FSSAI Targets Misleading '100% Pure' Labels: '୧୦୦ ପ୍ରତିଶତ' ଦାବି ଥିବା ମହୁ, ଘିଅ ବିକ୍ରି ଉପରେ ରୋକ୍, ଡାବରକୁ ନୋଟିସ
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଡାବର ଇଣ୍ଡିଆକୁ ‘୧୦୦ ପ୍ରତିଶତ’ ଦାବି କରି ବଜାରରେ ବିକ୍ରି ହେଉଥିବା ଅନେକ ଖାଦ୍ୟ ପଦାର୍ଥର ବିକ୍ରି ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। FSSAI କହିଛି ଯେ, ଏଭଳି ‘୧୦୦ ପ୍ରତିଶତ’ ଶବ୍ଦ ବ୍ୟବହାର ଅସ୍ପଷ୍ଟ, ପ୍ରମାଣଯୋଗ୍ୟ ନୁହେଁ ଏବଂ ଗ୍ରାହକଙ୍କୁ ବିଭ୍ରାନ୍ତ କରିପାରେ।
ଜାରି କରାଯାଇଥିବା ଆଦେଶରେ FSSAI କହିଛି ଯେ, ମହୁ, ଆପଲ୍ ସାଇଡର ଭିନେଗାର, ଭର୍ଜିନ୍ ନଡିଆ ତେଲ, ରାଶି ତେଲ, ଗାଈ ଘିଅ, ନଡ଼ିଆ ପାଣି ଏବଂ ନଡ଼ିଆ କ୍ଷୀର ଭଳି ଉତ୍ପାଦ ଉପରେ ଲେଖାଯାଇଥିବା "୧୦୦ ପ୍ରତିଶତ" ଦାବି ନିୟମ ବିରୋଧୀ।
FSSAI ଅନୁସାରେ, ଡାବରର ୱେବସାଇଟରେ ଏହି ଉତ୍ପାଦଗୁଡ଼ିକୁ "୧୦୦ ପ୍ରତିଶତ ନାଚୁରାଲ୍", "୧୦୦ ପ୍ରତିଶତ ପ୍ୟୁର୍", "୧୦୦ ପ୍ରତିଶତ ପ୍ୟୁରିଟି ଗ୍ୟାରେଣ୍ଟେଡ୍", "୧୦୦ ପ୍ରତିଶତ ଅର୍ଗାନିକ୍" ଏବଂ "୧୦୦ ପ୍ରତିଶତ ଟେଣ୍ଡର ନଡିଆ ପାଣି " ଭଳି ଦାବି ସହ ବିଜ୍ଞାପନ କରାଯାଉଥିଲା।
ନିୟାମକ ସଂସ୍ଥା କହିଛି ଯେ, ଏଭଳି ଦାବି ଖାଦ୍ୟ ସୁରକ୍ଷା ଓ ମାନକ (ବିଜ୍ଞାପନ ଏବଂ ଦାବି) ବିନିୟମ, 2018ର ଉଲ୍ଲଂଘନ କରୁଛି।
ତେବେ FSSAI ସ୍ପଷ୍ଟ କରିଛି ଯେ, ଏହି ପଦକ୍ଷେପର ଅର୍ଥ ଉତ୍ପାଦଗୁଡ଼ିକ ମିଶ୍ରିତ କିମ୍ବା ଖାଇବାକୁ ଅସୁରକ୍ଷିତ ବୋଲି ପ୍ରମାଣିତ ହୋଇନାହିଁ। ଆପତ୍ତି କେବଳ ଏହାର ଲେବଲିଂ ଓ ବିପଣନ ପ୍ରକ୍ରିୟାକୁ ନେଇ।
FSSAI ୨୦୨୫ ମେ ମାସରେ ବିଭିନ୍ନ ସଂସ୍ଥାକୁ ଏକ ପରାମର୍ଶ ଜାରି କରି "୧୦୦ ପ୍ରତିଶତ" ଶବ୍ଦକୁ ଲେବଲ୍, ପ୍ୟାକେଜିଂ ଓ ପ୍ରଚାର ସାମଗ୍ରୀରେ ବ୍ୟବହାର ନ କରିବାକୁ କହିଥିଲା। କାରଣ, ଏହି ଶବ୍ଦର କୌଣସି ଆଇନଗତ ପରିଭାଷା ନାହିଁ ଏବଂ ଏହା ଉତ୍ପାଦ ସମ୍ପୂର୍ଣ୍ଣ ଶୁଦ୍ଧ କିମ୍ବା ଅନ୍ୟଠାରୁ ଶ୍ରେଷ୍ଠ ବୋଲି ଭ୍ରାନ୍ତ ଧାରଣା ସୃଷ୍ଟି କରିପାରେ।
FSSAI କ'ଣ ପାଇଲା?
