Ganesh Puja: 5Tଙ୍କ ଗଣେଶ ପୂଜାରୁ ଗଣତନ୍ତ୍ରର ସୁରକ୍ଷା ପର୍ଯ୍ୟନ୍ତ, ଆଗଧାଡିରେ ଏଇମାନେ...

ଯିଏ ପାଠ ପଢାରେ ଦୁର୍ବଳ ଥିଲା, ଧର୍ କହିଲେ ମାଡ଼ି ବସିଥିଲା, ଗଣେଶ ପୂଜାରେ ଜୋର୍ ଜବରଦସ୍ତ ପୂଜା ସାମଗ୍ରୀ କିଣାକିଣିର ଦାୟିତ୍ବ ନେଇଥିଲା। ପୂଜା ଖର୍ଚ୍ଚର ସଠିକ୍ ହିସାବ ଦେଇ ପାରିନଥିଲା। ଯିଏ ହିସାବ ମାଗୁଥିଲା ତାକୁ ନାଲି ଆଖି ଦେଖାଉଥିବା

27 August 2025 05:34 AM IST
Ganesh Puja: 5Tଙ୍କ ଗଣେଶ ପୂଜାରୁ ଗଣତନ୍ତ୍ରର ସୁରକ୍ଷା ପର୍ଯ୍ୟନ୍ତ, ଆଗଧାଡିରେ ଏଇମାନେ...

ଯିଏ ପାଠ ପଢାରେ ଦୁର୍ବଳ ଥିଲା, ଧର୍ କହିଲେ ମାଡ଼ି ବସିଥିଲା, ଗଣେଶ ପୂଜାରେ ଜୋର୍ ଜବରଦସ୍ତ ପୂଜା ସାମଗ୍ରୀ କିଣାକିଣିର ଦାୟିତ୍ବ ନେଇଥିଲା। ପୂଜା ଖର୍ଚ୍ଚର ସଠିକ୍ ହିସାବ ଦେଇ ପାରିନଥିଲା। ଯିଏ ହିସାବ ମାଗୁଥିଲା ତାକୁ ନାଲି ଆଖି ଦେଖାଉଥିବା ପିଲା ଟାହିଆ ଆଜି ବଡ ସାମ୍ବିଧାନିକ ପଦବୀରେ ଶପଥ ଗ୍ରହଣ କରି ମଞ୍ଚାସୀନ ଅଛି। ଯିଏ ପରୀକ୍ଷାରେ ମାଧ୍ୟମ ଧରଣର ମାର୍କ ରଖୁଥିଲା, ପୂଜା ବେଳେ କୋଷାଧ୍ୟକ୍ଷ ବା ପରିଚାଳନା ଦାୟିତ୍ୱରେ ଥିଲା, ଗଣେଶ ପୂଜା ଅର୍ଥ ହେରଫେର ମାମଲାରେ ଟାହିଆକୁ ସାହାଯ୍ୟ କରିଥିବା ଟିଟନ୍ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଆଜି ପୁଣି ସେହି ଟାହିଆ ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛି ।

ଅଗ୍ରପୂଜ୍ୟ, ପାର୍ବତୀ ନନ୍ଦନ, ବିଦ୍ୟା ଓ ବୁଦ୍ଧି ଦାୟକ ବିଘ୍ନ ବିନାଶକ ଗଣେଶଙ୍କ ପୂଜା ପାଳନ ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରସ୍ତୁତି ବୈଠକ ବସିଲା। ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସହକାରୀ ଶିକ୍ଷକଙ୍କ ସହ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର ମନିଟରମାନେ ସାମିଲ ଥିଲେ। ପୂଜା ପାଇଁ ପିଲା ପିଛା ଚାନ୍ଦା ନିଷ୍ପତ୍ତି ହେଲା ଏବଂ ସଂଗ୍ରହ କରି ଆଣି ଛାତ୍ରଛାତ୍ରୀଙ୍କ ନାମ ସହ ଆଦାୟ ଟଙ୍କା ପ୍ରଧାନ ଶିକ୍ଷକଙ୍କ ଠାରେ ଜମା ଦେବାକୁ ମନିଟର ମାନଙ୍କୁ କୁହାଗଲା । ଚାନ୍ଦା ଆଦାୟ ସରିବା ପରେ ମୂର୍ତ୍ତି, ସାଜସଜ୍ଜା ପୂଜାପାଠ ଭୋଗ ସାମଗ୍ରୀ କିଣାକିଣି ସହ ପୂଜକକୁ ଆଣି ପୂଜା କରିବା ଓ ପରିଚାଳନା ଦାୟିତ୍ଵ ଦଶମ ଶ୍ରେଣୀର ୫ଜଣ ପିଲାଙ୍କୁ ବଛାଗଲା। ସେମାନେ ହେଲେ ଟୁନା,ଟୁକୁନା, ଟୁଟୁ, ଟିଟନ ଏବଂ ଟାହିଆ। ଏହି ୫ଜଣ ପିଲା ସ୍କୁଲରେ ୫-ଟି ନାମରେ ବେଶ୍ ଜଣାଶୁଣା ।

