Gajapati Writes to ISKCON: ଇସ୍କନକୁ ପୁଣି ଚିଠି ଲେଖିଲେ ଗଜପତି ମହାରାଜା; ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ପାଳନ ପାଇଁ ଅନୁରୋଧ
ସାରା ବିଶ୍ବର ଇସ୍କନର ମନ୍ଦିର କେବଳ ଜ୍ୟେଷ୍ଠ ପୂର୍ଣ୍ଣିମାରେ ହିଁ ସ୍ନାନ ଯାତ୍ରା ଆୟୋଜନ କରନ୍ତୁ। ସେହିପରି ଆଷାଢ଼ ଶୁକ୍ଲ ଦ୍ବିତୀୟାଠାରୁ ଆରମ୍ଭ ହେଉଥିବା ନବଦିନାତ୍ମକ ଯାତ୍ରା ଅବଧି ଭିତରେ ହିଁ ରଥଯାତ୍ରା ପାଳନ କରାଯାଉ। ଏଭଳି ଅନୁରୋଧ କରି ଇସ୍କନ କର୍ତ୍ତୃପକ୍ଷଙ୍କୁ ପୁଣି ଚିଠି ଲେଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।
ଇସ୍କନର ମୁଖ୍ୟ କାର୍ଯ୍ୟାଳୟ କୁହାଯାଉଥିବା ପଶ୍ଚିମବଙ୍ଗର ମାୟାପୁର ସ୍ଥିତ ଗଭର୍ଣ୍ଣିଂ ବଡି କମିଶନ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଗଜପତି ମହାରାଜା କହିଛନ୍ତି, ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନ ଯାତ୍ରା କରିବାକୁ ଇସ୍କନ କର୍ତ୍ତୃପକ୍ଷ ଗତବର୍ଷ ଅକଟୋବରରେ ରାଜି ହୋଇଥିଲେ। ଏହା ସତ୍ତ୍ବେ ଭାରତ ବାହାରେ ଥିବା ବହୁ ଇସ୍କନ ମନ୍ଦିର ଅ-ତିଥି ଅର୍ଥାତ୍ ୨୦୨୬ ମେ ମାସ ପରଠାରୁ ଅଦିନରେ ସ୍ନାନ ଯାତ୍ରା ପାଳନ କରିଛନ୍ତି। ସେହିପରି ଉଜ୍ଜୟିନୀସ୍ଥିତ ଇସ୍କନ ପକ୍ଷରୁ ଆସନ୍ତା ୧୬ ଜୁଲାଇରୁ ୨୫ ଜୁଲାଇ ମଧ୍ୟରେ ମଧ୍ୟପ୍ରଦେଶର ୬୬ଟି ସ୍ଥାନରେ ରଥଯାତ୍ରା ପାଳନ କରିବାକୁ ଯୋଜନା ହୋଇଛି।
ନବଦିନାତ୍ମକ ଯାତ୍ରା ଜୁଲାଇ ୧୬ରୁ ୨୪ ତାରିଖ ମଧ୍ୟରେ ପଡୁଥିବା ବେଳେ ଜୁଲାଇ ୨୫ ତାରିଖରେ ରଥଯାତ୍ରା ପାଳନ ଗ୍ରହଣୀୟ ନୁହଁ। ସେହିପରି ଗତ କିଛି ମାସ ମଧ୍ୟରେ ଭାରତ ବାହାରେ ବହୁ ସହରରେ ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ପାଳନ କରାଯାଇଛି। ଆଗକୁ ମଧ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନରେ ଏହା ପାଳନ କରିବାକୁ ଯୋଜନା ହୋଇଛି । ମହର୍ଷି ବେଦବ୍ୟାସଙ୍କ ସ୍କନ୍ଦ ପୁରାଣରେ ମହାପ୍ରଭୁ ଜଗନ୍ନାଥ ନିଜେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ଯାତ୍ରା ଏବଂ ଆଷାଢ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ରଥଯାତ୍ରା ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗୋଟିଏ ପଟେ ଇସ୍କନ ଭାରତ ଭିତରେ ଓ ବାହାରେ ମହର୍ଷି ବେଦବ୍ୟାସଙ୍କ ଧର୍ମଗ୍ରନ୍ଥରେ ଭଗବାନ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶାବଳୀକୁ ମାନୁଛି । ଅନ୍ୟପକ୍ଷରେ ଇସ୍କନ ନିର୍ଦ୍ଧାରିତ ତିଥିରେ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଳନ ନ କରି ମହର୍ଷି ବେଦବ୍ୟାସଙ୍କ ପବିତ୍ର ଧର୍ମଗ୍ରନ୍ଥରେ ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି । ଏହା ସାରା ବିଶ୍ବରେ ଥିବା ଅଗଣିତ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଛି । ତେଣୁ ଇସ୍କନ ଜିବିସି ଅକ୍ଟୋବର ୨୦୨୫ ମସିହାରେ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରୁ ବୋଲି ଗଜପତି ମହାରାଜା ଚିଠିରେ ଅନୁରୋଧ କରିଛନ୍ତି।