୁର ପ୍ରଶାସନ। ଉପଯୁକ୍ତ ଭାବରେ ଚାଉଳ ସଂରକ୍ଷିତ ରଖିବା ପାଇଁ ସରକାରଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ମଧ୍ୟ ମିଲ୍‌ରେ ସରକାରୀ ଚାଉଳକୁ ଅଲୋଡ଼ା ବା ପରିତ୍ୟକ୍ତ ସାମଗ୍ରୀ ଭଳି ପକାଇ ଦିଆଯାଉଛି। ଚଳିତ ବର୍ଷାରେ ଶହଶହ ବସ୍ତା ଚାଉଳ ଓଦା ହୋଇ ନଷ୍ଟ ହୋଇଯାଇଛି। ଅନେକ ମିଲ୍‌ରେ ବର୍ଷାପାଣି ଘେରରେ ଧାନବସ୍ତାଗୁଡ଼ିକ ରହିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଚାଉଳ ଫିମ୍ପି ଲାଗି ଆଉ ବ୍ୟବହାରଯୋଗ୍ୟ ରହି ନାହିଁ। ସହର ଉପକଣ୍ଠ ମାଳତୀ ଗୁଣ୍ଡେରପୁରସ୍ଥିତ ଶିବଶକ୍ତି ରାଇସ ମିଲ୍‌ ଓ ନକ୍ସାପାଲିର ଶାକମ୍ବରୀ ହାଇଟେକ୍‌ ଫୁଡ୍‌ ମିଲ୍‌ରେ ଏଭଳି ସାଂଘାତିକ ଅବହେଳା କରାଯାଇଥିବା ଚିତ୍ର ‘ସମ୍ବାଦ’ ହାତରେ ଲାଗିଛି। ଏପରିକି ଶାକମ୍ବରୀ ହାଇଟେକ୍‌ ଫୁଡ୍‌ ମିଲ୍‌ରେ ଏଭଳି ଅବହେଳିତ ଭାବେ ଚାଉଳ ରଖାଯାଇଥିବା ନେଇ ଯୋଗାଣ ବିଭାଗ ପାଖରେ ଖବର ଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ନୋଟିସ୍‌ ଦେଇ କାମ ସାରି ଦିଆଯାଇଛି।

Flood in Bhadrak: ବନ୍ୟା କ୍ଷୟକ୍ଷତି, କୃଷକଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର ସମ୍ପର୍କିତ ଦାବିପତ୍ର ପ୍ରଦାନ

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବରେ ଯୋଗାଣ ନିଗମ ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ମିଲର୍‌ଙ୍କୁ ଦିଏ। କଷ୍ଟମ୍‌ ମିଲିଂ ବ୍ୟବସ୍ଥାରେ ମିଲର୍‌ମାନେ ଚାଉଳ ଉତ୍ପାଦନ କରି ଯୋଗାଣ ନିଗମ ଏବଂ ଏଫ୍‌ସିଆଇକୁ ଫେରାଇ ଥାଆନ୍ତି। ମିଲ୍‌ରେ ଚାଉଳ ଉତ୍ପାଦନ ସହିତ ବୈଜ୍ଞାନିକ ପଦ୍ଧତିରେ ସୁରକ୍ଷିତ ଭାବରେ ଏହାର ସଂରକ୍ଷଣ ପାଇଁ କ୍ବିଣ୍ଟାଲ ପିଛା ୨୦ ଟଙ୍କା ସରକାରଙ୍କ ତରଫରୁ ମିଲର୍‌ଙ୍କୁ ଦିଆଯାଏ। ଚାଉଳର ଗୁଣାତ୍ମକମାନରେ କୌଣସି ପ୍ରକାର ବୁଝାମଣା ଯେପରି ନ ହେବ, ସେଥିପାଇଁ  ୧୫ ଦିନରେ ଥରେ ଏସିଏସ୍‌ଓ ଏବଂ ମାସରେ ଥରେ ସିଏସ୍‌ଓଙ୍କ ନେତୃତ୍ବରେ ଗଠିତ ସ୍କ୍ବାଡ୍‌ ଚାଉଳ ଯାଞ୍ଚ କରିଥାଆନ୍ତି। ଏହାସହିତ ଏସ୍‌ଏମ୍‌ସିର ପ୍ରବର୍ତ୍ତନ ସ୍କ୍ବାଡ୍‌ ମଧ୍ୟ ଖାଦ୍ୟ ବ୍ୟବସ୍ଥାର ତଦାରଖ କରନ୍ତି। ଏହା ସତ୍ତ୍ବେ ମିଲ୍‌ମାନଙ୍କରେ ଅତି ବେପରୁଆ ଭାବେ ଚାଉଳ ରଖାଯାଉଛି। ଖାଦ୍ୟନୀତି ଅନୁଯାୟୀ, ଚାଉଳ ସଂରକ୍ଷଣ ବୈଜ୍ଞାନିକ ପ୍ରଣାଳୀରେ ସୁବନ୍ଦୋବସ୍ତ ଥିବା ଗୋଦାମଗୁଡ଼ିକରେ ଅତ୍ୟନ୍ତ ଯତ୍ନର ସହ ରଖାଯିବ। କିନ୍ତୁ ମିଲ୍‌ମାନଙ୍କରେ ଚାଉଳଗୁଡ଼ିକ ଯେଉଁ ଗୋଦାମରେ ରଖାଯାଉଛି, ତାହା ଅତି ନିମ୍ନମାନର ଓ ପୁରୁଣାକାଳିଆ। ୨୦୨୧ ଓ ୨୦୨୨ ମସିହାରେ କେନ୍ଦ୍ର ସରକାରଙ୍କ ଟିମ୍‌ ଆସି ମିଲ୍‌ଗୁଡ଼ିକରେ ଚାଉଳ ସଂରକ୍ଷଣ ସ୍ତର ଅତି ନିମ୍ନମାନର ବୋଲି ରିପୋର୍ଟ ଦେଇଥିଲେ।

Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା

ଏଥିପାଇଁ ଅଯୋଗ୍ୟ ଚାଉଳକୁ ଗୋଖାଦ୍ୟ ଭାବରେ ବ୍ୟବହାର ପାଇଁ ନିର୍ଦ୍ଦେଶ ସହିତ ଦାୟୀ ମିଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହେବା ପରେ ପୁଣି ବୁଝାମଣା ହୋଇ ସବୁ ମିଲର୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିଥିଲା। ବର୍ତ୍ତମାନ ପୁଣି ସେହି ସ୍ଥିତି ଦେଖିବାକୁ ମିଳିଛି। ପ୍ରଶାସନ ଅନୁସାରେ, ମିଲ୍‌ମାନେ ଚାଉଳ ଉତ୍ପାଦନ ପରେ ଏହାକୁ ଯୋଗାଣ ନିଗମକୁ ଦେଇଥାଆନ୍ତି। ଯୋଗାଣ ନିଗମ ଜରିଆରେ ପିଡିଏସ୍‌ କେନ୍ଦ୍ର, ଆହାର, ସ୍କୁଲ ମଧ୍ୟାହ୍ନ ଭୋଜନ, ଆବାସିକ ସ୍କୁଲ ସମେତ ଜନମଙ୍ଗଳ ଖାଦ୍ୟ ଯୋଜନାରେ ଲୋକଙ୍କୁ ଆହାର ଦିଆଯାଏ। ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇଥିବାରୁ ଅତି କମ୍‌ରେ ଭୋକରେ କେହି ନ ରହନ୍ତୁ, ସେଥିପାଇଁ ସରକାର ବ୍ୟାପକ ଟଙ୍କା ଖର୍ଚ୍ଚ କରି ମାଗଣାରେ ଲୋକଙ୍କୁ ଖାଦ୍ୟ ଦେଇଥାଆନ୍ତି। ମିଲ୍‌ରେ ଯେଉଁଭଳି ଚାଉଳ ରଖାଯାଉଛି, ଏଥିରେ କେଉଁଭଳି ଚାଉଳ କୁନି ପିଲାଙ୍କଠାରୁ ଆରମ୍ଭ କରି ଲୋକଙ୍କ ପାଖକୁ ଯାଉଥିବ ଅନୁମାନ କରାଯାଇପାରେ। ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧ ହୋତା କହିଛନ୍ତି, ମିଲ୍‌ରୁ ଯୋଗାଣ ନିଗମ ଚାଉଳ ଗ୍ରହଣ ବେଳକୁ ବ୍ୟାପକ ଯାଞ୍ଚ ହୋଇଥାଏ। କୌଣସି ଚାଉଳ ଖରାପ ହେଲେ, ସେତିକି ପରିମାଣର ଭଲ ଚାଉଳ ମିଲ୍‌ ଦେବାକୁ ବାଧ୍ୟ। ତେଣୁ କୌଣସି ମିଲ୍‌ରେ ଚାଉଳ ଖରାପ ଥିଲେ ମଧ୍ୟ ଖାଉଟିଙ୍କ ପାଖକୁ ଖରାପ ଚାଉଳ ଯିବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।