Gandhamardan medicinal plant : ଗନ୍ଧମାର୍ଦ୍ଦନ ଗୁଳ୍ମରୁ ତିଆରି ହେଲା କ୍ୟାନସର ଔଷଧ, ମୂଷା ଦେହରେ ସଫଳ ପରୀକ୍ଷଣ
ବୁର୍ଲା, ୮/୭ (ଜ୍ୟୋତି ପ୍ରକାଶ ପାଣିଗ୍ରାହୀ) : କର୍କଟ ରୋଗ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଭେଷଜ ବିଜ୍ଞାନରେ ଏହାର ଚିକିତ୍ସା ପ୍ରଣାଳୀ ବ୍ୟୟବହୁଳ ଓ ତୀବ୍ର ପାଶ୍ୱର୍ପ୍ରତିକ୍ରିୟା ସମ୍ପନ୍ନ ହୋଇଥିବାରୁ ପ୍ରାକୃତିକ ଔଷଧୀୟ ଉଦ୍ଭିଦରୁ ବିକଳ୍ପ ଚିକିତ୍ସା ବିକଶିତ କରିବା ଉପରେ ଗବେଷଣା ଜୋରଦାର ଚାଲିଛି । ଏହି ଗବେଷଣାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗକୁ ବଡ଼ ସଫଳତା ମିଳିଛି । ପଶ୍ଚିମ ଓଡ଼ିଶାର ଔଷଧୀୟ ଜୈବ ବିବିଧତା ପାଇଁ ସୁପରିଚିତ ଗନ୍ଧମାର୍ଦ୍ଦନରୁ ସଂଗୃହୀତ ପ୍ରାୟ ୫୦ଟି ଔଷଧୀୟ ଉଦ୍ଭିଦ ମଧ୍ୟରୁ ପାଞ୍ଚଟି ଉଦ୍ଭିଦକୁ ଚୟନ କରାଯାଇ ଏକ ପଲିହର୍ବାଲ୍ ଆଣ୍ଟି-କ୍ୟାନସର୍ ଫର୍ମୁଲେସନ୍ ବିକଶିତ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନସର୍ କୋଷ ଉପରେ ଏହାର ପ୍ରଭାବ ଯାଞ୍ଚ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ମୂଷା ଉପରେ ପ୍ରାକ୍-କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା । ପ୍ରାରମ୍ଭିକ ପରୀକ୍ଷାରେ ଟ୍ୟୁମର୍ ଆକାର ହ୍ରାସ ଓ କୌଣସି ଉଲ୍ଲେଖନୀୟ ପାଶ୍ୱର୍ପ୍ରତିକ୍ରିୟା ନଥିବା ଦେଖାଯାଇଛି । ଏହି ଫଳାଫଳ ଆଶାଜନକ ରହିଛି । ଗବେଷଣାକୁ ନେଇ ପେଟେଣ୍ଟ୍ ପାଇଁ ଆବେଦନ ମଧ୍ୟ କରାଯାଇଥିବା ବେଳେ ମାନବ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ତଥା ସେଣ୍ଟର୍ ଅଫ୍ ଏକ୍ସିଲେନ୍ସର ଗବେଷକମାନେ ୨୦୧୯ ମସିହାରୁ ଏହି ଗବେଷଣା ଆରମ୍ଭ କରିଥିଲେ । ବୈଦ୍ୟମାନଙ୍କ ସହଯୋଗରେ ଗନ୍ଧମାର୍ଦ୍ଦନ ପାହାଡ଼ରୁ ସଂଗୃହୀତ ଔଷଧୀୟ ଉଦ୍ଭିଦ ମଧ୍ୟରୁ ପାଞ୍ଚଟି ଉଦ୍ଭିଦକୁ ବୈଜ୍ଞାନିକ ପରୀକ୍ଷା ପରେ ଚୟନ କରାଯାଇ ଏକ ପଲିହର୍ବାଲ୍ ଫର୍ମୁଲେସନ୍ ପ୍ରସ୍ତୁତ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନସର୍ କୋଷ ଉପରେ ଏହି ଫର୍ମୁଲେସନ୍ ପ୍ରୟୋଗ କରାଯାଇ ଦେଖାଯାଇଥିଲା ଯେ, ଏହା କ୍ୟାନସର୍ କୋଷ ବୃଦ୍ଧିକୁ ରୋକିବା ସହ ସେଗୁଡ଼ିକୁ ନଷ୍ଟ କରିବା କ୍ଷମତା ରଖେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୁସ୍ଥ କୋଷ ଉପରେ ଏହାର କୌଣସି କ୍ଷତିକାରକ ପ୍ରଭାବ ଲକ୍ଷ୍ୟ କରାଯାଇନଥିଲା । ଏହା ଗବେଷକଙ୍କୁ ପରବର୍ତ୍ତୀ ପରୀକ୍ଷା ପାଇଁ ଉତ୍ସାହିତ କରିଥିଲା । ପରେ ମୂଷା ଉପରେ ଆନିମଲ୍ ଟ୍ରାଏଲ୍ କରାଯାଇଛି । ପ୍ରଥମେ ସୁସ୍ଥ ମୂଷାଙ୍କ ଶରୀରରେ କ୍ୟାନସର୍ କୋଷ ପ୍ରବେଶ କରାଯାଇ ଟ୍ୟୁମର୍ ସୃଷ୍ଟି କରାଯାଇଥିଲା । ଏହାପରେ ପ୍ରାୟ ୩୫ ଦିନ ଧରି ପଲିହର୍ବାଲ୍ ଫର୍ମୁଲେସନ୍ ବ୍ୟବହାର କରାଯିବାରୁ ଟ୍ୟୁମର୍ ଆକାର ଧୀରେ ଧୀରେ କମିଥିବା ଦେଖାଯାଇଥିଲା । କୌଣସି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇନଥିଲା । ଗବେଷକଙ୍କ ମତରେ, ପ୍ରଚଳିତ କେମୋଥେରାପିରେ ସୁସ୍ଥ କୋଷ ମଧ୍ୟ ପ୍ରଭାବିତ ହେଉଥିବା ବେଳେ ଏହି ପଲିହର୍ବାଲ୍ ଫର୍ମୁଲେସନ୍ କେବଳ କ୍ୟାନସର୍ କୋଷ ଉପରେ ଅଧିକ କାର୍ଯ୍ୟକାରୀ ହେବା ସମ୍ଭାବନା ଦେଖାଇଛି । ତେବେ ଏହାକୁ ମଣିଷଙ୍କ ପାଇଁ ପ୍ରଭାବଶାଳୀ ବୋଲି କହିବା ପୂର୍ବରୁ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହେବା ଆବଶ୍ୟକ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି ।
ଗବେଷଣା ସମୟରେ କ୍ୟାନସର୍ କୋଷ ଉପରେ ସେଲୁଲାର୍ ଆନାଲିସିସ୍, ଆଇସି ୫୦ ଭ୍ୟାଲୁ ନିର୍ଣ୍ଣୟ, ଇନ୍କ୍ୟୁବେଟର୍ରେ କୋଷ ସଂରକ୍ଷଣ, ମାଇକ୍ରୋସ୍କୋପିକ୍ ପରୀକ୍ଷା ଏବଂ ମାଇନସ୍ ୮୬ ଡିଗ୍ରି ସେଲସିଅସ୍ ତାପମାତ୍ରା ବିଶିଷ୍ଟ ଫ୍ରିଜର୍ରେ କୋଷ ସଂରକ୍ଷଣ ଭଳି ଆଧୁନିକ ବୈଜ୍ଞାନିକ ପଦ୍ଧତି ଅନୁସରଣ କରାଯାଇଥିଲା । ପୁଣେସ୍ଥିତ ଏନ୍ସିସିଏସ୍ରୁ କ୍ୟାନସର୍ କୋଷ ସଂଗ୍ରହ କରି ଏହି ଗବେଷଣା ପରିଚାଳିତ ହୋଇଥିଲା ।ବର୍ତ୍ତମାନ ଏହି ଗବେଷଣାର ପରବର୍ତ୍ତୀ ପର୍ଯ୍ୟାୟରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ସିସିଆର୍ଏସ, ଏମସ୍ ଭୁବନେଶ୍ୱର ଏବଂ ଅନ୍ୟ ସହଯୋଗୀ ସଂସ୍ଥାଙ୍କ ସହଯୋଗରେ ମଣିଷଙ୍କ ଉପରେ କ୍ଲିନିକାଲ୍ ଟ୍ରାଏଲ୍ କରିବାକୁ ଯୋଜନା ରହିଛି । ଆଇସିଏମ୍ଆର୍ର ନିୟମାବଳୀ ଅନୁସାରେ ସମସ୍ତ ବୈଜ୍ଞାନିକ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ଏହି ପରୀକ୍ଷା ଆରମ୍ଭ ହେବ । ବିଶେଷ କରି ପ୍ୟାନ୍କ୍ରିୟାଟିକ୍ କ୍ୟାନସର୍ କ୍ଷେତ୍ରରେ ଏହି ଗବେଷଣା ଆଶାଜନକ ହୋଇପାରେ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି । ଏହି ବହୁମୁଖୀ ଗବେଷଣାକୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ପ୍ରଫେସର ପ୍ରଦୀପ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଉଛି। ଗବେଷଣା ଦଳରେ ଡ. ପ୍ରତ୍ୟୁଷ ପ୍ରଜ୍ଞାନଦୀପ୍ତ, ଈଶାରା ନାୟକ, ନେହାରାଣୀ ନାୟକ, ଏସ୍.କେ. ଅବଦୁଲ୍ ଆଲମ୍, ଡ. ଅଙ୍କିତା ଅଗ୍ରୱାଲ ଓ ଅକାଂକ୍ଷା ଦାଶ ପ୍ରମୁଖ ସାମିଲ ଅଛନ୍ତି ।
ଆହୁରି ପଢନ୍ତୁ- Accident News : ଜଗା ଦର୍ଶନ ସାରି ଫେରିବା ବେଳେ ବଡ଼ ଅଘଟଣ, ଟ୍ରକ୍କୁ ଧକ୍କା ଦେଲା ମିନି ବସ୍, ୧୦ ଯାତ୍ରୀ ଗୁରୁତର
ଅନଲାଇନ ସପିଂରେ ଡାର୍କ ପାଟର୍ଣ୍ଣ ଖେଳ | Dark Pattern Game in Online Shopping
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।