Fresh Twist in Choudwar Jail Escape Case; ବିହାରୀ କଏଦୀ ଫେରାର୍ ପଛରେ ଷଡ଼ଯନ୍ତ୍ର; ତଥ୍ୟ ପ୍ରମାଣ ପରେ ବି ବେଫିକର ଚୌଦ୍ୱାର ଜେଲ୍ ଅଧିକ୍ଷକ
ଚୌଦ୍ବାର ସର୍କଲ ଜେଲରୁ ବିହାରୀ କଏଦୀ ଫେରାର ମାମଲାରେ ଅଧୀକ୍ଷକ ସୁଜିତ ରାଉଳଙ୍କ ବିରୋଧରେ ମାଳ ମାଳ ପ୍ରମାଣ କୋର୍ଟଙ୍କ ନିକଟରେ ଦାଖଲ କରିଛି କମିଶନରେଟ୍ ପୋଲିସ। ତଦନ୍ତରେ ସହଯୋଗ ନକରିବା, ବାରମ୍ବାର ନୋଟିସ ପରେ ମଧ୍ୟ ସରକାରୀ ଦସ୍ତାବିଜ ଦାଖଲ ନକରିବା, ନିଜ ପଦପଦବୀର ଭୟ ଦେଖାଇ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ ଭଳି ସଂଗୀନ ତଥ୍ୟ ପାଇଛି ପୋଲିସ । ଯେଉଁଥି ପାଇଁ ସୁଜିତଙ୍କ ଆଗୁଆ ଜାମିନକୁ ନ ଦେବା ଲାଗି କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ତଦନ୍ତକାରୀ ଅଫିସର । ତଥାପି ମଧ୍ୟ ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥୁକୁନ୍ଥୁ ଜେଲ ବିଭାଗ।
କିଏ ଦେଉଛି ଚୌଦ୍ବାର ଜେଲ ଅଧୀକ୍ଷକ ସୁଜିତ ରାଉଳଙ୍କୁ ସୁରକ୍ଷା ? କାହିଁକି ଦେଉଛି ସୁରକ୍ଷା ? ଜେଲ ବିଭାଗ ପାଇଁ ବାରମ୍ବାର ବଦନାମ ହେଉଥିବା ରାଜ୍ୟ ସରକାର କାହିଁକି ଏ ସବୁକୁ ସହ୍ୟ କରୁଛନ୍ତି ? ମାଳ ମାଳ ପ୍ରମାଣ ସହ ଜେଲ ଅଧୀକ୍ଷକଙ୍କୁ ବାନ୍ଧିବା ପାଇଁ ଚାହିଁ ବସିଛି କମିନରେଟ ପୋଲିସ । ୨ ବିହାରୀ କଏଦୀ ଫେରାର ଘଟଣାରେ ବଡ଼ ଷଡଯନ୍ତ୍ର ସହ ସୁଜିତଙ୍କ ସନ୍ଦେହଜନକ ଭୁମିକା ନେଇ ତଥ୍ୟ ପ୍ରମାଣ ପାଇ ସାରିଛି ପୋଲିସ । ଅକ୍ଟୋବର ୨ ତାରିଖ ରାତିରେ ଦୁଇ ବିହାରୀ କଏଦୀ ଫେରାର ହୋଇଯାଇଥିଲେ ।
ଏହା ପୂର୍ବରୁ ଗତ ସେପ୍ଟେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟିରେ ଚାଲିଯାଇଥିଲେ ଜେଲ୍ ସୁପରିନଟେଣ୍ଡେଣ୍ଟ ସୁଜିତ ରାଉଳ । ଅକ୍ଟୋବର ୧ ତାରିଖ ସକାଳେ କାର୍ଯ୍ୟରେ ଯୋଗ ଦେବା ବଦଳରେ ଅପରାହ୍ନରେ ଜେଲକୁ ଆସି ରାତି ୯ଟା ୨୧ ମିନିଟରେ ବାହାରିଯାଇଥିଲେ । ସେହିଭଳି ଅକ୍ଟୋବର ୨ ତାରିଖ ସକାଳ ୮ ଟା ୩୪ରେ ଆସି ୯ ଟା ୩୦ ରେ ବାହାରିଯାଇଥିଲେ । ଆଉ ସେଇଦିନ ବିଳମ୍ବିତ ରାତିରେ ଫେରାର ହୋଇଯାଇଥିଲେ ଦୁଇ ହାର୍ଡକୋର କଏଦୀ ।
ପରେ ଅର୍ଥାତ ୩ ତାରିଖ ସକାଳେ କଏଦୀ ଫେରାର ଘଟଣା ଜାଣିବା ପରେ ମଧ୍ୟ ଆଉ ଜେଲକୁ ଆସି ନଥିଲେ ସୁଜିତ ରାଉଳ । ହେଲେ ପର ମୂହୁର୍ତ୍ତରେ ଜେଲ ଇନ ଆଉଟ ରେଜିଷ୍ଟରରେ ଦସ୍ତଖତ କରିବା ସହ ଜେଲକୁ ଏକାଧିକ ଥର ଆସିଥବା ଦର୍ଶାଇଥିଲେ । କିନ୍ତୁ ଜେଲର ସିସିଟିଭି ଓ ଇନଆଉଟ ରେଜିଷ୍ଟର ସମୟରେ ରହୁ ନାହିଁ ତାଳମାଳ । ଦେଖନ୍ତୁ ଚୌଦ୍ବାର ପୋଲିସ କୋର୍ଟଙ୍କ ନିକଟରେ ଦାଖଲ କରିଥିବା ଏହି ଦସ୍ତାବିଜକୁ । ଯେଉଁଥିରେ ସଫା ସଫା ଦର୍ଶାଯାଇଛି ସୁଜିତଙ୍କୁ ଆଗୁଆ ଜାମିନ ଦିଆ ନଯାଉ । ସେ ପ୍ରଭାବଶାଳୀ ହୋଇଥିବାରୁ ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କୁ ଭୟଭୀତ କରିବା ସମ୍ଭାବନା ରହିଛି ।