ପାଠ ପଢାରେ ଟାହିଆ ସମ୍ପୂର୍ଣ୍ଣ ଦୁର୍ବଳ। କିନ୍ତୁ ଧର କହିଲେ ମାଡ଼ି ବସିବା ପିଲା। ଭାରୀ ସାହସୀ ଓ କଥା କହି ସମସ୍ତଙ୍କ ମନ ଜିଣି ନେବ । ଯାହା ଅନ୍ୟ ମାନଙ୍କ ସାମ୍ନାରେ ଅସମ୍ଭବ କିନ୍ତୁ ତା ସାମ୍ନାରେ ସବୁ ସମ୍ଭବ। ଟାହିଆ ଭଲରେ ନଇଁଯାଏ ଖରାପରେ ପୂରା ବେହିୟା। ପୂଜା ସାଜସଜ୍ଜା ଓ ଭୋଗ ସାମଗ୍ରୀ କିଣାକିଣି ପାଇଁ ନିଜେ ମାଗିକି ଦାୟିତ୍ଵ ନେଲା। ଶ୍ରେଣୀରେ ମଧ୍ୟମ ଧରଣର ମାର୍କ ରଖି ପାଠ ପଢୁଥିବା ଛାତ୍ର ହେଲା ଟିଟନ। ଉପସ୍ଥିତ ବୁଦ୍ଧି ପ୍ରବଳ। ତାର ପରିଚାଳନା ଗତ ନିଷ୍ପତ୍ତି ଆଗରେ ସମସ୍ତେ ହାର ମାନିବେ। ସ୍କୁଲର ଚାନ୍ଦା ଆଦାୟ ହୋଇଥିବା ଟଙ୍କାର ହିସାବ ନିକାଶ ଦାୟିତ୍ଵ ସହ ପରିଚାଳନା ଦାୟିତ୍ଵ ଗ୍ରହଣ କରିଥିଲା ଟିଟନ । ୬୦ରୁ ୮୦ପ୍ରତିଶତ ମାର୍କ ରଖିଥିବା ଛାତ୍ର ହେଲା ଟୁକୁନା। ଭାରି ସରଳ ପିଲା ଟିଏ। ସ୍କୁଲରେ ପିଲା ମାନଙ୍କୁ କାହାକୁ ଜର, ଝାଡ଼ା ବାନ୍ତି, ଦେହର ଘା ହେବା ଦେଖିଲେ ତୁରନ୍ତ ସେମାନଙ୍କ ସେବାରେ ଲାଗି ଯାଏ।

ପୂଜା ବେଳେ ସ୍କୁଲ ପରିସର କେମିତି ସଫା ରହିବ, ଭୋଗ ଓ ପ୍ରସାଦ ସେବନ ପାଇଁ ପରିବେଶ ସଫାସୁତରା ଦାୟିତ୍ଵ ନେଇଥିଲା ଟୁକୁନା । ଟୁକୁନା ସହ ସମାନ ତାଳ ଦେଇ ମାର୍କ ରଖୁଥିବା ଛାତ୍ର ହେଲା ଟୁଟୁ । ତାର ଦୃଷ୍ଟି ଭଙ୍ଗୀ ଭଲ। ଅଦରକାରୀ ଜିନିଷକୁ କିପରି ଗୁରୁତ୍ୱପୂର୍ଣ୍ଣ କାମରେ ବ୍ୟବହାର କରାଯାଇ ପାରିବ ସେ ଗୁଣଟି ତାର ଭାରି ଭଲ। ଗଣେଶ ପୂଜାକୁ କିପରି ଆକର୍ଷଣୀୟ କରାଯାଇପାରିବ ଓ ସୁନ୍ଦର ଦେଖାଯିବ ସେ ଦାୟିତ୍ଵ ନେଇଥିଲା ଟୁଟୁ। ଟୁନା ହେଉଛି ସ୍କୁଲରେ ସମସ୍ତଙ୍କ ଠାରୁ ଅଧିକ ମାର୍କ ରଖିଥିବା ପିଲା। ବିଜ୍ଞାନ ଉପରେ ତାର ଭାରି ରୁଚି। ଗଣେଶ ପୂଜାରେ କିପରି ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ କୌଶଳ ବ୍ୟବାହର କରା ଯାଇପାରିବ ସେ ଦାୟିତ୍ଵ ନେଇଥିଲା ଟୁନା। ଏହି ପାଞ୍ଚଜଣ ଛାତ୍ର ସ୍କୁଲର ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ନିଜ ଟିମ୍ ରେ ସାମିଲ କରି କାମରେ ଲାଗିଗଲେ।