FSSAI କହିଛି ଯେ, Dabur Himalayan Organic Apple Cider Vinegar ଓ Dabur Organic Honey ଉପରେ ବୈଧ FSSAI ଅର୍ଗାନିକ୍ ଅନୁମୋଦନ ବିନା 'Jaivik Bharat' ଲୋଗୋ ବ୍ୟବହାର କରାଯାଉଥିଲା।
Jaivik Bharat ଚିହ୍ନ କେବଳ ପ୍ରମାଣିତ ଜୈବିକ (Organic) ଖାଦ୍ୟ ପଦାର୍ଥ ପାଇଁ ବ୍ୟବହୃତ ହୁଏ ଏବଂ ଏହା ଭାରତର ନିର୍ଦ୍ଧାରିତ ଜୈବିକ ମାନଦଣ୍ଡ ପାଳନ କରାଯାଇଥିବାର ସୂଚନା ଦେଇଥାଏ।
ସେହିପରି Dabur Hommade Coconut Milk ଉପରେ "୧୦୦ ପ୍ରତିଶତ ପ୍ୟୁରିଟି" ଦାବିକୁ ମଧ୍ୟ FSSAI ଆପତ୍ତିଜନକ ବୋଲି କହିଛି।
FSSAI ଜଣାଇଛି ଯେ, ପୂର୍ବରୁ ମଧ୍ୟ ଡାବରକୁ ଏଭଳି ବିଭ୍ରାନ୍ତିକର "୧୦୦ ପ୍ରତିଶତ" ଦାବି ବନ୍ଦ କରିବାକୁ ନୋଟିସ୍ ଦିଆଯାଇଥିଲା। କିନ୍ତୁ କମ୍ପାନୀ ପକ୍ଷରୁ ସନ୍ତୋଷଜନକ ସଂଶୋଧନମୂଳକ ପଦକ୍ଷେପ ନିଆଯାଇନଥିଲା।
ଏବେ FSSAI ଡାବରକୁ ନୋଟିସରେ ଉଲ୍ଲେଖିତ ସମସ୍ତ ଉତ୍ପାଦ ସହ "୧୦୦ ପ୍ରତିଶତ" ଭଳି ବିଭ୍ରାନ୍ତିକର ଦାବି ଥିବା ଅନ୍ୟ ସମସ୍ତ ଖାଦ୍ୟ ପଦାର୍ଥର ବିକ୍ରି ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।
ଏହାସହ କମ୍ପାନୀକୁ 15 ଦିନ ମଧ୍ୟରେ 'Action Taken Report' ଦାଖଲ କରିବାକୁ ମଧ୍ୟ କୁହାଯାଇଛି।
ଡାବରର ପ୍ରତିକ୍ରିୟା
ଡାବର କହିଛି ଯେ, FSSAI ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ସେମାନଙ୍କୁ ମିଳିଛି ଏବଂ ନିୟାମକ ସଂସ୍ଥା ଉଠାଇଥିବା ଆପତ୍ତିଗୁଡ଼ିକର ସମୀକ୍ଷା କରାଯାଉଛି।ଏଭଳି ନୋଟିସ ପାଇଥିବା କହିଛି ଡାବର ସଂସ୍ଥା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।