ସେହିଭଳି ମାମଲା ସହ ଜଡିତ ଇଲେକ୍ଟ୍ରୋନିକ ପ୍ରମାଣ, ବିଭାଗୀୟ ଫାଇଲ, ଆର୍ଥିକ କାରବାର ସମ୍ବନ୍ଧୀୟ କାଗଜପତ୍ର ନଷ୍ଟ କରିବାର ସମ୍ଭାବନା ରହିଛି । ଏହା ଭିତରେ ପୋଲିସର ବାରମ୍ବାର ନୋଟିସ ସତ୍ତ୍ବେ ତଦନ୍ତରେ ସହଯୋଗ କରୁନାହାନ୍ତି ସୁଜିତ ରାଉଳ । ଏପରିକି ମାମଲା ସହ ଜଡିତ କାଗଜପତ୍ର ବି ଦାଖଲ କରୁନାହାନ୍ତି । ବିହାରୀ କଏଦୀ ଫେରାର ହେବା ଦିନ ସୁଜିତ କେଉଁଠି ଥିଲେ ସେ ସମ୍ପର୍କରେ ଜାଣିବା ପାଇଁ ଜେଲର ମିନିଟ ବୁକ ଦାଖଲ କରିବାକୁ ବାରମ୍ବାର ନୋଟିସ ଦେଉଛି ପୋଲିସ । ହେଲେ ଦୁଇ ପ୍ରକାର କଥା କହୁଛନ୍ତି ସେ ।
କେତେବେଳେ କହୁଛନ୍ତି ଜେଲର ମିନିଟ ବୁକ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ନେଇ ଚାଲିଯାଇଛନ୍ତି ତ ଆଉ କେତେବେଳେ କହୁଛନ୍ତି ଦାୟିତ୍ବ ନେବା ବେଳେ ତାଙ୍କୁ କୌଣସି ମିନିଟ ବୁକ ଦେଇନଥିଲେ ପୂର୍ବତନ ଜେଲ ଅଧୀକ୍ଷକ । ବାରମ୍ବାର ଉତ୍ତର ବଦଳାଉଥିବା ସୁଜିତଙ୍କ ଏଭଳି ଷ୍ଟେଟମେଣ୍ଟ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ତଦନ୍ତକାରୀ ଅଫିସର । ଏପରିକି ପୂର୍ବତନ ଜେଲର ସନ୍ତୋଷିନୀଙ୍କ ଦସ୍ତଖତ ଜାଲିଆତି କରିଥିବା ନେଇ ସ୍ପଷ୍ଟ ଭାବେ ପ୍ରମାଣ ପାଇସାରିଛି ପୋଲିସ ।
ରାଜ୍ୟର ଜେଲ ବିଭାଗରେ ଚାଲିଥିବା ଅନିୟମିତତା ଓ ଅପରାଧିକ କାର୍ଯ୍ୟକଳାପ ନେଇ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଓ ଗୃହ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ଦେଖନ୍ତୁ ସାଂସଦ ସୁଜିତ କୁମାରଙ୍କ ଏ ଚିଠିକୁ । ଗତ ମାର୍ଚ୍ଚ ୧୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ଜେଲ ଡିଜି ଓ ଚୌଦ୍ବାର ଜେଲ ଅଧୀକ୍ଷକଙ୍କ କାରନାମା ବିଷୟରେ ଅବଗତ କରାଇଛନ୍ତି ।
ପରେ ମାର୍ଚ୍ଚ ୨୬ ତାରିଖରେ ପୋଲିସ ଡିଜିଙ୍କୁ ଓ ୨୭ ତାରିଖରେ ଗୃହ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି । ଏତେ ପରେ ମଧ୍ୟ କୌଣସି ଆକ୍ସନ ହୋଇନାହିଁ ଯେଉଁଥି ପାଇଁ ଶେଷରେ ବାଧ୍ୟ ହୋଇ ଅନଲାଇନ ଏତଲା ଦେଇଛନ୍ତି ସାଂସଦ । ତେବେ ପୁରା ଘଟଣାରେ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ କିମ୍ବା ଜେଲ୍ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବିହାରୀ କଏଦୀ ଫେରାର୍ ପଛରେ ଷଡ଼ଯନ୍ତ୍ର। ତଥ୍ୟ ପ୍ରମାଣ ପରେ ବି ବେଫିକର ଚୌଦ୍ବାର ଜେଲ୍ ଅଧିକ୍ଷକ। କେବେ ନୋଟିସ୍ ଯାଉଛି କେବେ ପୋଲିସ ଡାକୁଛି। ସାଂସଦଙ୍କ ଚିଠି ପରେ ବି କାହିଁକି ଚୁପ୍ ଜେଲ୍ ବିଭାଗ ?