ବିଜ୍ଞାନ ସମ୍ବନ୍ଧୀୟ ଗଣେଶ ପୂଜା କରିବାକୁ ଯାହା ସବୁ ଉପକରଣ ଆବଶ୍ୟକ ତାର ଲିଷ୍ଟ କୋଷାଧକ୍ଷ ତଥା ପରିଚାଳନା ଦାୟିତ୍ଵରେ ଥିବା ଟିଟନକୁ ଦେଇ ଆସିଲା ଟୁନା। ସେହିପରି ଟୁକୁନା ଏବଂ ଟୁଟୁ ମଧ୍ୟ ସେମାନଙ୍କ ଆବଶ୍ୟକତା ଜିନିଷର ଲିଷ୍ଟ ସେହି ଟିଟନକୁ ଧରାଇ ଆସିଲେ। ଏହି ୩ ଜଣ ଟୁନା, ଟୁକୁନା ଏବଂ ଟୁଟୁ ଯାହା ଲିଷ୍ଟ ଦେଲେ ଟିଟନ ତାର ଆନୁମାନିକ ବ୍ୟୟ ଅଟକଳ କରି ଟାହିଆକୁ ଦେଇଥିଲା।

ଦାୟିତ୍ଵ ମୁତାବକ ପୂଜା ସାଜସଜ୍ଜା ଠାରୁ ଆରମ୍ଭ କରି ପ୍ରସାଦ ସେବନ ଓ ବିସର୍ଜନ ପର୍ଯ୍ୟନ୍ତ ସବୁ କାମ ସୁରୁଖୁରୁରେ ଶେଷ ହେଲା । ପୂଜା ଆୟୋଜନ, ଖର୍ଚ୍ଚ, ଆମଦାନୀ ପ୍ରସଙ୍ଗରେ ବୈଠକ ବସିଲା । ହେଲେ ବୈଠକରେ କଣ ହେଲା ତାହା ମୁଁ ପରେ କହିବି ।

ପୂଜା ସରିଲା । ମାଟ୍ରିକ ବୋର୍ଡ ପରୀକ୍ଷା ଥିବାରୁ ପାଠ ପଢ଼ାରେ ଲାଗିଗଲେ। ପରୀକ୍ଷା ସରିଗଲା ରେଜଲ୍ଟ ବି ବାହାରିଲା। ପୂର୍ବରୁ କହିବା ଅନୁସାରେ ନିଜ ନିଜର ଦକ୍ଷତା ଅନୁସାରେ ମାର୍କରଖି ଏହି ୫ଜଣ ମ୍ୟାଟ୍ରିକ ପାସ କରିଗଲେ। ଲକ୍ଷ୍ୟ ଅନୁସାରେ ଉଚ୍ଚ ଶିକ୍ଷା ପାଇଁ ସ୍କୁଲ ଛାଡ଼ି ଚାଲିଗଲେ ।

ଦୀର୍ଘ ଦିନର ବ୍ୟବଧାନ ପରେ ଗଣତନ୍ତ୍ରର ଗଣେଶ ପୂଜାରେ ପୁଣି ୫ ଜଣ ବନ୍ଧୁ ଏକାଠି ହୋଇଥିଲେ। ସମସ୍ତଙ୍କ ମନରେ ଖୁସି କହିଲେ ନସରେ । ସମୟ ବଦଳି ଯାଇଛି, ସ୍ଥାନ ବଦଳି ଯାଇଛି, ଛାତ୍ରରୁ ଯାଇ ଏବେ ଛାତ ଉପରେ ବସିଛନ୍ତି । କିନ୍ତୁ ସେମାନଙ୍କ ଚରିତ୍ରରେ କିଛି ପରିବର୍ତ୍ତନ ହୋଇ ନାହିଁ। ଯିଏ ପାଠ ପଢାରେ ଦୁର୍ବଳ ଥିଲା, ଧର୍ କହିଲେ ମାଡ଼ି ବସିଥିଲା, ଗଣେଶ ପୂଜାରେ ଜୋର୍ ଜବରଦସ୍ତ ପୂଜା ସାମଗ୍ରୀ କିଣାକିଣିର ଦାୟିତ୍ବ ନେଇଥିଲା। ପୂଜା ଖର୍ଚ୍ଚର ସଠିକ୍ ହିସାବ ଦେଇ ପାରିନଥିଲା। ଯିଏ ହିସାବ ମାଗୁଥିଲା ତାକୁ ନାଲି ଆଖି ଦେଖାଉଥିବା ପିଲା ଟାହିଆ ଆଜି ବଡ ସାମ୍ବିଧାନିକ ପଦବୀରେ ଶପଥ ଗ୍ରହଣ କରି ମଞ୍ଚାସୀନ ଅଛି। ଯିଏ ପରୀକ୍ଷାରେ ମାଧ୍ୟମ ଧରଣର ମାର୍କ ରଖୁଥିଲା, ପୂଜା ବେଳେ କୋଷାଧ୍ୟକ୍ଷ ବା ପରିଚାଳନା ଦାୟିତ୍ୱରେ ଥିଲା, ଗଣେଶ ପୂଜା ଅର୍ଥ ହେରଫେର ମାମଲାରେ ଟାହିଆକୁ ସାହାଯ୍ୟ କରିଥିବା ଟିଟନ୍ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଆଜି ପୁଣି ସେହି ଟାହିଆ ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛି । ଆଉ ଯେଉଁ ମାନେ ଗଣେଶ ପୂଜାରେ ଭାଲ କାମ କରିଥିଲେ ମ୍ୟାଟ୍ରିକ ବୋର୍ଡ ପରୀକ୍ଷାରେ ଭଲ ମାର୍କ ରଖି ଟପ୍ପର ହୋଇଥିଲେ ସେମାନେ ଆଜି ବୈଜ୍ଞାନିକ, ଡାକ୍ତର, ଏବଂ ଇଞ୍ଜିନିୟର ହୋଇ ଦେଶ ବିଦେଶ ରେ ସୁନାମ ଅର୍ଜନ କରିଛନ୍ତି ।

ସେଦିନ ସ୍କୁଲରେ ଗଣେଶ ପୂଜା ଆୟୋଜନ ବେଳେ ଯିଏ ଯେଉଁ ଦାୟିତ୍ବ ନେଇଥିଲା ଆଜି ଗଣତନ୍ତ୍ରର ଗଣେଶ ପୂଜାରେ ସେମାନେ ସେହି ଦାୟିତ୍ବରେ ଅଛନ୍ତି । ଜନତାଙ୍କ ସୁସ୍ଥ ଓ ନିରାମୟ ଜୀବନ ଯାପନ ପାଇଁ ଜୀବନ ଉତ୍ସର୍ଗ କରିଥିବା ଡ଼ାକ୍ତର ଟୁକୁନା , ପ୍ରଗତିଶୀଳ ରାଷ୍ଟ୍ର ନିର୍ମାଣ ପାଇଁ ପୋଲ, ସେତୁ, ରାସ୍ତା ଘାଟ ନିର୍ମାଣର ବିଶ୍ଵକର୍ମା ସାଜିଥିବା ଟୁଟୁ ଙ୍କ ସହ ଅଣୁ, ପରମାଣୁ, ଅସ୍ତ୍ରଶସ୍ତ୍ର , ବ୍ରହ୍ମାସ୍ତ୍ର ନିର୍ମାତା ବିଶ୍ଵବିଖ୍ୟାତ ବୈଜ୍ଞାନିକ ଟୁନା ଆଜି ବି ଲମ୍ବା ଚିଠା ଧରି ଟାହିଆ ଓ ଟିଟନ୍ ପାଖକୁ ଦୌଡୁଛନ୍ତି ।... ଓଁ ଗଣତନ୍ତ୍ର ଗଣେଶାୟ ନମଃ । 

ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ । 

Disclaimer: This content has been automatically aggregated from television for informational purposes. To read the original article, please visit television.